ଏଡ୍ସ ସଚେତନତା କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) :ବିଶ୍ୱର ସବୁଠାରୁ ଭୟାବହ ରୋଗ ଏଡସ୍ର କାରଣ ସଂପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପରାମର୍ଶକ୍ରମେ ସ୍ଥାନୀୟ ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ବାବାନାଥ ମିଶ୍ର, ଆସିକା ଉପଖଣ୍ଡ ଚିକିତ୍ସାଳୟର ସମନ୍ୱିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର (ଆଇସିଟିସି)ର ପରାମର୍ଶଦାତା ଦୀପକ କୁମାର ରାଉତ ପ୍ରମୁଖ ଯୋଗଦେଇ ବର୍ତ୍ତମାନ ମନୁଷ୍ୟ ଜୀବନର ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖା ଦେଉଥିବା ବିଭିନ୍ନ ରୋଗ ମଧ୍ୟରେ ଏଡସ୍ ରୋଗ ହେଉଛି ସବୁଠାରୁ ଭୟଙ୍କର । ଏହି ଭୟଙ୍କର ରୋଗର ନିୟନ୍ତ୍ରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପର୍ଯ୍ୟାପ୍ତ ଅର୍ଥ ବ୍ୟୟବରାଦ କରାଯାଇ ସଚେତନତା କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି । ଏଡସ୍ ଏକ ଭୟାନକ ଘାତକ ରୋଗ ହୋଇଥିବାରୁ ଏହି ରୋଗର ନିରାକରଣ ପାଇଁ ଔଷଧର ଯେତିକି ଆବଶ୍ୟକତା ରହିଛି ତାହା ଠାରୁ ଅଧିକ ଆବଶ୍ୟକତା ରହିଛି ଏହି ରୋଗର ଭୟାବହତା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା । ତେଣୁ ଏଡସ୍ ରୋଗର ନିରାକରଣ ପାଇଁ ସମସ୍ତେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇ ଅସଂଯତ ଜୀବନଶୈଳୀ ଓ ଅପ୍ରାକୃତ ଯୌନ ସଂପର୍କରୁ ଦୂରରେ ରହି ଏକ ଶୃଙ୍ଖଳିତ ଜୀବନଯାପନ କରିବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ସ୍ୱାସ୍ଥ୍ୟ ଚିକିତ୍ସା ପରିଦର୍ଶିକା ସଙ୍ଗୀତାରାଣୀ ସ୍ୱାଇଁ ଯୋଗଦେଇ ପ୍ରଧାନମନ୍ତ୍ରୀ ଟିବିମୁକ୍ତ ଭାରତ ଅଭିଯାନର ଲକ୍ଷ୍ୟ, ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏଡ୍ସ ସଚେତନତା ଏବଂ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନର ସଫଳ ରୂପାୟନ ସଂକ୍ରାନ୍ତୀୟ ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ଅଧ୍ୟାପକ ବାବାନାଥ ମିଶ୍ର, ଅଧ୍ୟାପିକା କବିତା କୁମାରୀ ଦାଶ, କର୍ମଚାରୀ ଟୁନା ମହାରଣା ପ୍ରମୁଖ ଯୋଗଦେଇ ଏଡସ୍ ରୋଗର ଭୟାବହତା ଓ ଏହାର ନିରାକରଣ ଏବଂ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଉପରେ ବହୁ ଉପାଦେୟ ତଥା ଶିକ୍ଷଣୀୟ ପରାମର୍ଶ ପ୍ରଦାନ କରି କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।


