‘ଭାବସମୁଦ୍ର’ କବିତା ସଂକଳନ ଲୋକାର୍ପିତ

ବାଲେଶ୍ୱର : ଭାବଭକ୍ତିର ସମାହାରରେ ନାରୀକବି ପ୍ରଣତୀ ମହାପାତ୍ରଙ୍କର ପ୍ରଥମ କବିତା ସଂକଳନ ‘ଭାବସମୁଦ୍ର’ର ଶୁଭ ଲୋକାର୍ପଣ ଉତ୍ସବ ବାଣୀପୁତ୍ର ଲଲାଟେନ୍ଦୁ କବିଙ୍କ ସଭାପତିତ୍ୱରେ ମିଶନ ପ୍ରାଇମେରୀ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ୧୫୦୦ ମସିହାରେ ବଳରାମ ଦାସଙ୍କ ରଚିତ ହୋଇଥିବା ପୁସ୍ତକ “ଭାବସମୁଦ୍ର”ର ନାମକୁ ପ୍ରଣତି ମହାପାତ୍ର ତାଙ୍କର କବିତା ସଂକଳନରେ ଦ୍ୱିତୀୟ ଥର ପାଇଁ ବ୍ୟବହାର କରିଛନ୍ତି । ‘ଭାବସମୁଦ୍ର’ ନାମକୁ ସେହିଭଳି ଭାବରସାତ୍ମକ ଓ ହୃଦୟସ୍ପର୍ଶୀ ଶବ୍ଦମାଳାରେ ଗୁନ୍ଥି ଏକ ଅପୂର୍ବ ସିହରଣ ସୃଷ୍ଟି କରିଛନ୍ତି ବୋଲି ଉକ୍ତ ସଂକଳନର ସମାଲୋଚକ ତଥା ସମୀକ୍ଷକ ପଣ୍ଡିତ ନିରଞ୍ଜନ ସାହୁ ମତବ୍ୟକ୍ତ କରିଛନ୍ତି । ମୁଖ୍ୟ ଅତିଥି ସମାଜସେବୀ ସୁବାସିନୀ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପ୍ରଣତି ମହାପାତ୍ର ଏକ ଅନନ୍ୟ କବୟିତ୍ରୀ ଓ ଗାୟିକା । ତାଙ୍କ କବିତା ଓ କଣ୍ଠର ଯାଦୁରେ ଏ ଭାବ ସମୁଦ୍ର ସଂକଳନରେ ସମସ୍ତଙ୍କୁ ବାନ୍ଧିରଖି ଏକ ଭାବାବେଗମୟ ପରିବେଶ ସୃଷ୍ଟି କରିପାରିଛନ୍ତି । ମୁଖ୍ୟବକ୍ତା ଭାବରେ ମହାଗୁରୁ ସୋମନାଥ ରାଜଗୁରୁ (ବାଲି ଖେଳୁଥିଲେ ନନ୍ଦ ସୁତ କଳା କହ୍ନେର ରଚୟତା ତଥା ଅରବିନ୍ଦ ମୁଦୁଲିଙ୍କ ଗୁରୁ) ଯୋଗଦେଇଥିବା ବେଳେ ବରେଣ୍ୟ ଅତିଥି ଭାବରେ ଡ. ଭାଗବତ ପ୍ରସାଦ ଦାସ ଯୋଗଦେଇ ମଞ୍ଚ ପରିଚାଳନା କରି ନାରୀକବିଙ୍କର ଭାବ ସମୁଦ୍ର ସହ ଭାବନା ମହତ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଶୁଭ ଚିନ୍ତକ ଶିଳ୍ପୀ କେଶୁ ଦାସ ତାଙ୍କୁ ବହୁ ପ୍ରଶଂସା ସହ ଶ୍ରୀମତୀ ମହାପାତ୍ର ପ୍ରେମ ପ୍ରଣତିର ଏକ ଶତତମ ସିରିଜ୍ ଲେଖିବାରେ ସଫଳ କବୟିତ୍ରୀ ବୋଲି କହିଛନ୍ତି । ସମ୍ମାନୀତ ଅତିଥି ଭାବେ ସୂର୍ଯ୍ୟେଦୟ ଇପତ୍ରିକାର ସଂପାଦକ ମନୋଜ ପଣ୍ଡା, ଜୟନ୍ତ କୁମାର ପାଣିଗ୍ରାହୀ, ପ୍ରକାଶକ କମଲ ଦାସ ପ୍ରମୁଖ ଯୋଗଦେଇଥିବାବେଳେ କବି ସନ୍ନ୍ୟାସୀ ପାତ୍ର ମଞ୍ଚ ଆହ୍ୱାନ କରିଥିଲେ । ମହାଗୁରୁ ସୋମନାଥ ରାଜଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ୫ଟି ଜିଲ୍ଲାରୁ ଆସିଥିବା ଅନ୍ୟ ଅନ୍ୟ ପାଞ୍ଚଜଣ ପ୍ରତିଭାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କାର୍ଯ୍ୟକୁ ପ୍ରକାଶିକା ପ୍ରଣତି ମହାପାତ୍ର ସୂଚାରୁ ରୂପେ ପରିଚାଳନା କରିଥିଲେ । ଦ୍ୱିତୀୟ ଅଧିବେଶନରେ ସୂର୍ଯ୍ୟେଦୟ ଇପତ୍ରିକା ଦ୍ୱାରା କବି ସନ୍ନ୍ୟାସୀପାତ୍ର, ସଂପାଦକ ସର୍ବେଶ୍ୱରଜେନା, ପ୍ରଭାକର ସାହୁ, ଓ ରୁକ୍ମଣୀ ସାହୁଙ୍କ ତତ୍ୱାବଧାନରେ ଏକ କବିତା ପାଠତ୍ସୋବ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୨୦ରୁ ଉଦ୍ଧ୍ୱର୍ କବି ଓ କବୟିତ୍ରୀ କବିତା ପାଠ କରିଥିଲେ । ସୂର୍ଯ୍ୟେଦୟ ସାରସ୍ୱତ ପ୍ରତିଭା ପରିବାର ତରଫରୁ ‘ପ୍ରତିଭା ସ୍ୱୀକୃତି ସୃଜନୀ ପତ୍ର’ ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବହୁ ସାରସ୍ୱତ ସାଧକ, ସାଧିକା ଯୋଗଦାନ କରିଥିଲେ । ପରିଶେଷରେ ସମୟ ଚକ୍ରର ସମ୍ପାଦକ ସର୍ବେଶ୍ୱର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ