ଭାରତୀୟ ସେନାର ୫ ମହିଳା ଅଧିକାରୀଙ୍କୁ ମିଳିଲା କର୍ଣ୍ଣେଲ ପଦବୀ
ନୂଆଦିଲ୍ଲୀ, (ୱାଇଏନ୍ଏସ୍ ): ୨୬ ବର୍ଷର ନିରବଚ୍ଛିନ୍ନ ସେବା ପରେ ଭାରତୀୟ ସେନାର ଚୟନ ବୋର୍ଡ ପାଂଚ ଜଣ ମହିଳା ଅଧିକାରୀଙ୍କୁ କର୍ଣ୍ଣେଲ ପଦବୀକୁ ପଦୋନ୍ନତି ଦେବାପାଇଁ ନିଷ୍ପତ୍ତି ନେଇଛି । ପ୍ରଥମ ଥର ନିମନ୍ତେ ସେନା ସିଗନାଲ କୋର, ଇଲେକ୍ଟ୍ରୋନିକ ଏବଂ ମେକାନିକାଲ ଇଞ୍ଜିନିୟରିଂ କୋର ଓ ଇଞ୍ଜିନିୟରିଂ କୋରରେ ଯୋଗଦେଇଥିବା ମହିଳା ଅଧିକାରୀମାନେ କର୍ଣ୍ଣେଲ ପଦବୀକୁ ପଦୋନ୍ନତି ପାଇଛନ୍ତି । ପୂର୍ବରୁ ମହିଳା ଅଧିକାରୀଙ୍କୁ କର୍ଣ୍ଣେଲ ପଦବୀକୁ ପଦୋନ୍ନତି କେବଳ ଆର୍ମି ମେଡିକାଲ କୋର, ଜଜ ଆଡଭୋକେଟ ଜେନେରାଲ ଏବଂ ଆର୍ମି ଏଜୁକେସନ କୋର ପାଇଁ ମିଳୁଥିଲା ।
କର୍ଣ୍ଣେଲ ପଦବୀକୁ ପଦୋନ୍ନତି ପାଇଥିବା ପାଞ୍ଚ ଜଣ ମହିଳା ଅଧିକାରୀ ହେଲେ କୋର ଅଫ ସିଗନାଲର ଲେଫ୍ଟନାଣ୍ଟ କର୍ଣ୍ଣେଲ ସଙ୍ଗୀତା ସାର୍ଦ୍ଦନା, କୋର ଅଫ ଇଏମଇର ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋନିଆ ଆନନ୍ଦ ଓ ଲେଫ୍ଟନାଣ୍ଟ କର୍ଣ୍ଣେଲ ନବନୀତ ଡୁଗଲ, କୋର ଅଫ ଇଞ୍ଜିନିୟରର୍ସରୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ରୀନୁ ଖାନ୍ନା ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ରୀଚା ସାଗର ।