ବିଦ୍ୟାଳୟ ନିକଟରେ ପୋଲ ନିର୍ମାଣ ପ୍ରସଙ୍ଗ ; ଫାଇଲ ତଳେ ଲୁଚିଗଲାଣି ଅଞ୍ଚଳବାସୀଙ୍କ ଦାବି

ଭଣ୍ଡାରିପୋଖରୀ , (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଦେଇଯାଇଥିବା ୧୬ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବାବେଳେ ଯାତାୟତ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ଉଚ୍ଚ କ୍ଷମତା ସମ୍ପନ୍ନ ପୋଲ ନିର୍ମାଣ ହେଉଛି । ସ୍ଥାନୀୟ ବାସିନ୍ଦାଙ୍କ ଦାବି ଅନୁସାରେ ବାରିକପୁର ଧାମନଗର ଛକ, ପାଳଦାବାଙ୍କ, ଛତାବର ସମେତ ଭଣ୍ଡାରିପୋଖରୀ ବଜାର ଠାରେ ଉଚ୍ଚକ୍ଷମତା ସମ୍ପନ୍ନ ପୋଲ ନିର୍ମାଣ ଚାଲିଛି । ଆହୁରି ଗୋଟେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲେ ସୁଦ୍ଧା ଅଦ୍ୟାବଧି ଏ ବିଷୟର କେହି ମୁଣ୍ଡ ନହଲାଇବା ପରିତାପର ବିଷୟ ପାଲଟିଛି । ଏହି ପରିପ୍ରେକ୍ଷୀରେ ନେରଡା ପଞ୍ଚାୟତ ଯଶୋଟିକିରି ବିଦ୍ୟାଳୟ ପ୍ରାଙ୍ଗଣରେ ଉଚ୍ଚକ୍ଷମତା ସମ୍ପନ୍ନ ପୋଲ ପାଇଁ ସ୍ଥାନୀୟ ଲୋକେ ଏକବର୍ଷ ପୂର୍ବରୁ ଦାବି ଉଠାଇଥିଲେ । ଭଦ୍ରକ ଜିଲ୍ଲାର ପ୍ରବେଶ ପଥ କୁହାଯାଉଥିବା ଆଖୁଆପଦା ନିକଟବର୍ତ୍ତୀ ଉକ୍ତ ସ୍ଥାନରେ ଅନେକ ସମୟରେ ଦୁର୍ଘଟଣା ମାନ ଘଟିଥାଏ । ଚାରିଲାଇନ ରାସ୍ତା ଥିବାବେଳେ ଦୁର୍ଘଟଣା ଘଟି ଅନେକ ଧନଜୀବନ ଯାଇଥିବା ମଧ୍ୟ ନଜର ରହିଛି । ବିଶେଷକରି ରାସ୍ତା ଦୁଇପାଶ୍ୱର୍ରେ ହଜାରହଜାର ହେକ୍ଟର ଚାଷଜମି ରହିଥିବାବେଳେ ଲୋକଙ୍କ ଯାତାୟତ ପାଇଁ ରାସ୍ତା ବିପଦ ସୃଷ୍ଟି କରିଥାଏ । ଏହାଛଡା ନିକଟରେ ଥିବା ସୁବର୍ଣ୍ଣମୁଖୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦୈନନ୍ଦିନ ମଧ୍ୟ ରାସ୍ତା ପାରିହୋଇଥାଆନ୍ତି । ସ୍ଥାନୀୟ ନେରଡା, ଯଶୋଟିକିରି, ବନସ୍ତା, ଆଖୁଆପଦା ପ୍ରମୁଖ ଗ୍ରାମର ଜନସାଧାରଣ ମାନେ ପ୍ରତ୍ୟକ ଦିନ ଉକ୍ତ ସ୍ଥାନର ରାସ୍ତାକୁ ପାରହୋଇ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥାଆନ୍ତି । ସୁତରାଂ ଯାତାୟତ ଦୃଷ୍ଟିରୁ ଯଶୋଟିକିରି ଠାରୁ ଆଖୁଆପଦା ଯାଏଁ ରାସ୍ତାଟି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବାବେଳେ ସୁରକ୍ଷା ଦୃଷ୍ଟିରୁ ସ୍କୁଲ ପ୍ରାଙ୍ଗଣରେ ପୋଲ ନିର୍ମାଣ ପାଇଁ ଦାବି ଉଠିଥିଲା । ସ୍ଥାନୀୟ ସରପଞ୍ଚ ବଦ୍ରୀନାରାୟଣ ରାଉତଙ୍କ ନେତୃତ୍ୱରେ ଏନେଇ ଜନସାଧାରଣ ମାନେ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସମେତ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଅବଗତ କରିଥିଲେ । ଏହାଛଡା ଜାତୀୟ ରାଜପଥ କତ୍ତୃପକ୍ଷ ଓ ନିର୍ମାଣକାରୀ ସଂସ୍ଥା ନିକଟରେ ପୋଲ ନିର୍ମାଣ ପାଇଁ ସମସ୍ତ ବିବରଣୀ ପ୍ରଦାନ କରାଯାଇଥିଲା । ପରିତାପର ବିଷୟ ଇତିମଧ୍ୟରେ ଏକବର୍ଷ ବିତିଯାଇଥିଲେ ସୁଦ୍ଧା ସ୍କୁଲ ପ୍ରାଙ୍ଗଣରେ ପୋଲ ନିର୍ମାଣ କାର୍ଯ୍ୟ ଏଯାଏଁ ଆରମ୍ଭ ହୋଇପାରୁନାହିଁ । ଉଭୟ ପାଶ୍ୱର୍ର ଛଅଲାଇନ ବିଶିଷ୍ଟ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଇତିମଧ୍ୟରେ ଶେଷପର୍ଯ୍ୟାୟରେ ପହଞ୍ଚିଥିବାବେଳେ ପୋଲ ନିର୍ମାଣ ହେବକି ନାହିଁ ସେ ବିଷୟ ଅଞ୍ଚଳବାସୀଙ୍କ ମନରେ ଏବେ ସନ୍ଦେହ ଜାତ ହୋଇଛି । ଅଧିକାରୀଙ୍କ ନିକଟରେ ପ୍ରଦାନ କରାଯାଇଥିବା ପୋଲ ନିର୍ମାଣ ସମ୍ପର୍କିତ ସମସ୍ତ ଦାବିପତ୍ର ଲୁଚିଯାଇଥିବାବେଳେ ଏନେଇ ଆଗାମୀ ଦିନରେ ଏକ ଜନଆନ୍ଦୋଳନ ସୃଷ୍ଟି ହେବ ଏଥିରେ ସନ୍ଦେହ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ