ବିଜେପି ଗଡରେ ଶୁଭିବ ଶଙ୍ଖ : ବିଜେଡି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମଧ୍ୟ ସେତେ ସରଗରମ ହେବାରେ ଲାଗିଛି । ଯଦିଓ କୋଭିଡ ଗାଇଡ଼ ଲାଇନ ମଧ୍ୟରେ ପ୍ରାର୍ଥୀ ମାନେ ପ୍ରଚାର କରୁଛନ୍ତି ଗାଁ ଗହଳିରେ କିନ୍ତୁ ନିର୍ବଚନୀ ମାହୋଲ ବେଶ ଉତ୍ସାହପୂର୍ଣ ରହିଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ୨୩ଗୋଟି ପଂଚାୟତ ଅଂଚଳରେ ଏବେ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ପ୍ରଥମ ପର୍ଯ୍ୟାୟ ନିର୍ବଚନୀ ପ୍ରଚାର ଆରମ୍ଭ କରିଛନ୍ତି । ବ୍ଲକର ଗୁରୁତ୍ୱପୂର୍ଣ୍ଣ ବିଷ୍ଣୁପୁର ପଂଚାୟତ ଠାରେ ଆଜି ବିଜେଡି ସମର୍ଥିତ ପ୍ରାର୍ଥୀ ପ୍ରାର୍ଥୀନୀଙ୍କ ନିର୍ବଚନୀ ପ୍ରଚାର ବେଶ ଉତ୍ସାହପୂର୍ଣ୍ଣ ଥିଲା । ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ଏହା ନିଜସ୍ୱ ପଂଚାୟତ ହୋଇଥିବା ବେଳେ ଗତ ତିନି ଦଶନ୍ଧି ଧରି ଏଠାରୁ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟ ଲାଭ କରିନାହାନ୍ତି । ଏହା ସତ୍ତ୍ୱେ ବିଭିନ୍ନ ସମୟରେ ପଂଚାୟତ ସ୍ତରୀୟ ନିର୍ବାଚନରେ ପ୍ରାର୍ଥୀ ମାନେ ତୀବ୍ର ପ୍ରତିଦ୍ବନ୍ଦିତା କରିଥାଆନ୍ତି । ଚଳିତ ନିର୍ବାଚନରେ ମଧ୍ୟ ଏଠାରୁ ବିଜେଡି ସମର୍ଥନରେ ବିଶିଷ୍ଟ ସମାଜସେବୀ ଅମୂଲ୍ୟ ନାୟକ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହା ସହିତ ସମିତିସଭ୍ୟା ଭାବେ ଶୁଭଲକ୍ଷ୍ମୀ ପାଣିଗ୍ରାହୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଦୁଇ ପ୍ରାର୍ଥୀ ପଂଚାୟତର ସାହିକୁ ସାହି ବୁଲି ରାଜ୍ୟ ସରକାରଙ୍କ ଜନହିତକର ଯୋଜନାକୁ ପାଥେୟ କରି ଭୋଟ ପାଇଁ ନିବେଦନ କରୁଥିବା ବେଳେ ବିରୋଧୀ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ମାନେ ପ୍ରଚାରରେ ପଛରେ ପଡିଯାଇଥିବା କୁହାଯାଉ ଛି। ଏଥର ଫୁଲ ପଞ୍ଚାୟତରେ ଶଙ୍ଖ ବାଜିବ ବୋଲି ବିଜେଡି ନେତା ଓ କର୍ମୀ ମାନେ ପ୍ରଚାର ବେଳେ ଦୃଢକ୍ତି ପ୍ରକାଶ କରିଛନ୍ତି । ବ୍ଲକର ଦକ୍ଷିଣବାଡ଼ ପଂଚାୟତ ଠାରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଭାବେ କୁମାରୀ ବର୍ଷାରାଣୀ ଜେନା ଓ ବିଷ୍ଣୁଚରଣ ଦାସ ପ୍ରଚାରକୁ ଜୋରଦାର କରିଛନ୍ତି । ଆଜି କର୍ମୀ ମାନଙ୍କ ସହିତ ପାଳଦା ଜଗନ୍ନାଥ କ୍ଷେତ୍ର ଠାରୁ ପ୍ରଚାର ଆରମ୍ଭ କରିଛନ୍ତି । ଏଥିରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଲକ୍ଷ୍ମୀଧର ସାହୁ, ପଂଚାୟତ ବିଜେଡି ସଭାପତି ହେମନ୍ତ ଜେନା, ପ୍ରାକ୍ତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ଦେବେନ୍ଦ୍ର ଦାସ, ଅଶୋକ ବାରିକ, ଜିଲ୍ଲା ପରିଷଦ ସଭ୍ୟା ସଞ୍ଜୁ ପୂର୍ତ୍ତି, ଶରତ ପଲେଇ, ଅଖିଳ ବିହାରୀ ସାହୁ, ଗଜେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ରାମଚନ୍ଦ୍ରପୁର ପଂଚାୟତ ସରପଦା ଠାରେ ସରପଞ୍ଚ ପ୍ରାର୍ଥୀନୀ ରେଣୁବାଳା ରାଉତ ଓ ସମିତିସଭ୍ୟ ପ୍ରାର୍ଥୀନୀ ବୈଜୟନ୍ତୀ ମୁଣ୍ଡା ପ୍ରଚାରକୁ ଜୋରଦାର କରିଛନ୍ତି ।


