ବେଆଇନ କୋଇଲା ଟ୍ରାକ୍ଟର ଜବତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ବେଆଇନ ବାଲି ଚୋର ସହିତ ତେଲ, କୋଇଲା ଚୋର ସକ୍ରିୟ ହୋଇ ଉଠିଛନ୍ତି । ଏପରିକି ଥାନାର ସୀମା କୁହାଯାଉଥିବା ଆଖୁଆପଦା ଦେଇ ପଡୋଶୀ ଯାଜପୁର ଜିଲ୍ଲାର ବେଆଇନ କୋଇଲା ବ୍ୟବସାୟୀ ବିଭିନ୍ନ ଅଞ୍ଚଳକୁ ପ୍ରବେଶ କରୁଛନ୍ତି । ଆଜି ସକାଳୁ ପୁଲିସ ପକ୍ଷରୁ ଜାତୀୟ ରାଜପଥରେ ପେଟ୍ରୋଲିଂ କରାଯାଉଥିବାବେଳେ ଅନେକ କୋଇଲା ବୋଝେଇ ଗାଡି ପଡୋଶୀ ଜିଲ୍ଲାରୁ ଆଖୁଆପଦା ପୋଲଦେଇ ନିକଟ ନେରଡା, ବନସ୍ତା, ଜଗନ୍ନାଥପ୍ରସାଦ ଅଞ୍ଚଳକୁ ଯାଉଥିବା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଜାଣିବାକୁ ପାଇଥିଲେ । ଏହାପରେ ଆଖୁଆପଦା ପୋଲ ନିକଟରେ ଚଢାଉ ହୋଇଥିବାବେଳେ ଅନେକ ଗାଡି ଖସି ପଳାଇ ଯାଇଥିବାବେଳେ ଓଡି୦୯ଏନ୯୪୮୨ କୋଇଲା ବୋଝେଇ ଟ୍ରାକ୍ଟରଟି ପୁଲିସ ହାତରେ ଧରାପଡିଥିଲା । ବେଆଇନ କୋଇଲା ପରିବହନ କରୁଥିବା ଅଭିଯୋଗରେ ପୁଲିସ ଟ୍ରାକ୍ଟରଟିକୁ ଜବତ କରିଥିବାବେଳେ ୯/୨୧ରେ ମାମଲା ରୁଜୁ କରି ଏହାର ଚାଳକ ଦାମୋଦର ସାହୁକୁ ଗିରଫ କରିଥିବା ଜଣାଯାଇଛି ।


