ଭରତପୁର ପଂଚାୟତରେ କୋଭିଡ ସ୍ୱାବ ପରୀକ୍ଷା ଶିବିର;୬ପଜିଟିଭ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତରେ ରବିବାର କୋଭିଡ ସ୍ୱାବ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପଂଚାୟତର ଭରତପୁର ପ୍ରାଥମିକ ବିଦ୍ୟାଳୟ, ମେହେନ୍ଦିପୁରସ୍ଥିତ ଲାଲବାହାଦୁର ନୋଡାଲ ଉଚ୍ଚ ଶିକ୍ଷାଶ୍ରମ ଓ ଜଗନ୍ନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭଳି ୩ଟି ସ୍ଥାନରେ ସରପଂଚ ଜୀନତ ପ୍ରିୟଦର୍ଶିନୀ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଶିବିରର ଆୟୋଜନ କରାଯାଇଥିଲା । ସେଥି ମଧ୍ୟରୁ ଭରତପୁର ପ୍ରାଥମିକ ବିଦ୍ୟାଳୟରେ ୨୪୬ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇଥିବା ବେଳେ ସମସ୍ତ ସ୍ୱାବ ନେଗେଟିଭ ଆସିଥିଲା । ଜଗନ୍ନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ସ୍ୱାବ ପରୀକ୍ଷା ଶିବିରରେ ୨୨୫ଜଣଙ୍କର ସ୍ୱାବ ପରୀକ୍ଷା କରାଯାଇଥିବା ବେଳେ ସବୁ ଗୁଡିକ ନେଗେଟିଭ ଆସିଥିଲା । ସେହିଭଳି ମେହେନ୍ଦିପୁରର ଲାଲବାହାଦୁର ନୋଡାଲ ଉଚ୍ଚ ଶିକ୍ଷାଶ୍ରମରେ ଅନୁଷ୍ଠିତ ସ୍ୱାବ ପରୀକ୍ଷା ଶିବିରରେ ମେହେନ୍ଦିପୁର, ହରିଡାଦଣ୍ଡା, ଦିଆନପାଟଣା, ପାରାଚକ ଓ ଖଣ୍ଡିଆବନ୍ଧି ଗ୍ରାମର ୪୨୪ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୬ଜଣଙ୍କର ପଜିଟିଭ ବାହାରିଥିବା ସରପଂଚ ଶ୍ରୀମତୀ ରାଉତଙ୍କ ଠାରୁ ସୂଚନା ମିଳିଛି । ୬ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୪ଜଣଙ୍କୁ ଛତା କୋଭିଡ ହସପିଟାଲକୁ ପଠାଯାଇଥିବା ସୂଚନା ମିଳିଛି । ଡା.ଖଗେଶ୍ୱର ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ୱାବ ପରୀକ୍ଷା କାର୍ଯ୍ୟକ୍ରମରେ ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଭରତ କୁମାର ସାହୁ,ଭରତପୁର ପଂଚାୟତର ଏ.ଏନ.ଏମ.ଶ୍ରେୟା ସାସ୍ୱତୀ ପ୍ରତାପ,ବଗଡା ପଂଚାୟତର ଏ.ଏନ.ଏମ.ପ୍ରତିଭା ବେହେରା ପ୍ରମୁଖ ଯୋଗଦେଇ ଲୋକମାନଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା କରିଥିଲେ । ଯୁବନେତା ଶାରଦା ପ୍ରସାଦ ରାଉତ, ପୂର୍ବତନ ସରପଂଚ ପ୍ରସନ୍ନ କୁମାର ମଲ୍ଲିକ, ଶକ୍ତିକାନ୍ତ ମହାନ୍ତି, ଶ୍ରୀଧର ମହାନ୍ତି, ସୁବୋଧ କୁମାର ଦାସ, ଶିବପ୍ରସାଦ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।