ବିଭିନ୍ନ ଶିକ୍ଷାନୁଷ୍ଟାନରେ ଗୁରୁଦିବସ ପାଳିତ
ଆସିକା(ୱାଇଏନ୍ଏସ୍) :ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶନିବାର ଗୁରୁଦିବସ ପାଳିତ ହୋଇଯାଇଛି । ଭାରତ ବର୍ଷର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜନ୍ମ ଦିବସକୁ ପ୍ରତ୍ୟେକ ବର୍ଷ ଗୁରୁଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହି ଅବସରରେ ସ୍ଥାନୀୟ ଆରିୟାନ୍ ପବ୍ଳିକ୍ ସ୍କୁଲ, କଲେଜଛକ ସ୍ଥିତ ପ୍ରଜ୍ଞା ଶିଶୁମନ୍ଦିର, ମେକ୍ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ, ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବାବନପୁର ସ୍ଥିତ ଆଦର୍ଶ ଶିଶୁ ମନ୍ଦିର, ଗୁରୁକୁଳ ଇଣ୍ଟରନ୍ୟାସନାଲ୍ ପବ୍ଳିକ୍ ସ୍କୁଲ, କଇଁଫୁଲିଆ ଛକ ସ୍ଥିତ ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର, ଖମ୍ବେଶ୍ୱରୀ ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ, ମଣ୍ଟାପଡା ସ୍ଥିତ ମା ରତ୍ନମାଳୀ ହାଇସ୍କୁଲ, ବରଗାଁ ଉନ୍ନିତ ଉଚ୍ଚ ବିଦ୍ୟାଳୟ, ବାବନପୁର ସ୍ଥିତ ଚିନିଶିଳ୍ପ ହାଇସ୍କୁଲ, ସାହାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବେଣିଆ ପ୍ରାଥମିକ ବିଦ୍ୟାଳୟ, ଖାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାବନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଢୁଙ୍କୁଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଢାଳ ପ୍ରାଥମିକ ବିଦ୍ୟାଳୟ, ଟାଇଲ୍ଶିଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଧୋବାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ସମସ୍ତ ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀମାନେ ମହାନ୍ ଶିକ୍ଷକ, ଦାର୍ଶନିକ ତଥା ବିଶିଷ୍ଟ କୂଟନୀତିଜ୍ଞ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସାଙ୍ଗକୁ ଗୁରୁପୂଜା ଓ ଗୁରୁବନ୍ଦନା କରିଥିଲେ । ଆସିକା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଗୁରୁଦିବସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ବହୁମୁଖୀ ପ୍ରତିଭା, ନୀତି, ଆଦର୍ଶ ସାଙ୍ଗକୁ ଗୁରୁଦିବସ ପାଳନର ଆଭିମୁଖ୍ୟ ଉପରେ ବହୁ ଉପାଦେୟ ପରାମର୍ଶ ପ୍ରଦାନ କରିଥିବା ଲକ୍ଷ୍ୟ କରାଯାଇଥିଲା ।


