ବାଲଜ୍ୟୋତି ବଦଳରେ ସୁନେତ୍ର ଯୋଜନା କାର୍ଯ୍ୟକାରୀ ହେଲା
ଛତ୍ରପୁର, ,(ଯୁଗାବ୍ଦ ନ୍ୟୁଜ୍) : : ସ୍ଥାନୀୟ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସୁନେତ୍ରା ଯୋଜନାର କାର୍ଯ୍ୟକାରୀ ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ବୈଠକ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ.ସନାତନ ପଣ୍ଡା, ବ୍ରାଇଣ୍ଡନେଓ ସୋସାଇଟିର ଡାକ୍ତର ଏସ୍.କେ.ବେହେରା, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଅରବିନ୍ଦ ମହାନ୍ତି , ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତ୍ତା, ସର୍ବ ଶିକ୍ଷା ଅଭିଯାନର ଜିଲ୍ଲା ସଂଯୋଜିକା ବିନିତା ସେନାପତି ଯୋଗଦେଇ ସୁନେତ୍ର ଯୋଜନା କାର୍ଯ୍ୟକାରି କରିବାର ବିଭିନ୍ନ ଦିଗଉପରେ ଆଲୋଚନା କରିଥିଲେ । ପୂର୍ବରୁ ଗଂଜାମ ଜିଲ୍ଲାରେ ସର୍ବଶିକ୍ଷା ଅଭିଯାନ ଆନୁକୂଲ୍ୟରେ ୨୦୧୨-୧୩ ଠାରୁ ବାଲଜ୍ୟୋତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରି ସେମାନଙ୍କୁ ମାଗଣାରେ ଚଷମା ପ୍ରଦାନ କାରଯାଉଥିଲ।। ଏବେ କିନ୍ତୁ ବାଲଜ୍ୟୋତି ଯୋଜାନ ବଦଳରେ ସୁନେତ୍ର ଯୋଜନା କାର୍ଯ୍ୟକାରୀ ହେବ । ବାଲଜ୍ୟୋତି ଯୋଜନାରେ କ୍ୟାମ୍ପ କରି ଡାକ୍ତରଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କ ଚକ୍ଷୁ ପରୀକ୍ଷା କରାଯାଉଥିଲ।। ତେବେ ସୁନେତ୍ର ଯୋଜନାରେ ବିଇଓ ଓ ସିଆରସିସି ମାନେ ନିଜ ବ୍ଲକ ଅଂଚଳରୁ ଦୃଷ୍ଟିଶକ୍ତି ବାଧୀତ ପିଲାଙ୍କୁ ଚିହ୍ନଟ କରିବେ ଏବଂ ସେମାନଙ୍କ ତାଲିକା ପ୍ରସ୍ତୁତ କରିବେ । ଅଗଷ୍ଟ ମାସ ଆରମ୍ଭରୁ ନିଜ ନିଜ ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ଚିହ୍ନଟ ହୋଇଥିବା ଦୃଷ୍ଟିଶକ୍ତି ବାଧୀତ ଛାତ୍ରଛାତ୍ରୀ ମାନଙ୍କୁ ପଠାଇବା ନିମନ୍ତେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ସାହୁ କହିଥିଲେ । ଶିକ୍ଷକ ମାନଙ୍କ ସହାୟତାରେ ବା ଅଭିଭାବକ ମାନେ ସଂପୃକ୍ତ ପିଲାମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବେ । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସପ୍ତାହରେ ୨/୩ ଦିନ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷଣ କରାଯିବ । ବ୍ଲକର ସମସ୍ତ ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯିବା ପରେ ତାର ରିପୋର୍ଟ ଭୂବନେଶ୍ୱର ସୁନେତ୍ର କାର୍ଯ୍ୟାଳୟକୁ ପଠାଯିବ । ସେଠାରେ ରିପୋର୍ଟ ଭିତ୍ତିରେ ଚଷମା କରାଯାଇ ତାହା ଆଣି ବିଇଓ ଓ ସିଆରସିସିଙ୍କ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ । ଏହି ବୈଠକରେ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ତପନ କୁମାର ସାହୁ, ଅର୍ଥପରାମର୍ଶ ଦାତା ମଧୁସୂଦନ ପରିଡାଙ୍କ ସମେତ ସମସ୍ତ ବିଇଓ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ପ୍ରକାଶ ଥାଉକି ଯେ ଗଂଜାମ ଜିଲ୍ଲାର ତତକାଳୀନ ଜିଲ୍ଲାପାଳ ଡ.କ୍ରିଷନ କୁମାରଙ୍କ ଉଦ୍ୟମରେ ସର୍ବ ଶିକ୍ଷାଅଭିଯାନ ପକ୍ଷରୁ ବାଲ ଜ୍ୟୋତି କାର୍ଯ୍ୟକ୍ରମ ୨୦୧୨-୧୩ ମସିହାରେ ଆରମ୍ଭ ହୋଇ ସୂଚାରୁରୂପେ ଚାଳିବା ଫଳରେ ଅନ୍ୟ ଜିଲ୍ଲାଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବା ସହ କେନ୍ଦ୍ରସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲ।। ଏବେ ଏହି ସୁନେତ୍ର ଯୋଜନା କିପରି କାର୍ଯ୍ୟକାରୀ ହେବ ତାକୁ ନେଇ ଆଲୋଚନା ହେବାର ଜଣାପଡିଛି ।