ବିଦେଶ ଗସ୍ତରେ ମିଶନ ଶକ୍ତି ସଦସ୍ୟା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଉଭୟ ହିଞ୍ଜିଳିକାଟୁ ଓ ଶେରଗଡ ବ୍ଲକ ତରଫରୁ ନୋଡାଲ ଅଧିକାରୀଙ୍କ ସମେତ ୩୬ ଜଣ ସଦସ୍ୟ ଓ ସଦସ୍ୟା ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଲକ ପରିସରରୁ ଦୁବାଇ ଗସ୍ତ ଉପଲକ୍ଷେ ଭୁବନେଶ୍ୱର ବିମାନ ବନ୍ଦର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସକାଳ ୭ଘଣ୍ଟ ସମୟରେ ହିଞ୍ଜିଳିକାଟୁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସମସ୍ତ ବିମାନ ଯାତ୍ରୀ ଏକତ୍ରିତ ହୋଇଥିଲେ।ଏଠାରୁ ବସ ଯାତ୍ରା ଆରମ୍ଭ କରିବା ପୂର୍ବରୁ ହିଞ୍ଜିଳି କାଟୁ ବିଡ଼ିଓ ସୁବ୍ରତ କୁମାର ଜେନା ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଥିଲେ । ଏହି ଅବସରରେ ବିଦେଶ ଗସ୍ତର ମୂଳଲକ୍ଷ୍ୟ ସମ୍ପର୍କରେ ବିଡ଼ିଓ ସୂଚନା ଦେଇଥିଲେ। ସେଠାକାର ବାଣିଜ୍ୟ, ଗମନାଗମନ ଓ ପରିମଳ ବ୍ୟବସ୍ଥା ଉପରେ ଶିକ୍ଷଣୀୟ ବିଷୟ ବୁଲି ଦେଖିବେ I ଚଳିତ ବର୍ଷ ହିଞ୍ଜିଳିକାଟୁ ବ୍ଲକ୍ ସର୍ବ ଭାରତ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ଚତୁର୍ଥ ପର୍ଯ୍ୟାୟରେ ମିଶନ ଶକ୍ତି ସଦସ୍ୟା ମାନଙ୍କ ପାଇଁ ଏହି ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଦୁବାଇ ଭ୍ରମଣକାରୀଙ୍କ ମଧ୍ୟରେ ହିଞ୍ଜିଳିକାଟୁ ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ନୋଡାଲ ଅଧିକାରୀ ରୂପେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ପୌରାଞ୍ଚଳର ୩ ଜଣ, ବ୍ଳକର ୧୭ ଜଣ ସେହିପରି ଶେରଗଡ଼ ବ୍ଲକର ୧୫ ଜଣ ଗସ୍ତ କରିଥିଲେ।ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ ସମୟରେ ସମସ୍ତ ବିମାନ ଯାତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତମ ଶାସନ ଓ ହିଞ୍ଜିଳି ବିଡ଼ିଓ ସୁବ୍ରତ ଜେନାଙ୍କ ଉତ୍ତମ ତଥା ପ୍ରତ୍ୟକ୍ଷ ସହଯୋଗ, ଦକ୍ଷ ପ୍ରଶାସନିକ ସେବା ଓ କର୍ତ୍ତବ୍ୟ ପରାୟଣତା ପାଇଁ ସାରା ଦେଶରେ ହିଞ୍ଜିଳିକାଟୁ ବ୍ଲକ ଶ୍ରେଷ୍ଠ ସ୍ଥାନ ଅଳଙ୍କୃତ କରିଥିବାରୁ ଯାତ୍ରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଡ଼ିଓ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଡିଓ ଶ୍ରୀ ଜେନାଙ୍କ ସମେତ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଜଳ ଓ ପରିମଳ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳେଇ ଙ୍କ ସମେତ ବହୁ ଜନ ପ୍ରତିନିଧି ଉପସ୍ଥିତ ଥିଲେ


