ବାଲେଶ୍ୱର ଜିଲ୍ଲାସ୍କୁଲ୍ ଭୂସଂପତ୍ତିର ସୁରକ୍ଷା ପାଇଁ ଗଣଧାରଣା ୩୦ରେ
ବାଲେଶ୍ୱର, (ସରୋଜ ପଣ୍ଡା):୧୮୫୩ ମସିହାରେ ପ୍ରତିଷ୍ଠିତ ବାଲେଶ୍ୱର ଜିଲ୍ଲା ସ୍କୁଲ୍ର ଭୂସଂପତ୍ତିର ସୁରକ୍ଷା ପାଇଁ ବାଲେଶ୍ୱର ସିଭିଲ୍ ସୋସାଇଟି ନେତୃତ୍ୱରେ ସ୍କୁଲ୍ ପରିଚାଳନା କମିଟି ଓ ପୁରାତନ ଛାତ୍ର ସଂସଦ ସମେତ ବହୁ ସାମାଜିକ ସଂଗଠନ ଆସନ୍ତା ୩୦ ତାରିଖ ସୋମବାରଦିନ ୧୦ଟାରୁ ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣଧାରଣାରେ ବସିବାକୁ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ସୋସାଇଟିର ପରିବର୍ଦ୍ଧିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବାଲେଶ୍ୱର ଜିଲ୍ଲାରେ ଚଳିତ ବନ୍ୟାରେ କ୍ଷତିଗ୍ରସ୍ତଙ୍କ ପାଇଁ ବୈଠକରେ ସମବେଦନା ଜଣାଇ ପୂର୍ବ ନିର୍ଦ୍ଧାରିତ ତାରିଖରେ ଗଣଧାରଣା କରାଯାଇପାରିଲା ନାହିଁ ବୋଲି ସୋସାଇଟି ପକ୍ଷରୁ କୁହାଯାଇଛି । ବାଲେଶ୍ୱର ଜିଲ୍ଲାପାଳଙ୍କୁ ଓ ରାଜ୍ୟ ସରକାରଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଲିଖିତ ଭାବେ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ବୈଠକରେ ଉପସ୍ଥିତମାନେ ଉଦ୍ବେଗ ପ୍ରକାଶ କରିଥିଲେ । ସ୍କୁଲ୍ ଅବସ୍ଥିତ ଥିବା ୧୨ ଏକରରୁ ଊର୍ଦ୍ଧ୍ୱ ଓ ଖେଳପଡ଼ିଆ ଥିବା ୪ ଏକରରୁ ଊର୍ଦ୍ଧ୍ୱ ଭୂସଂପତ୍ତିକୁ ବାଲେଶ୍ୱର ଜିଲ୍ଲା ସ୍କୁଲ୍ ନାମରେ ରେକର୍ଡ଼ଭୁକ୍ତ କରିବା ଦାବି ନେଇ ଏହି ଗଣଧାରଣା ଅନୁଷ୍ଠିତ ହେବ । ବାଲେଶ୍ୱରର ସମସ୍ତ ଶିକ୍ଷାପ୍ରେମୀ ଜନସାଧାରଣ ଓ ଅଭିଭାବକ ଏହି ଶାନ୍ତିପୂର୍ଣ୍ଣ ଗଣଧାରଣାରେ ଯୋଗଦେବାକୁ ସୋସାଇଟି ପକ୍ଷରୁ ନିବେଦନ କରାଯାଇଛି ।ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପାଦକ ମନୋଜ ନାୟକ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ଓ ସୀତାରାମ ପ୍ରଧାନ, ଛାତ୍ର ସଂସଦର ସଭାପତି ଡା. ସୁରେନ୍ଦ୍ରନାଥ ସାହୁ, ସ୍କୁଲ୍ ପରିଚାଳନା କମିଟିର ସଭାପତି ସଂଜୀବ ମିଶ୍ରଙ୍କ ସମେତ ବରିଷ୍ଠ ସାମ୍ବାଦିକ ଶଶିରଞ୍ଜନ ମଲ୍ଲିକ, ବେଣୁଧର ସାହୁ, ବିକାଶ ଦାସ, ଅକ୍ଷୟ କୁମାର ତ୍ରିପାଠୀ, କଲ୍ୟାଣୀ ନନ୍ଦ, ସନ୍ଧ୍ୟାରାଣୀ ଭୂୟାଁ, ଦୀପକ ଦାସ, ଲକ୍ଷ୍ମୀନାରାୟଣ ଘୋଷ, ସଂଗ୍ରାମ ପଣ୍ଡା, ଅରୁଣ ଜେନା, ନାରାୟଣ ପଣ୍ଡା, ଗଣେଶ୍ୱର ରାଉତ, ତୁଷାର ମହାପାତ୍ର ଓ ନିରଞ୍ଜନ ପରିଡ଼ା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ପ୍ରସ୍ତାବିତ ଗଣଧାରଣାକୁ ସଫଳ କରିବାକୁ ମତପ୍ରଦାନ କରିଥିଲେ । ଉଠାଜଳସେଚନ କର୍ମଚାରୀ ନେତା ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।