ବଡ଼ଦିନ-ନୂଆବର୍ଷ ଉପଲକ୍ଷେ ଜ୍ୟୋତି ହସପିଟାଲରେ ସ୍ୱତନ୍ତ୍ର ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା) : ମହାପୁରୁଷ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ ‘ବଡ଼ଦିନ’ ଓ ଇଂରାଜୀ ନୂଆବର୍ଷ ଆଗମନରେ କୁରୁଡ଼ାସ୍ଥିତ ଜ୍ୟୋତି ହସପିଟାଲ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ କେକ କାଟି ଏହି ଉତ୍ସବକୁ ଉଦଘାଟନ କରିଥିଲେ । ସମସ୍ତଙ୍କୁ ବଡ଼ଦିନ ଓ ନୂଆବର୍ଷ ଶୁଭେଚ୍ଛା ଦେବା ସହ ସମସ୍ତଙ୍କ ସୁଖ ଶାନ୍ତି ଓ ଆନନ୍ଦ କାମନା କରିଥିଲେ । ବାଲେଶ୍ୱର ରୋମାନ କ୍ୟାଥୋଲିକ ଡାଇଓସିସର ମୁଖ୍ୟ ଫାଦର ଆଇଜାକ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ବଡ଼ଦିନ ଓ ନୂଆବର୍ଷ ଶୁଭେଚ୍ଛା ଜଣାଇଥିଲେ । ପରସ୍ପର ପ୍ରତି ସଦଭାବନା ଓ ସମ୍ବେଦନଶୀଳତା ପ୍ରଦର୍ଶନରେ ହିଁ ପ୍ରଭୁ ଯୀଶୁଙ୍କ ଆଶିଷ ମିଳିଥାଏ ବୋଲି ସେ କହିଥିଲେ । ଜ୍ୟୋତି ହସପିଟାଲର ପ୍ରତିଷ୍ଠାତା ବିଶଫ ଥୋମାସ ଥିରୁଥାଲ୍ଲିଲ ଏଥିରେ ଯୋଗଦେଇ ମାନବ ସମାଜ ପ୍ରତି ପ୍ରଭୁ ଯୀଶୁଙ୍କ ଆଦର୍ଶ ତଥା ମାନବ ପ୍ରେମ ସମ୍ପର୍କରେ ଆଲୋକପାତ କରିଥିଲେ । ଜ୍ୟୋତି ହସପିଟାଲର ପରିଚାଳନା ନିର୍ଦ୍ଦେଶକ ଫାଦର ପଲ କୁନମ ପରମପଥ ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜ୍ୟୋତି ହସପିଟାଲର ଅଧୀକ୍ଷକ ଡାକ୍ତର ଶ୍ରୀମତୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଡାକ୍ତରଖାନା କର୍ମଚାରୀ ଓ ନର୍ସିଂ ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ।


