ବିଦ୍ୟୁତ ବିଭାଗ ଉପରେ ଅତିଷ୍ଠ ଲୋକେ ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ଚେତାବନୀ

କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି): କେସିଙ୍ଗା ବ୍ଲକରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବିଦ୍ୟୁତ୍ କାଟ୍ । ମନଇଚ୍ଛା ଦିନ ରାତି କଟୁଛି ବିଦ୍ୟୁତ୍ । ଏନେଇ ବାରମ୍ବାର ଲୋକଙ୍କ ଅଭିଯୋଗ ସତ୍ତ୍ଵେ କେସିଙ୍ଗା ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ସୁଧାର ଆସୁନି। ଯାହାକୁ ନେଇ କେସିଙ୍ଗା ବ୍ଲକ କଶୃପଡା ଗ୍ରାମରୁ ଶତାଧିକ ଯୁବକ ମଙ୍ଗଳବାର କେସିଙ୍ଗା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟକୁ ଅଭିଯୋଗ ପାଇଁ ଆସିଥିଲେ । ହେଲେ କାର୍ଯ୍ୟାଳୟରେ କୌଣସି ଅଧିକାରୀ ନଥିବାରୁ ଶେଷରେ କାର୍ଯ୍ୟାଳୟ ଘେରାଉ କରିଥିଲେ ।ଏଥିସହ ସମାଧାନ ନ ହେବା ଯାଏଁ ଯିବୁନାହିଁ କହିବା ସହ କେସିଙ୍ଗା ବିଦ୍ୟୁତ୍ ବିଭାଗ ଏସଡିଓଙ୍କ ଅନୁପସ୍ଥିତିରେ ଭାରପ୍ରାପ୍ତ ଅଧିକାରୀ ଭାବେ ନର୍ଲା ଏସଡିଓ ଥିବାରୁ ଗ୍ରାମବାସୀ ତାଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି । କଶୃପଡା ଅଞ୍ଚଳରେ ଦୀର୍ଘ ଦିନ ଧରି ଦିନରାତି ମିଶି ଅତି ବେଶୀରେ ୨ ରୁ ୩ ଘଣ୍ଟା ବିଦ୍ୟୁତ୍ ମଧ୍ୟ ଠିକ୍ ଭାବେ ରହୁନଥିଲା। ଯାହାକୁ ନେଇ ଲୋକେ ଅନେକ କଷ୍ଟ ଭୋଗୁଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଚରମ ସୀମାରେ ଥିବାବେଳେ ଏହି ପ୍ରକାର ବିନା କୌଣସି କାରଣରେ ବିଦ୍ୟୁତ୍ କାଟ୍ ଯୋଗୁଁ ପିଲାଙ୍କ ଠାରୁ ବୃଦ୍ଧାଙ୍କ ପର୍ଯ୍ୟନ୍ତ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଞ୍ଚଳର ଅନେକ ସ୍ଥାନରେ ଅନଲାଇନ ସେବା ମଧ୍ୟ ଠପ୍ ରହିଛି । ଉକ୍ତ ବିଷୟରେ ଜଣାଇବା ପାଇଁ ବାରମ୍ବାର କେସିଙ୍ଗା ବିଦ୍ୟୁତ୍ ବିଭାଗର ଅନେକ କର୍ମଚାରୀଙ୍କ ଠାରୁ ଧରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପାଇଁ ଚେଷ୍ଟା କଲେ ସୁଦ୍ଧା କେହି ଜଣେ ମଧ୍ୟ ଫୋନ ଉଠାଉନଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍ ବିଭାଗକୁ ସାଧାରଣ ଜନତାଙ୍କ ସୁବିଧା ପାଇଁ ଦରମା ମିଳୁଥିବା ବେଳେ ସେହି ଅଧିକାରୀମାନେ କାହିଁକି ସେହି ଜନତାଙ୍କ ଫୋନ ଉଠାଉ ନାହାନ୍ତି ବୋଲି ଗ୍ରାମବାସୀ ପ୍ରଶ୍ନ କରିଥିବା ଦେଖିବାକୁ ମିଳିଥିଲା । ଫଳରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଯଥାଶୀଘ୍ର ବିନା କାରଣରେ ବିଦ୍ୟୁତ୍ ବନ୍ଦ ନ କରାଯାଉ ଏବଂ ଏହାର ସମାଧାନ ଶୀଘ୍ର କରାଯାଉ ନ ହେଲେ ଭବିଷ୍ୟତରେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ପଛାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ