ବିଭିନ୍ନ ଦାବି ନେଇ ଡାକ କର୍ମଚାରୀଙ୍କ ଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା) : ଅଖିଳ ଭାରତୀୟ ଡାକକର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ଜିଲା ତୃତୀୟଶ୍ରେଣୀ ଡାକ କର୍ମଚାରୀ ସଂଘ, ପୋଷ୍ଟମ୍ୟାନ ସଂଘ ଓ ଏମଟିଏସ ସଂଘର କର୍ମକର୍ତ୍ତା ତଥା ସଦସ୍ୟମାନେ ବିଭିନ୍ନ ଦାବି ନେଇ ମଙ୍ଗଳବାର ବାଲେଶ୍ୱର ଡାକମଣ୍ଡଳ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ତୃତୀୟ ଶ୍ରେଣୀ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ପାଦକ ଗୋପାଳ ଚନ୍ଦ୍ର ପଢ଼ିଆରୀ ଓ ଡାକସେବକ ଓ ଏମଟିଏସ ସଂଘର ସମ୍ପାଦକ ରବୀନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ଧାରଣାରେ ରାଜେନ୍ଦ୍ର ମଲିକ, ଅଜୟ ନାରାୟଣ ଦାସ, କାର୍ତ୍ତିକ ଚନ୍ଦ୍ର ଜାନା, ପ୍ରଦୀପ କୁମାର ଲେଙ୍କା, କାର୍ତ୍ତିକ ଚନ୍ଦ୍ର ଦାସ, ହୃଦୟ ରଞ୍ଜନ ଚାନ୍ଦ, ସତ୍ୟନାରାୟଣ ମହାନ୍ତି, ନିୟାଜ ହୁସେନ ମଲିକ, ରୁଚିର ସାମଲ, ଗୋବିନ୍ଦ ଚନ୍ଦ୍ର ଘୋଷ, ତୃତୀୟ ଶ୍ରେଣୀ ସଂଘର ପୂର୍ବତନ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ ପ୍ରମୁଖ ଏଥିରେ ଯୋଗଦେଇ ଡାକ କର୍ମଚାରୀଙ୍କ ପ୍ରତି ସରକାରଙ୍କ ଉଦାସୀନତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ବିଶେଷ କରି ଡାକ କର୍ମଚାରୀ ସଂଘ ଗଠନ ଅଧିକାର ସଙ୍କୁଚିତ କରିବା, ଡାକ ବିଭାଗକୁ ଘରୋଇକରଣ କରିବା, ନୂତନ ପେନସନ ଯୋଜନାର ଉଚ୍ଛେଦ କରିବା, ଅସ୍ଥାୟୀ ନିଯୁକ୍ତି ବନ୍ଦ କରିବା, ଗତ ଜାନୁୟାରୀ ୨୦୨୦ ମସିହାରୁ ଜୁନମାସରୁ ୨୦୨୧ ମସିହା ପର୍ଯ୍ୟନ୍ତ ସ୍ଥଗିତ ମହଙ୍ଗା ଭତ୍ତା ପ୍ରଦାନ ବନ୍ଦ ରହିବା, ଗ୍ରାମୀଣ ଡାକସେବକଙ୍କ ନିଯୁକ୍ତିକୁ ନିୟମିତ ନ କରିବା, ସଂଘର କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର, କରୋନାରେ ମୃତ କର୍ମଚାରୀଙ୍କ ପରିବାରକୁ ଘୋଷିତ ସହାୟତା ରାଶି ପ୍ରଦାନରେ ବିଳମ୍ବ କରିବା ଆଦି ସରକାର ତଥା ବିଭାଗୀୟ ପଦସ୍ଥ ଅଧିକାରୀଙ୍କ ନିଷ୍ପତ୍ତି କର୍ମଚାରୀଙ୍କ ସାମ୍ବିଧାନିକ ଅଧିକାର ପ୍ରତି ବିପଦ ହୋଇଛି ବୋଲି ବକ୍ତାମାନେ କହିଥିଲେ । ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ସଂଗଠନମାନେ ମିଳିତ ଭାବେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଡାକ କର୍ମଚାରୀମାନଙ୍କର ଦାବି ଓ ସର୍ବଭାରତୀୟ ଆନ୍ଦୋଳନକୁ ସମର୍ଥନ ଜଣାଇ ଡାକ କର୍ମଚାରୀ ପେନସନର ସଂଘର ରାଜ୍ୟ ସଭାପତି ନିରଞ୍ଜନ ରାଉତ, ଏ.ଆଇ.ଟି.ୟୁ.ସି.ର ଜିଲା ସାଧାରଣ ସମ୍ପାଦକ ଶ୍ୟାମସୁନ୍ଦର ଜେନା, ଟିୟୁଏସିସିର ସାଧାରଣ ସମ୍ପାଦକ ବରିଷ୍ଠ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଶ୍ରମିକ, କର୍ମଚାରୀ ଓ କୃଷକ ବିରୋଧି ମନୋଭାବକୁ ଦୃଢ଼ ନିନ୍ଦା କରିଥିଲେ ।