ବେଲଗୁଣ୍ଠାରେ ଚାଲିଛି ଐତିହାସିକ ଠାକୁରାଣୀ ଯାତ୍ରା:ବିପୁଳ ଜନ ସମାଗମ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଞ୍ଜାମ୍ ଜିଲ୍ଲାର ସଂସ୍କୃତି ସମ୍ପନ୍ନ ସହର ବେଲଗୁଣ୍ଠାରେ ଚାଲିଛି ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ । ବାଣ ପଟୁଆରରେ ବେଲଗୁଣ୍ଠା ସହର ଦୁଲୁକୁ ଥିବା ବେଳେ ନଗର ପରିକ୍ରମା ସମୟରେ ବେଶ ପଟୁଆର ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଲକ୍ଷ୍ୟ କରାଯାଇଛି । ପବିତ୍ର ଅକ୍ଷୟ ତୃତୀୟା ଦିନ ମାଁ ବେଲଗୁଣ୍ଠା ଆଗମନ କରିଥିଲେ । ମାଁ ଙ୍କ ବାପଘର କୋଳି ସାହି ତରଫରୁ ମାଁ ଙ୍କ ପ୍ରଥମ ନଗର ପରିକ୍ରମା ପରେ ବର୍ତ୍ତମାନ ମହୋତ୍ସବ କମିଟି ଓ ବିଭିନ୍ନ ସାହି ତରଫରୁ ନଗର୍ ପରିକ୍ରମା ଆରମ୍ଭ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ବାଣକାରଙ୍କ ଆତସବାଜି ପ୍ରଦର୍ଶନ ଏହି ଯାତ୍ରାର ସ୍ୱତନ୍ତ୍ରତା ଥିବା ବେଳେ ବିଭିନ୍ନ ବେଶ,ପଟୁଆର ଶୋଭାଯାତ୍ରାରେ ସହର ଲୋକାରଣ୍ୟ ହୋଇଉଠିଛି । ମାଁ ବ୍ରାହ୍ମଣ ଦେବୀ ଏହି ଅଞ୍ଚଳରେ ପ୍ରତ୍ୟକ୍ଷ ଠାକୁରାଣୀ ହୋଇଥିବାରୁ ମାଁ ଙ୍କ ପାଖରେ ମାନସିକ କରି ଯାହା ମନାସିଲେ ମାଁ ଫଳ ପ୍ରଦାନ କରିଥାନ୍ତି ବୋଲି ଶ୍ରଦ୍ଧାଳୁମାନେ ବିଶ୍ୱାସ ରହିଛି । ପ୍ରତି ଦୁଇ ବର୍ଷରେ ଥରେ ଏହି ଯାତ୍ରା ହେଉଥିବାରୁ ବେଲଗୁଣ୍ଠା ସହରବାସୀ ମାଁ ଙ୍କ ଅଗମନକୁ ଉତ୍କଣ୍ଠାର ସହିତ ଚାହିଁ ରହିଥାନ୍ତି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଠାକୁରାଣୀ ଯାତ୍ରା ସମୟରେ ଘଟ ପରିକ୍ରମା ହେଉଥିବା ବେଳେ ଏହି ଯାତ୍ରାର ବିଶେଷତ୍ବ ଭାବେ ମାଁ ବ୍ରାହ୍ମଣ ଦେବୀ ସିଂହବାହିନୀ ବେଶରେ ନଗର ପରିକ୍ରମା କରିଥାନ୍ତି ଯାହାକି ଏହା ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ଆଗାମୀ ଦିନରେ ଶ୍ରଦ୍ଧାଳୁଙ୍କ ସମାଗମ ବୃଦ୍ଧି ପାଇବା ସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ,ବାଣ ପଟୁଆର ରହିଥିବା ଜଣାପଡିଛି ।ଚଳିତ ମାସ ୩୦ ରେ ମାଁ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି ।ବେଲଗୁଣ୍ଠା ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିବା ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ସଭାପତିତ୍ବରେ ଯାତ୍ରା କାର୍ଯ୍ୟକ୍ରମ ଆଗେଇ ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ