ବାଲେଶ୍ୱର ସଦର ବ୍ଲକ କଣ ମୁଖ୍ୟମନ୍ତ୍ରୀଙ୍କ ସାବତ ପୁଅ କି?
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସଦର ବିଜେପି କାର୍ଯ୍ୟାଳୟରେ ସଦର ନିର୍ବାଚନ ମଣ୍ଡଳୀର ନେତା ତଥା ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ମାନସ କୁମାର ଦତ୍ତଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ସାମ୍ବାଦିକ ସମ୍ମିଳନୀରେ ବନ୍ୟା ପରିଚାଳନାର ଅବ୍ୟବସ୍ଥାକୁ ନେଇ ଶ୍ରୀ ଦତ୍ତ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସ ଶେଷ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଉପକୂଳ ଉତ୍ତର ଓଡିଶାରେ ୪/୫ ଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ବୁଢାବଳଙ୍ଗ, ସୋନ, ଗଙ୍ଗାହାର, ଜଳକା ତଥା ସୁବର୍ଣ୍ଣରେଖା ନଦୀରେ ପ୍ରଳୟଙ୍କାରୀ ବନ୍ୟା ଆସିବା ଫଳରେ ଧାନ ଚାଷ ପ୍ରଭୃତ କ୍ଷତି ହୋଇଥିଲା । ବାଲେଶ୍ୱର ଜିଲ୍ଲା ସଦର ବ୍ଲକର ଶ୍ରୀରାମପୁର, ରସଲପୁର, କୁରାଢିହା, କସିପଦା, ଆଙ୍କ, ହଳଦୀପଦା, ସାର୍ଥା, ପାଞ୍ଚପଡା, ନଗ୍ରମ, ଓଲନ୍ଦା ସାରଗାଁ, ବୁଆଁଳ, ଓଡଙ୍ଗୀ, ସିନ୍ଧିଆ, ବଇଁଚା, ଛାନୁଆ ଆଦି ପଞ୍ଚାୟତରେ ଜଳକା, ବୁଢାବଳଙ୍ଗ ନଦୀର ବନ୍ୟା ସାଙ୍ଗକୁ ସୋନ ନଦୀର ଉପରମୁଣ୍ଡରେ ଥିବା ସୁନେଇ ଓ କାଳଡ୍ୟାମ ପାଣି ଛାଡିବା ଯୋଗୁଁ ଚାଷ ଜମିରେ ୭/୮ ଦିନ ଧରି ପାଣି ବୁଡିରହିବା ଫଳରେ ରୁଆ କାର୍ଯ୍ୟ ଚାଲିଥିବା ଓ ଅଳ୍ପ ଦିନ ଆଗରୁ ରୁଆ ସରିଥିବା ଧାନ ଗଛ ପଚି ନଷ୍ଟ ହୋଇଯାଇ ହଜାର ହଜାର ହେକ୍ଟର ଜମିରେ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଥିଲା ।ଝାଡଖଣ୍ଡ ସରକାର ଗାଲୁଡିହ ବନ୍ଧ ଖୋଲିବା ହେତୁ ସୁବର୍ଣ୍ଣରେଖା ନଦୀରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ କୃଷି ବିଭାଗ ଓ ରାଜସ୍ୱ ବିଭାଗର ମିଳିତ ତଦନ୍ତ ରିପୋର୍ଟ ହସ୍ତଗତ ହେଲାପରେ, ଓଡିଶା ସରକାର ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ୱର ବ୍ଲକରେ ପାଖାପାଖି ୮ ହଜାର ହେକ୍ଟର ଜମିରେ ଚାଷ ନଷ୍ଟ ହୋଇଥିବାର ଘୋଷଣା କରିଥିବା ବେଳେ ସଦର ବ୍ଲକକୁ ଏଥିରେ ସାମିଲ ନକରିବା ଏଠାକାର କ୍ଷତିଗ୍ରସ୍ତ ଚାଷୀକୂଳକୁ ନିରାଶ କରିଛି । ନଷ୍ଟ ହୋଇଥିବା ଚାଷଜମିରେ ଭାଦ୍ରବ ମାସରେ ଆଉ ଧାନ ରୁଇବାର ସମୟ ନାହିଁ କି ଚାଷୀ ପାଖରେ ଧାନତଳି ତଥା ସମ୍ବଳ ମଧ୍ୟ ନାହିଁ । ଏଣୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷୀ ରୁଇଥିବା ଧାନ ବନ୍ୟା ଯୋଗୁଁ ନଷ୍ଟ ହୋଇଯିବା ଫଳରେ ଗୋଟେ ଜନମଙ୍ଗଳ ସରକାରଙ୍କ ଦାୟିତ୍ୱ ପୁଣି ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେଇ ସେମାନଙ୍କ ମୁହଁରେ ହସ ଫୁଟାଇବା, କାରଣ ଚାଷୀ ହସିଲେ ଦେଶ ହସିବ । ଓଡିଶା ସରକାରଙ୍କର ତ୍ରୁଟିପୂର୍ଣ୍ଣ ତଦନ୍ତ ଯୋଗୁଁ ଏବେବି ପ୍ରକୃତରେ ଚାଷ କରୁଥିବା ଅନେକ ଚାଷୀ କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ବଂଚିତ ହୋଇଛନ୍ତି । ଏଣୁ ଭାରତୀୟ ଜନତା ପାର୍ଟି ଚାଷୀକୂଳର ଏ ବିପତ୍ତି ସମୟରେ ବର୍ଷା ଓ ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ସଦର ବ୍ଲକରେ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଧାନଚାଷର କ୍ଷୟକ୍ଷତି ରାଜ୍ୟ ସରକାର ସଠିକ ଭାବେ ଆକଳନ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବାର ଘୋଷଣା ନକଲେ ଆଗାମୀ ଦିନରେ ଚାଷୀର ହକ୍ ପାଇଁ ବିଜେପି ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟହେବ ବୋଲି ସଦର ବିଜେପି ନେତା ଶ୍ରୀ ଦତ୍ତ ପରିପ୍ରକାଶ କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର ଓ ଗୌରାଙ୍ଗ ଦାସ, ପୂର୍ବତନ ଜିଲ୍ଲା ଉପ ସଭାପତି ଗଙ୍ଗାଧର ରାଉତ, ଜିଲ୍ଲା ପରିଷଦ ସଭ୍ୟ ଗୟାଧର ବେହେରା, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ସରପଞ୍ଚ ରବିନାରାୟଣ ପ୍ରଧାନ, ମଣ୍ଡଳ ସଭାପତି ବିଜୟ ଦାସ, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ମଣ୍ଡଳ ସାଧାରଣ ସମ୍ପାଦକ ଅନନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।