ବେଲଗୁଣ୍ଠାରେ ଭ୍ରାମ୍ୟମାଣ ଶ୍ରବଣ ପରୀକ୍ଷା ଭ୍ୟାନ୍ କୁ ସ୍ୱାଗତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ସ୍ଵେଚ୍ଛାସେବୀ ଅନୁ୍ଷ୍ଠାନ ଆଇନା ସହାୟତାରେ ଆରମ୍ଭ ହୋଇଥିବା ଭ୍ରାମ୍ୟମାଣ ଶ୍ରବଣ ପରୀକ୍ଷା ଭ୍ୟାନ୍ କୁ ଆଜି ବେଲଗୁଣ୍ଠା ଠାରେ ସ୍ୱାଗତ କରାଯାଇଛି I ଗତ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଠାରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ ଏହି ଭ୍ରାମ୍ୟମାଣ ଶ୍ରବଣ ପରୀକ୍ଷା ଭ୍ୟାନ୍ କୁ ଉଦ୍ଘାଟନ କରିଥିଲେ I ଏହି ଭ୍ୟାନ୍ ଜରିଆରେ ବେଲଗୁଣ୍ଠା ବ୍ଳକ୍, ଏନ୍ଏସି ଏବଂ ଭଞ୍ଜନଗର ବ୍ଳକ୍, ଏନ୍ଏସିର ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିମାନଙ୍କର ବିଭିନ୍ନ ପରୀକ୍ଷା ନୀରିକ୍ଷା କରି ତାର ଦୂରୀକରଣ କରିବା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଆଇନା ତରଫରୁ ପ୍ରକାଶ କରାଯାଇଛି I ଆଜି ଦିନ ବାର ଘଣ୍ଟା ତିରିଶି ମିନଟ୍ ସମୟରେ ବେଲଗୁଣ୍ଠା ଠାରେ ଏହା ପହଞ୍ଚିବା ପରେ ଏହାକୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା I ବେଲଗୁଣ୍ଠା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗୃହ ସମ୍ମୁଖରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହାର କାର୍ଯ୍ୟକାରିତା ଏବଂ ଏହା ଦ୍ୱାରା ଲୋକେ କିପରି ଲାଭବାନ୍ ହୋଇପାରିବେ ଏନେଇ ଆଇନା ତରଫରୁ ଜନସାଧାରଣଙ୍କୁ ବିସ୍ତୃତଭାବେ ବୁଝାଯାଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ ,ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,କାଉନସିଲର୍ ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାସ,ସୀମାଞ୍ଚଳ ସାମଲ, ପ୍ରଦୀପ ସେଠୀ,ଦିଲ୍ଲୀପ ଆଚାରୀ, କାଉନସିଲର୍ ପ୍ରତିନିଧି ଟୁଟୁ ସୁବୁଦ୍ଧି, ରୋଟାରୀ କ୍ଲବ୍ ଉପପ୍ରାନ୍ତପାଳ ଭି ଦେବୀ ପ୍ରସାଦ ପାତ୍ର, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଅଭିମନ୍ୟୁ ପଟ୍ଟନାୟକ,ଉପସଭାପତି କୈଳାସ ପାତ୍ର, ସମ୍ପାଦକ ବିଜୟ ସାମଲ୍, କୋଷାଧ୍ୟକ୍ଷ ଅଶୋକ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ I ଆଜି ୩୦ ଜଣ ଶ୍ରବଣ ବାଧିତ ରୋଗୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଶ୍ରବଣ ଶକ୍ତି ପରୀକ୍ଷା କରାଯାଇଥିଲା I ଆଗାମୀ ଦିନରେ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ୧୮ ଟି ପଂଚାୟତ ଏବଂ ଏନ୍ଏସିର ତେରଟି ୱାର୍ଡ୍ ର ବିଭିନ୍ନ ଗ୍ରାମକୁ ଯାଇ ଶ୍ରବଣ ଦୋଷ ଥିବା ବୃଦ୍ଧ,ବୃଦ୍ଧା, ଅସହାୟ ବ୍ୟକ୍ତି, ଦିବ୍ୟାଙ୍ଗ ମାନଙ୍କ ଘରକୁ ଯାଇ ସେମାନଙ୍କ ଶ୍ରବଣ ଜନିତ ସମସ୍ୟାର ଚିହ୍ନଟ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଆଇନାର ଜିଲ୍ଳା ସଂଯୋଜକ ଟୁକୁନା ଖଟେଇ ଓ କରୁଣାକର ବାରିକ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ