ବିଏସଏନଏଲ ଓଡ଼ିଶା ସର୍କଲ ସିଜିଏମ୍ ଭାବେ ଦାୟିତ୍ୱ ନେଲେ ରୁଦ୍ରନାରାୟଣ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବିଏସଏନଏଲ ଓଡ଼ିଶା ସର୍କଲର ମୁଖ୍ୟ ମହାପ୍ରବନ୍ଧକ (ସି.ଜି.ଏମ୍) ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି ରୁଦ୍ରନାରାୟଣ ପଲାଇ, ଆଇ.ଟି.ଏସ୍ I ଏହି ଅବସରରେ ସେ ଓଡିଶା ଦୂରସଂଚାର ପରିମଣ୍ଡଳରେ କାର୍ଯ୍ୟରତ ସମସ୍ତ ଉଦ୍ୟୋଗ ବ୍ୟବସାୟିକ କ୍ଷେତ୍ର ମୁଖ୍ୟ, ଅଧିକାରୀ, କର୍ମଚାରୀ ତଥା ବିଏସଏନଏଲର ଗ୍ରାହକମାନଙ୍କୁ ତାଙ୍କର ଆନ୍ତରିକ ଶୁଭେଚ୍ଛା ପ୍ରଦାନ କରିଛନ୍ତି I ସରକାରୀ ରାଷ୍ଟ୍ରାୟତ୍ତ ସଂସ୍ଥା ବିଏସଏନଏଲ, ବନ୍ୟା ବାତ୍ୟା, ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଭଳି ପ୍ରତିକୂଳ ପରିସ୍ଥିତିରେ ଦେଶ ତଥା ରାଜ୍ୟର ସମସ୍ତ ଭାଗରେ ଟେଲି ଯୋଗାଯୋଗ ସେବା ନିରବଛିନ୍ନ ଭାବେ ଯୋଗାଇ ଆସୁଛି ଓ ଆଗାମୀ ଦିନରେ ମଧ୍ୟ ଏହାର ଗ୍ରାହକ ମାନଙ୍କୁ ଆକର୍ଷଣୀୟ ଟାରିଫ୍ ସହ ଅସୀମିତ କଲ୍, ଡାଟା, ଏବଂ ଆଧୁନିକତମ ଟେଲି ସେବା ପ୍ରଦାନ ଜାରି ରଖିବ I ଶ୍ରୀ ପଲାଇ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଭାରତ ସରକାରଙ୍କ ଉପକ୍ରମ ବିଏସଏନଏଲ ରାଜ୍ୟର ଦୁର୍ଗମ ଅଞ୍ଚଳର ଜନସାଧାରଣଙ୍କୁ ଲ୍ୟାଣ୍ଡଲାଇନ, ମୋବାଇଲ୍ ଏବଂ ଏଫଟିଟିଏଚ୍ (FTTH) ସେବା ଉପଲବ୍ଧ କରାଇବାକୁ ସର୍ବାଧିକ ଗୁରୁତ୍ୱ ଦେଇଆସୁଛି I ବିଏସଏନଏଲର ଆକର୍ଷଣୀୟ ଟାରିଫ୍ ପ୍ଲାନ ଯୋଗୁଁ ଗ୍ରାହକମାନଙ୍କ ଠାରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳୁଛି I ଅପ୍ଟିକାଲ୍ ଫାଇବର ମାଧ୍ୟମରେ ଓ୍ୱାଇ-ଫାଇ, ହାଇ-ସ୍ପିଡ୍ ଇଣ୍ଟରନେଟ୍ ସେବା ସହିତ ଘରେ ରହି ଅନଲାଇନ୍ ମାଧ୍ୟମରେ କାର୍ଯ୍ୟ କରୁଥିବା ବିଭିନ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ଏବଂ ଅନଲାଇନ ମାଧ୍ୟମରେ କ୍ଲାସରେ ଯୋଡିହେବା ପାଇଁ ସବୁବର୍ଗର ଛାତ୍ର/ଛାତ୍ରୀମାନଙ୍କର ବିଏସ୍ଏନ୍ଏଲ୍ ପ୍ରଥମ ପସନ୍ଦ I ଅପ୍ଟିକାଲ୍ ଫାଇବର ମାଧ୍ୟମରେ ଦୁର୍ଗମ ଗ୍ରାମାଞ୍ଚଳକୁ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇବା ଦିଗରେ ବିଏସଏନଏଲର ଭୂମିକା ବର୍ତ୍ତମାନ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି I ଓଡ଼ିଶା ରାଜ୍ୟ ସରକାରଙ୍କ ସହଯୋଗରେ ଖୁବ୍ ଶୀଘ୍ର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଉନ୍ନତ ମାନର ଟାଓ୍ୱାର ସ୍ଥାପନ ସହିତ ୪ଜି ସେବା ଉପଲବ୍ଧ କରାଇବାକୁ ରୁଦ୍ରନାରାୟଣ ପଲାଇ ଦୃ଼ଢୋକ୍ତି ପ୍ରକାଶ କରିବା ସହିତ ଜନସାଧାରଣଙ୍କ ମତାମତକୁ ଅଗ୍ରାଧିକାର ଦେବାକୁ ଆଶାବ୍ୟକ୍ତ କରିଛନ୍ତି I