ବେଆଇନ ପାର୍କିଂ ଫି’ ଆଦାୟକାରୀଙ୍କ ଉପରେ ଚଢ଼ଉ
ଭୁବନେଶ୍ୱର: ରାଜଧାନୀରେ ବେଆଇନ ଭାବେ ପାର୍କିଂ ଫି’ ଆଦାୟ ହେଉଥିବା ଅଭିଯୋଗ ଆସିବା ପରେ ଆଜି ବିଏମସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି । ଆଜି ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ସ୍କ୍ୱାଡ୍, ସେଣ୍ଟ୍ରାଲ ଲାଇସେନ୍ସ ସ୍କ୍ୱାଡ୍ ଏବଂ ଦକ୍ଷିଣ-ପୂର୍ବ ଜୋନ୍ ସ୍କ୍ୱାଡ୍ ପକ୍ଷରୁ ବିଏମ୍ସିର ଦକ୍ଷିଣ-ପୂର୍ବ ଜୋନରେ ଥିବା ବିଭିନ୍ନ ପାର୍କିଂ ଅଞ୍ଚଳରେ ଚଢ଼ଉ କରାଯାଇଥିଲା । ଏହି ଜୋନ୍ରେ ମୋଟ୍ ୭୨ଟି ପାର୍କିଂ ଅଞ୍ଚଳ ମଧ୍ୟରୁ ୨୨ଟି ନିଲାମଧାରୀ ଚଳାଉଥିବାବେଳେ ୧୨ଟି ଆନୁଷ୍ଠାନିକ ପାର୍କିଂ ଏବଂ ୩୮ଟି ନିଲାମ ହୋଇନଥିବା ପାର୍କିଂସ୍ଥଳ ରହିଛି । ହେଲେ ଏହି ୩୮ଟିରୁ ୫ଟି ଯଥା ୟୁନିଟ୍-୧ ହାଟ ବାହାର ଓ ଉତ୍ତର ପାଶ୍ୱର୍, ୟୁନିଟ୍-୨ ଦୁର୍ଗା ମଣ୍ଡପ ସାମ୍ନା, ଖାଦିମସ୍ ସୋ’ରୁମରୁ ଶ୍ରୀ ଲେଦର ପର୍ଯ୍ୟନ୍ତ ଏବଂ କସ୍ତୁରବା ନାରୀ ମହଲ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବିଏମସି କର୍ମଚାରୀମାନେ ପାର୍କିଂ ଫି’ ଆଦାୟ କରୁଥିବାବେଳେ ବାକି ୩୩ଟିରେ ବେଆଇନ୍ ପାର୍କିଂ ହୋଇଥିବା ଦେଖିବାକୁ ମିଳିଥିଲା । ଏଠାରେ କିଛି ଲୋକ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରୁଥିଲେ ହେଁ ବିଏମସି କର୍ମଚାରୀଙ୍କୁ ଦେଖି ସେମାନେ ଫେରାର୍ ହୋଇଯାଇଥିଲେ । ଫଳରେ ବିଏମସି କର୍ମଚାରୀମାନେ ବେଆଇନ୍ ପାର୍କିଂ ଫି’ ଆଦାୟକାରୀଙ୍କୁ ଧରି ପାରିନଥିଲେ । ଆଗାମୀ ଦିନରେ ଏହିପରି ଚଢ଼ଉ ଜାରି ରହିବା ସହ ବେଆଇନ ପାର୍କିଂ ଫି’ ଆଦାୟକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍ସି ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର କହିଛନ୍ତି ।


