ବିଦ୍ୟୁତ ତାର ବିଛାଇ ଅବାଧରେ ଚାଲିଛି ବନ୍ୟପ୍ରାଣୀ ଶିକାର
ବୁଗୁଡ଼ା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳରେ ବିଦ୍ୟୁତ ତାର ବିଛାଇ ଅବାଧରେ ଚାଲିଛି ବନ୍ୟପ୍ରାଣୀ ଶିକାରୀ। ବୁଗୁଡା ବନ ବିଭାଗ ପକ୍ଷରୁ “ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା” ସଚେତନ ରଥ ବିଭିନ୍ନ ଗ୍ରାମରେ ବୁଲୁଥିବାବେଳେ ଶିକାରୀମାନେ ବନ୍ୟପ୍ରାଣୀ ଶିକାର ପାଇଁ ବିଦ୍ୟୁତ ତାର ବିଛାଇବା ଘଟଣା ବଢି ଚାଲିଛି। ବନ ବିଭାଗ ଓ ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାରାଯାଇ ପଦକ୍ଷେପ ଗ୍ରହଣ କରିବାକୁ ବିଧେୟ ଥିବାବେଳେ ତାହା କାଗଜ କଲମରେ ସୀମିତ ରହିଛି। ଯେଉଁ ଶିକାରୀମାନେ ବିଦ୍ୟୁତ ତାର ବିଛାଇ ଶିକାର କରୁଛନ୍ତି ସେମାନଙ୍କୁ ଦୁଇ ବିଭାଗର କର୍ମଚାରୀ ବୃନ୍ଦ ଜାଣିଥିଲେ ମଧ୍ୟ ଧୃତରାଷ୍ଟ୍ର ସାଜିଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ବୁଗୁଡ଼ା ବନାଞ୍ଚଳର ଉଦୟପୁର ବିଟ୍ ଅଧୀନରେ ଥିବା କରସିଙ୍ଗି ଗ୍ରାମର ବଞ୍ଜର କାଜୁତୋଟା ଠାରେ ଶିକାରୀମାନେ ବନ୍ୟପ୍ରାଣୀ ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇ ଥିବା ଜଣାପଡିବା ପରେ ବିଦ୍ୟୁତ ବିଭାଗ ଓ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ୬୦୦ ମିଟର ଜିଆଇ ତାର ଏବଂ ବ୍ୟବହୃତ ବାଉଁଶ ଓ କାଚ ବୋତଲ ଜବତ କରିଛନ୍ତି। ଜନସାଧାରଣ କହିବା ପରେ ବନ ବିଭାଗ ଓ ବିଦ୍ୟୁତ ବିଭାଗ ଘଟଣା ସ୍ଥଳକୁ ଯାଇ ପଦକ୍ଷେପ ଗ୍ରହଣ କରିଥିଲେ। ଉଭୟ ବିଭାଗର ପେଟ୍ରୋଲିଂ ବ୍ୟବସ୍ଥା ହେଉନଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ଶିକାରୀକୁ ଧରିବା ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନଥିବା ଯୋଗୁଁ ଶିକାରୀ ନିର୍ଭୟରେ ବନ୍ୟପ୍ରାଣୀ ଶିକାର କରୁଛନ୍ତି। ବୁଗୁଡ଼ା ବନାଞ୍ଚଳରେ ଶିକାରୀ ଦଳ ସକ୍ରିୟ ଥିବାବେଳେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇଛି। ନିକଟରେ ବୁଗୁଡ଼ା ବନାଞ୍ଚଳରେ ଶିକାରୀଙ୍କ ବିଦ୍ୟୁତ ତାର ଫାସରେ ପଡି ଏକ ହାତୀ ଛୁଆର ମୃତ୍ୟୁ ଘଟିଥିଲା। ନିଶ୍ଚିତ ଭାବେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବା। ବିଦ୍ୟୁତ ବିଭାଗ ଏହା ଜାଣିବା ପରେ ବନ ବିଭାଗକୁ ଖବର ଦେଇ ତୁରନ୍ତ ଅନୁସନ୍ଧାନର ଆବଶ୍ୟକ ଥିଲା। ଶିକାରୀମାନେ ବରାହ ଶିକାର ପାଇଁ ବିଦ୍ୟୁତ ତାର ବିକାଉ ଥିବା ବେଳେ ସେଥିରେ ମଣିଷ ଓ ହାତୀ ଶିକାର ହେଉଥିବା ଦୃଷ୍ଟାନ୍ତ ରହିଛି। ଏହି ମାନବକୃତ ଦୁର୍ଘଟଣାରୁ ମୁକ୍ତି ପାଇଁ କେବଳ ସଚେତନତା ରଥ ବୁଲିଲେ ସୁଦ୍ଧାର ଆସିପାରିବ ନାହିଁ। ଶିକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ଗତିପଥ ପ୍ରତି ଦୃଷ୍ଟି ଦେବା ସହ କଠୋର ଆଇନ ବ୍ୟବସ୍ଥା ହେଲେ ହୁଏତ ଶିକାରୀଙ୍କ ପାଦୁର୍ଭାବ କମିପାରିବ।