ତାମିଲନାଡୁରେ ଓଡ଼ିଆ ଶ୍ରମିକ ମୃତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଏନଏସି ୯ ନଂ ୱାର୍ଡ ଦଣ୍ଡାଶି ସାହି ର ଦାଦନ ଶ୍ରମିକ ବିଜୟ ନାଇକ(୩୬) ତାମିଲନାଡୁ ର ତିର୍ଚ୍ଚି ସହରରେ ଘଟିଥିବା ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି।ଗତ ୧ ତାରିଖ ନୂଆବର୍ଷ ସକାଳେ ବିଜୟ ମେସ ପାଇଁ ବଜାରରୁ ସଉଦା ଆଣିବା ପାଇଁ ଏକ ବାଇକ ରେ ଯାଉଥିବା ବେଳେ ବିପରୀତ ଦିଗରୁ ଦୃତ ଗତି ରେ ଆସୁଥିବା ଏକ ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଥିଲେ।ତାଙ୍କୁ ସେଠାକାର ଏକ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା।ସୋମବାର ବିଳମ୍ବିତ ରାତି ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ବିଜୟ ତାମିଲନାଡୁ ତିର୍ଚ୍ଚି ସହର ନିକଟ ଏକ ଗ୍ରାନାଇଟ କମ୍ପାନୀ ରେ କାମ କରୁଥିଲେ।ଘରେ ତାଙ୍କ ସ୍ତ୍ରୀ ଅନିତା ନାଇକ, ୧୦ ବର୍ଷ ବୟସର ଝିଅ,୪ ବର୍ଷ ବୟସର ପୁଅ ଏବଂ ବିଧବା ମା ବିନି ନାଇକ ଅଛନ୍ତି।କିଛିବର୍ଷ ପୂର୍ବେ ତାଙ୍କ ବାପା ବରଡ଼ା ନାଇକ ଙ୍କ ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ଖବର ପାଇବା ପରେ ବିଜୟ ଙ୍କ ଶଳା ତୁମ୍ବା ନାଇକ ତିର୍ଚ୍ଚି ଡାକ୍ତରଖାନା ରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥା ତଦାରଖ କରୁଥିଲେ।ସୋମବାର ରାତି ରେ ବିଜୟଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକଙ୍କୁ ସେ ଫୋନ ଯୋଗେ ଜଣାଇଥିଲେ।ତାଙ୍କ ଶବ ଗାଁ କୁ ନେବା ପାଇଁ ଗ୍ରାନାଇଟ୍ କମ୍ପାନୀ ମାଲିକ ଙ୍କୁ ଅନୁରୋଧ କରିବାରୁ ସେ ତାଙ୍କୁ ୫୦ ହଜାର ଟଙ୍କା ଦେଲେ କମ୍ପାନୀ ଆଉ ୫୦ ହଜାର ଟଙ୍କା ଖର୍ଚ୍ଚ କରି ଶବ କୁ ଆମ୍ବୁଲାନ୍ସ ଯୋଗେ ନିଆଯିବ କହିଥିବା ତୁମ୍ବା ନାଇକ ଜଣାଇଛନ୍ତି।ବିଜୟ ଙ୍କ ଶବ ଗାଁ କୁ ଆଣିବା ପାଇଁ ସ୍ତ୍ରୀ ଅନିତା ସ୍ଥାନୀୟ ପୁଲିସ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି।


