ବିଶ୍ୱ ନାଟ୍ୟ ଦିବସରେ ‘ଶୋଭା’ ପକ୍ଷରୁ ମଞ୍ଚସ୍ଥ ‘ଭଲ ମଣିଷ’

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ଶୋଭା’ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ପାଳିତ ହୋଇଯାଇଛି ।ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପରିବେଶିତ ହୋଇଥିଲା ନାଟକ ‘ଭଲ ମଣିଷ’ ।ଏକ ବସ୍ତୁବାଦୀ ସମାଜରେ ଭଲ ମଣିଷଟିଏ ଖୋଜି ବାହାର କରିବା କଷ୍ଟସାଧ୍ୟ ବ୍ୟାପାର ହୋଇଥିବା ବେଳେ ଭଲ ମଣିଷର ଜୀବନ ଯେ କେତେ ଦୁର୍ବିସହ ତାହା କଳ୍ପନାର ବାହାରେ । ଅତ୍ୟାଚାର ଓ ଶୋଷଣରେ ଜର୍ଜିରିତ ସେହି ଭଲ ମଣିଷଟି ସମାଜରେ ନିଜକୁ ଅସହାୟ ମନେକରେ । ପରିବାରଠାରୁ ସମାଜ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଏହି ଭଲ ମଣିଷଟି ସମସ୍ତଙ୍କ ପାଖରେ ହୋଇଥାଏ ଅବହେଳିତ । ତଥାପି ତା’ର ନଥାଏ ଦ୍ୱଧା ବା ଆବିଳତା । ବଦଳିନଥାଏ ତା’ର ଦୃଷ୍ଟିଭଙ୍ଗୀ । ପରକୁ ଆପଣାର କରିବାରେ ସେ ଥାଏ ସର୍ବଦା ଚେଷ୍ଟିତ । ଏହିଭଳି ଏକ ପାରିବାରିକ କାହାଣୀକୁ ନେଇ ‘ଶୋଭା’ ପକ୍ଷରୁ ମଞ୍ଚସ୍ଥ ହୋଇଛି ନାଟକ ‘ଭଲ ମଣିଷ’ । ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସିଦ୍ଧାର୍ଥ ସାରଥି ଦାସ ସଭାପତିତ୍ୱ କରିଥିବା ବେଳେ ନାଟ୍ୟକାର ଡ. ପ୍ରଦୀପ ଭୌମିକ ଓ ନାଟ୍ୟାନୁଷ୍ଠାନ ‘କଳାକାର’ର ମୁଖ୍ୟ ସୁରଞ୍ଜନ ଦାସମହାପାତ୍ର ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱନାଟକ ଦିବସର ଆଭିମୁଖ୍ୟ ଓ ‘ଶୋଭା’ର ନାଟ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ । ଲକ୍ଷ୍ମୀ ଘୋଷ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଗୁରୁ ନନ୍ଦ କିଶୋର ଦାସଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ରଚିତ ନାଟକ ‘ଭଲ ମଣିଷ’ରେ ନିର୍ଦ୍ଦେଶନା ଦେଇଥିଲେ ଅର୍ଣ୍ଣବ କୁମାର କର । ରମାକାନ୍ତ ଦାସ ଗୀତ ରଚନା କରିଥିଲେ ଓ ଗୁରୁ ନନ୍ଦ କିଶୋର ଦାସ ସଂଗୀତ ନିର୍ଦ୍ଦେଶନା ସହ ସଂଗୀତ ପରିଚାଳନା ମଧ୍ୟ କରିଥିଲେ । ଅଜୟ କୁମାର ଆଚାର୍ଯ୍ୟ ଆଲୋକ ପରିଚାଳନା କରିଥିବା ବେଳେ ରାମଚନ୍ଦ୍ର ମହାପାତ୍ର ଓ ଲକ୍ଷ୍ମୀ ଘୋଷ ମଞ୍ଚ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ