ବାଲେଶ୍ୱରର ୧୫ ନଂ ୱାର୍ଡ଼…

ବାଲେଶ୍ୱର, (ସରୋଜ ପଣ୍ଡା) :ପରିଷଦ ଭାଙ୍ଗିବାର ଅଢ଼େଇବର୍ଷ ପରେ ଆସନ୍ତା ୨୪ ତାରିଖରେ ହେବାକୁ ଯାଉଥିବା ପୌର ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଏବେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ୩୧ୱାର୍ଡ଼ ବିଶିଷ୍ଟ ବାଲେଶ୍ୱର ପୌରପାଳିକାର ମତଦାତାଙ୍କ ସଂଖ୍ୟା ୯୬,୩୪୬ ଛୁଇଁଥିବା ଏହି ନିର୍ବାଚନରେ ଭୋଟଭିକ୍ଷା କରିବା ପ୍ରାର୍ଥୀଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି । ପ୍ରତ୍ୟେକ ୱାର୍ଡ଼ରେ ଦୀର୍ଘଦିନରୁ ଲାଗି ରହିଥିବା ସମସ୍ୟା ସମାଧାନରେ ପୂର୍ବ କାଉନସିଲର ତଥା ପୌର କର୍ତ୍ତୃପକ୍ଷଙ୍କ ଉଦାସୀନତା ଚଳିତ ନିର୍ବାଚନର ପ୍ରାର୍ଥୀମାନଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ପ୍ରାର୍ଥୀମାନଙ୍କ ପ୍ରତିଶ୍ରୁତିକୁ ୱାର୍ଡ଼ବାସୀ ଆଉ ଭରସା କରୁନଥିବା ବେଳେ ପୂର୍ବରୁ ଥିବା ସମସ୍ୟାର ଆଶୁ ସମାଧାନ ପାଇଁ ପ୍ରାୟ ସବୁ ୱାର୍ଡ଼ରେ ଉଠୁଛି ସ୍ୱର । ଏହି ପରିପ୍ରେକ୍ଷୀରେ ପୌରପାଳିକା ଅନ୍ତର୍ଗତ ଆଜିମାବାଦ, ଜିସି ପଟ୍ଟନାୟକ ରୋଡ଼ର ଆଂଶିକ ଓ ମଲିକାଶପୁର ପ୍ରଭୃତି ଅଞ୍ଚଳକୁ ନେଇ ଗଠିତ ୧୫ ନଂ ୱାର୍ଡ଼ର ଏକାଧିକ ସମସ୍ୟା ସମ୍ପର୍କରେ ଲୋକେ ପ୍ରଶ୍ନ ଉଠାଇଛନ୍ତି । ବିଶେଷ କରି ୱାର୍ଡ଼ର ମଧ୍ୟଭାଗରେ ଅବ୍ୟବହୃତ ଅବସ୍ଥାରେ ପୁରାତନ ‘ଚନ୍ଦ୍ରାଗଡ଼ି ପୋଖରୀ’ର ପୁନରୁଦ୍ଧାର କାର୍ଯ୍ୟ ବନ୍ଦ ରହିବାକୁ ନେଇ ସ୍ଥାନୀୟ ବାସିନ୍ଦା ତୀବ୍ର ଅସନ୍ତୋଷ ପ୍ରକାଶ କିରଛନ୍ତି । ଏହି ପୋଖରୀର ପଙ୍କ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ପୌରପାଳିକା ପକ୍ଷରୁ ଆବଶ୍ୟକ ଅନୁଦାନ ମଞ୍ଜୁର ସହ ପ୍ରାୟ ୪ ବର୍ଷ ପୂର୍ବରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଠିକାଦାରଙ୍କ ମନମୁଖୀ କାର୍ଯ୍ୟଧାରା ଓ ସ୍ଥାନୀୟ ରାଜନୀତିକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହେବା ସହ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇଯାଇଥିଲା । ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ପାଇଁ ଏହି ପୋଖରୀ ଉପରେ ଲୋକେ ନିର୍ଭର କରିଆସୁଥିଲେ । ବିଶେଷ କରି ଦୀର୍ଘବର୍ଷ ଧରି ଏହି ପୋଖରୀର ହୋଇ ଆସୁଥିବା ଚନ୍ଦନ ଯାତ୍ରା ମଧ୍ୟ ବନ୍ଦ ହୋଇଯାଇଛି । ସବୁଠାରୁ ଉଲେଖନୀୟ ବିଷୟ ହେଲା ଏହି ପୋଖରୀ କୂଳରେ ଏକ ମନ୍ଦିର ଥିବା ବେଳେ ପୂଜା ପାଇଁ ଲୋକେ ପାଇପ ପାଣି କିମ୍ବା ହାତମୋଡ଼ା ନଳକୂପ ଉପରେ ନିର୍ଭର କରୁଛନ୍ତି । ଅନ୍ୟପକ୍ଷରେ ଏହି ୱାର୍ଡ଼ରେ ଅଳିଆ ପକାଇବା ପାଇଁ ବ୍ୟବସ୍ଥା ନଥିବାରୁ ଲୋକେ ରାସ୍ତା ପାଶ୍ୱର୍ରେ ପକାଉଛନ୍ତି । ଅଳିଆକୁ କୁକୁରମାନେ ରାସ୍ତାର ଏଣେତେଣେ ପକାଉଥିବା ବେଳେ ସପ୍ତାହରେ ଥରେ ପୌରପାଳିକା ଟ୍ରାକ୍ଟର ଆସି ଏହାକୁ ଉଠାଇଥାଏ । ସବୁଠାରୁ ବଡ଼କଥା ହେଲା ଏହି ୱାର୍ଡ଼ର ଅଧିକାଂଶ ଅଞ୍ଚଳରେ ପକ୍କାନାଳ ହୋଇଥିଲେ ବି ଏହାକୁ ଦୀର୍ଘବର୍ଷ ଧରି ସଫେଇ କରାଯାଇ ନାହିଁ । ନାଳ ପୋତିଯିବା କାରଣରୁ ସାମାନ୍ୟ ବର୍ଷାରେ ବି ନର୍ଦ୍ଦମା ପାଣି ରାସ୍ତାରେ ଚାଲିଥାଏ ବୋଲି ଲୋକେ ଆରୋପ କରିଛନ୍ତି । ଏହା ବ୍ୟତୀତ ୱାର୍ଡ଼ର ବହୁ ଗରିବ ପରିବାର ଓ ବୟସ୍କ ବ୍ୟକ୍ତି ଭତ୍ତା ତଥା ଆବାସ ପାଇଁ ଆବେଦନ କରିଥିଲେ ବି ସେମାନଙ୍କୁ ମିଳିନଥିବା କହିଛନ୍ତି । ଗତ ୨୦୧୩ ନିର୍ବାଚନରେ ଏହି ୱାର୍ଡ଼ର କାଉନସିଲର ପଦ ଅଣସଂରକ୍ଷିତ ଥିବା ବେଳେ ୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେତେବେଳର ୨୨୪୨ ମତଦାତାଙ୍କ ମଧ୍ୟରୁ ୧୩୨୯ ଜଣ ମତଦାନ କରିଥିଲେ । ସ୍ୱାଧୀନ ପ୍ରାର୍ଥୀ ଉପେନ୍ଦ୍ର ଶତପଥୀ ୫୫୯ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାହୁ ୫୨୨ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ଚଳିତ ନିର୍ବାଚନରେ ଏହି ୱାର୍ଡ଼ ସାଧାରଣ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ମତଦାତାଙ୍କ ସଂଖ୍ୟା ୨୧୮୨କୁ ଖସିଛି । ଏଥର ୱାର୍ଡ଼ବାସୀ କାହାକୁ ନିର୍ବାଚିତ କରିବେ ତାହା ୨୪ ତାରିଖ ପରେ ଜଣାପଡ଼ିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ