ଠିକା ସଫେଇ କର୍ମଚାରୀଙ୍କ ଧର୍ମଘଟ

ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ୍): ପୌରପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ଠିକା ସଫେଇ କର୍ମଚାରୀମାନେ ଗତକାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଫଳରେ ବାଲେଶ୍ୱର ସହରର ୩୧ଟି ୱାର୍ଡ଼ରେ ସଫେଇ କାର୍ଯ୍ୟ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଠିକାଦାରଙ୍କ ଅଧିନରେ କାମ କରୁଥିବା ୩୦୦ରୁ ଊଦ୍ଧ୍ୱର୍ ଶ୍ରମିକ ଏହି ଧର୍ମଘଟରେ ଯୋଗଦେଇଛନ୍ତି । ବାଲେଶ୍ୱର ପୌରାଞ୍ଚଳକୁ ୫ଟି ଜୋନ୍ରେ ବଣ୍ଟନ କରାଯାଇ ୨ଜଣ ଠିକାଦାରଙ୍କୁ ସଫେଇ କାର୍ଯ୍ୟ ଦାୟିତ୍ୱ ଦିଆଯାଇଛି । ୨୦୧୫ ମସିହାରୁ ୪ଟି ଜୋନ୍ ଜଣେ ଠିକାଦାରଙ୍କୁ ଓ ଗୋଟିଏ ଜୋନ୍ ଅନ୍ୟ ଜଣେ ଠିକାଦାରଙ୍କୁ ଦିଆଯାଇଛି । ପ୍ରତିମାସ ୭ ତାରିଖ ମଧ୍ୟରେ ମାସିକ ବେତନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଥିଲେ ବି ୪ ନଂ ଜୋନ୍ର କାମ କରୁଥିବା ୪୭ଜଣ ଶ୍ରମିକଙ୍କୁ ଗତ ଜୁନ୍ ମାସର ବେତନ ଠିକାଦାର ନାରାୟଣ ଜେନା ଗତକାଲି ସୁଦ୍ଧା ପ୍ରଦାନ ନକରିବାରୁ କେବଳ ସେହି ଜୋନ୍ର ଶ୍ରମିକମାନେ ଗତକାଲି କାମ ବନ୍ଦ କରିଥିଲେ । ଅନ୍ୟ ଜୋନ୍ମାନଙ୍କର ଶ୍ରମିକମାନେ ଗତକାଲି ସଫେଇ କାମ ଶେଷ କରି ସେମାନଙ୍କ ସହ ଆନ୍ଦୋଳନରେ ଯୋଗଦେଇଥିଲେ । ଶୁକ୍ରବାର ସକାଳ ୬ଟାରୁ ସହରରେ ସଫେଇ କାର୍ଯ୍ୟ ବନ୍ଦ କରି ଶ୍ରମିକମାନେ ପୌରକାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ । ବାଲେଶ୍ୱର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆସନ୍ତା ସୋମବାର ଦିନ ଅପରାହ୍ନରେ ଜିଲ୍ଲା ଶ୍ରମ ଅଫିସର ସମସ୍ୟାର ସମାଧାନ ପାଇଁ ଏକ ତ୍ରିପାକ୍ଷିକ ଆଲୋଚନା ଆହ୍ୱାନ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଆନ୍ଦୋଳନରତ ଶ୍ରମିକମାନଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରି ବେତନ ପାଇନଥିବା ଶ୍ରମିକମାନଙ୍କୁ ତାହା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଗତ ଚାରିବର୍ଷ ଧରି ଶ୍ରମିକମାନଙ୍କ ମାସିକ ବେତନରୁ ଭବିଷ୍ୟନିଧି ପାଣ୍ଠି ଏବଂ ଇ.ଏସ୍.ଆଇ. ବାବଦରେ କଟାଯାଇଥିବା ପ୍ରାୟ ୧କୋଟି ୩୨ ଲକ୍ଷ ଟଙ୍କା ଦାଖଲ ନକଲେ ସେମାନେ କାମରେ ଯୋଗଦେବେନାହିଁ ବୋଲି ସଫେଇ କର୍ମଚାରୀମାନେ ଘୋଷଣା କରିଛନ୍ତି । ଧାରଣା ସ୍ଥଳରେ ଜିଲ୍ଲା ଶ୍ରମ ଅଧିକାରୀ କୁବେର ବେହେରା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଚିତ୍ରସେନ ରାଉତ୍, ଶ୍ରମିକନେତା ତଥା ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ ଓ ଭାଗବତ ପ୍ରତିହାରୀ ପ୍ରମୁଖ ଶ୍ରମିକମାନେ ଆସନ୍ତା ସୋମବାର ଅପରାହ୍ନରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆହ୍ୱାନ କରାଯାଇଥିବା ଦୃଷ୍ଟିରୁ କାମରେ ଯୋଗଦେବାକୁ ବୁଝାଇଥିଲେ ମଧ୍ୟ ଅତୀତରେ ଏହିପରି ପ୍ରତିଶ୍ରୁତି ଦେଇ ଆନ୍ଦୋଳନକୁ ଭଣ୍ଡୁର କରାଯାଇଥିବା କହି ଶ୍ରମିକମାନେ ସେମାନଙ୍କ ଜିଦ୍ରେ ଅଟଳ ଅଛନ୍ତି । ତେଣୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସହରରେ ସଫେଇ କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ରହିବାର ଆଶଙ୍କା ପ୍ରକାଶ ପାଇଛି । ଠିକା ସଫେଇ କର୍ମଚାରୀଙ୍କ ମଧ୍ୟରୁ ମନୋନୀତ ଶ୍ରମିକ ରତ୍ନାକର ବେହେରା, ରାଜେଶ ନାଏକ, ରାମ ବେହେରା ଓ ଭଗବାନ ବେହେରା ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ