ବେଜିଂରେ ଉଠିଲା ମାସୁଦ୍ ଆଝାର ପ୍ରସଙ୍ଗ

ବେଜିଂ(ଏଜେନ୍ସି): ଆତଙ୍କବାଦୀ ମାସୁଦ୍ ଆଝାରକୁ କଳା ତାଲିକାଭୁକ୍ତ କରିବା ପ୍ରସଙ୍ଗରେ ଚୀନ୍ ସହ ଭାରତ ଆଲୋଚନା କରିଛି । ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବୈଦେଶିକ ସଚିବ ବିଜୟ ଗୋଖଲେ ସୋମବାର ଚୀନ୍ ଜାତୀୟ ପରିଷଦ ମୁଖ୍ୟ ତଥା ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟିଙ୍କୁ ଭେଟି ନୂଆଦିଲ୍ଲୀର ଏହି ପ୍ରସଙ୍ଗକୁ ବେଜିଂ ଗୁରୁତ୍ୱ ଦେବା ଦରକାର ବୋଲି ପ୍ରଥମେ ସ୍ପଷ୍ଟ କରିଥିଲେ । ଏହି ବୈଠକରେ ସାମିଲ ହୋଇଥିବା ଚୀନ୍ ଷ୍ଟେଟ୍ କାଉନସିଲରଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ଭେଟି ଗୋଖଲେ ଭାରତର ଦାବି ଜଣାଇଛନ୍ତି । ସୂଚନାଯୋଗ୍ୟ, ଭାରତ ଜୈଶ୍-ଏ-ମହମ୍ମଦ ମୁଖ୍ୟ ମାସୁଦ୍ ଆଝାରକୁ ଜାତିସଂଘର ଅନ୍ତର୍ଜାତୀୟ ଆତଙ୍କବାଦୀ ତାଲିକାରେ ସାମିଲ କରିବାକୁ ପ୍ରୟାସ କରୁଥିବା ବେଳେ ପ୍ରାୟ ସମସ୍ତ ରାଷ୍ଟ୍ର ଏହାକୁ ସମର୍ଥନ ଜଣାଇ ଆସୁଛନ୍ତି । କିନ୍ତୁ ଚୀନ୍ ନିଜର ସ୍ୱତନ୍ତ୍ର ଭିଟୋ କ୍ଷମତା ପ୍ରୟୋଗ କରି ଆଝାରକୁ ବଞ୍ଚାଇବା ପାଇଁ ପ୍ରୟାସ କରିଆସୁଛି । ଚୀନ୍ର ଏଭଳି ପ୍ରତିରୋଧ ପରେ ଗତମାସ ଆମେରିକା ଜାତିସଂଘରେ ନିଜ ଆଡୁ ଏକ ପ୍ରସ୍ତାବ ଆଣି ଆଝାରକୁ ଆତଙ୍କବାଦୀ ଘୋଷଣା କରିବା ପାଇଁ ଯୋଜନା କରିଛି । ଏମିତିକି ଆତଙ୍କବାଦୀ ମାସୁଦ୍କୁ ସମର୍ଥନ କରୁଥିବାରୁ ଆମେରିକା ମଧ୍ୟ ଚୀନ୍କୁ ସମାଲୋଚନା କରିଛି । ତେବେ ଗୋଖଲେ ପୂର୍ବରୁ ଚୀନ୍ରେ ଅବସ୍ଥାପିତ ଭାରତୀୟ ଦୂତାବାସରେ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟକରିସାରିଥିବାରୁ ଚୀନ୍ ସରକାରଙ୍କୁ ମନାଇବାରେ ସମର୍ଥ ହେବେ ବୋଲି ଭାରତ ଆଶା ରଖିଛି । ମାସୁଦ୍କୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିବା ଲାଗି ଚୀନ୍ ଉପରେ ଆନ୍ତର୍ଜାତିକ ଚାପ ବଢ଼ିବାରେ ଲାଗିଛି । ଭାରତରେ ଆତଙ୍କବାଦୀ କାର୍ଯ୍ୟ ଘଟାଇବା ପଛରେ ମାସୁଦ୍ର ପ୍ରମୁଖ ହାତ ରହିଆସିଛି । ତେଣୁ ମାସୁଦ୍କୁ ଆତଙ୍କବାଦୀ ଘୋଷଣା କରିବା ଲାଗି ଭାରତ ମଧ୍ୟ ଦାବି କରିଆସୁଛି । ଅନ୍ୟପକ୍ଷେ ବେଲ୍ଟ ଆଣ୍ଡ ରୋଡ୍ ଫୋରମ୍କୁ ନେଇ ଚୀନ୍ ଆଗାମୀ ସପ୍ତାହରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ କରିବାକୁ ଯାଉଛି । ଯେଉଁଥିରେ ୩୭ଟି ଦେଶ ସମେତ ୧୦୦ଟି ଅନ୍ତର୍ଜାତୀୟ ସଂସ୍ଥା ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବେଲ୍ଟ ଆଣ୍ଡ ରୋଡ୍ ଫୋରମ୍ ସାରା ବିଶ୍ୱକୁ ଯୋଡ଼ିବା ପାଇଁ ଏକ ଯୋଜନା । ଯେଉଁଥିରେ ଏସିଆ, ଆଫ୍ରିକା, ୟୁରୋପକୁ ଜାତୀୟ ରାଜପଥ, ସମୁଦ୍ର ତଟ ଏବଂ ବନ୍ଦର ମାଧ୍ୟମରେ ଯୋଡ଼ିବାକୁ ଚୀନ୍ ପକ୍ଷରୁ ଯୋଜନା କରାଯାଉଛି । ଏହାକୁ ବିରୋଧ କରିବା ସତ୍ତେ୍ୱ ଭାରତର ବରିଷ୍ଠ କୂଟନୀତିଜ୍ଞ ଏଠାକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ନେଇ ଭାରତ ଏହି ବୈଠକକୁ ଯେକୌଣସି ମୁହୂର୍ତ୍ତରେ ମଧ୍ୟ ବର୍ଜନ କରିପାରେ । ୨ଠ୧୭ରେ ଭାରତ ପକ୍ଷରୁ ଚୀନ୍-ପାକିସ୍ତାନ ଇକୋନୋମିକ କରିଡରକୁ ନେଇ ଆପତ୍ତି ଉଠାଯିବା ପରେ ବେଲ୍ଟ ଆଣ୍ଡ ରୋଡ୍ ଫୋରମ୍ର ପ୍ରଥମ ସଂସ୍କରଣକୁ ବୟକଟ୍ କରାଯାଇଥିଲା । ତେବେ ଗତ ୨ଠତାରିଖରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ଭାରତକୁ ଏହି ବୈଠକରେ ଯୋଗଦେବାକୁ ପୁନଃ ନିମନ୍ତ୍ରଣ କରିଥିଲେ । ଭାରତ ଓ ପାକିସ୍ତାନରେ ଥିବା ବିବାଦୀୟ ସ୍ଥାନରେ ଏହି ବେଲ୍ଟ ଆଣ୍ଡ ରୋଡ୍ ପ୍ରକଳ୍ପ ମୁଣ୍ଡ ପୁରାଇବ ନାହିଁ ବୋଲି ଚୀନ୍ ସ୍ପଷ୍ଟ କରିଥିଲା । ତେଣୁ ଭାରତ ହୁଏତ ଏହି କାର୍ଯ୍ୟକ୍ରମରେ ଯୋଗଦେଇପାରେ ବୋଲି ଅନୁମାନ କରାଯାଉଛି । ତେବେ ମାସୁଦ୍ ପ୍ରସଙ୍ଗରେ ଭାରତ କୌଣସି ଆଶ୍ୱସ୍ତିଜନକ ପ୍ରତିଶ୍ରୁତି ନପାଇବା ଯାଏ ଚୀନ୍ର ଏହି ବେଲ୍ଟ ଆଣ୍ଡ ରୋଡ୍ ଫୋରମ୍ ବୈଠକରେ ଯୋଗଦେବା ନଦେବା ସମ୍ପର୍କରେ ସ୍ପଷ୍ଟ ଦିଆଯାଇପାରିବ ନାହିଁ କୁହାଯାଉଛି । ଚୀନ୍ର ଏହି ଯୋଜନାକୁ ଭାରତ ସମର୍ଥନ ନକଲେ ଚୀନ୍ର ବହୁ ଆଶା ଅଧୁରା ରହିଯିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ