ଭୂଦାନ ଆନ୍ଦୋଳନର ଏନ୍ତୁଡ଼ିଶାଳ ଗୋପାଲବାଡ଼ି ବର୍ତ୍ତମାନ୍ ଜରାଜୀର୍ଣ୍ଣ
ରାୟଗଡା,(ଦୁର୍ଗା ପ୍ରସାଦ ପାଢ଼ୀ): କୁଟି ଖାଅ, କାଟି ପିନ୍ଧ ମହାତ୍ମାଗାନ୍ଧୀଙ୍କ ଏହି ଆହ୍ବାନକୁ ବଣ, ପାହାଡ ଘେରା ରାୟଗଡାରେ ପହଞ୍ଚାଇଥିଲେ ବିନୋବା ଭାବେ। ଚରଖା ଚଲାଇ ଭୂଦାନ, ଗ୍ରାମଦାନ ଆନ୍ଦୋଳନର ମୂଳଦୁଆ ପକାଇଥିଲେ ଐତିହାସିକ ସ୍ବାଧୀନତା ସ୍ମାରକୀ ଗୋପାଲବାତିରୁ ଗ୍ରାମ ସ୍ବରାଜ ଆନ୍ଦୋଳନ ସହିତ ଗୋପାଳନ, ଚରଖା ଚଲାଇବା, ଚାଷ କରି ଆଦିବାସୀଙ୍କୁ ସ୍ବାବଲମ୍ବୀ କରିବା ଭଳି ବହୁ ଐତିହାସିକ ଘଟଣାର ମୂକସାକ୍ଷୀ ଏହି ଗୌରବମୟ ଅନୁଷ୍ଠାନ ଏବେ ଲୁପ୍ତପ୍ରାୟ ଅବସ୍ଥାରେ। ପଚାଶ ଦଶକରେ ବଣ, ପାହାଡର ମୂଲକ ରାୟଗତାରୁ ସାରା ବିଶ୍ଵକୁ ଭୂଦାନ, ଗ୍ରାମ ସ୍ଵରାଜ ଆନ୍ଦୋଳନର ଦିଗଦର୍ଶନ ଦେଖାଇଥିବା ଏକ ମାତ୍ର ଐତିହାସିକ ସ୍ମାରକୀ ସମୟକ୍ରମେ ଇତିହାସ ପାଲଟିବାକୁ ଯାଉଛି। ଯାହାର ସୁରକ୍ଷା ପାଇଁ ନା’ ଅଛି ରାଜ୍ୟ ସରକାରଙ୍କ ତତ୍ପରତା ନା’ ଏହାର ଗୁରୁତ୍ବ ବୁଝିଛି ଜିଲ୍ଲା ପ୍ରଶାସନା ଫଳରେ ୨୬ ଏକର ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଭୂଦାନ ଆନ୍ଦୋଳନର ଏନ୍ତୁଡ଼ିଶାଳ ଗୋପାଲବାଡିର ଭୂତକୋଠି ପାଳଟିବାକୁ ଯାଉଛି,
କୋଲନରା ବ୍ଳକର କେଉଟଗୁଡା ଗାଁ ପ୍ରସାଦଙ୍କ ନିକଟରେ ରହିଛି ଗୋପାଳବାଡି ୧୯୫୫ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଭୂଦାନ, ଗ୍ରାମଦାନ ଆନ୍ଦୋଳନର ନେତୃତ୍ବ ନେବାକୁ ଆସିଥିଲେ ବିନୋବା ଭାବେ, ରାୟଗଡା ଉପଖଣ୍ଡରେ ବିନୋବା ପହଞ୍ଚିବା ପରେ ଓଡ଼ିଶାର ଦ୍ବିତୀୟ ଗ୍ରାମଦାନ ତାଲିକାରେ ରାୟଗଡାର ଗୋବରପଲ୍ଲୀ ଗ୍ରାମ ସାମିଲ୍ ହୋଇଥିଲା, ଆନ୍ଦୋଳନକୁ ଜୋରଦାର୍ କରିବା ପାଇଁ ବିନୋବା ଗୋବରପଲ୍ଲୀ ଗ୍ରାମରୁ ଥେରୁବାଲି ପର୍ଯ୍ୟନ୍ତ ପଦଯାତ୍ରା କରିବା ସହ ଦୁଇ ଦିନ କାଟିଥିଲେ । ଭୂମିହୀନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ପରିବର୍ତନ ଆଣିବା ପାଇଁ ବିନୋବା ଦେଇଥିବା ଆହ୍ବାନକ୍ରମେ ବହୁ ଜମିଦାର ନିଜ ଜମିକୁ ଦାନ କରିଥିଲେ। ଫଳସ୍ବରୂପ ପୂର୍ବରୁ ଏକ ଛୋଟିଆ କୁଟୀର ଥିବା ଗୋପାଲବାଡିର ପରିଧି ୧୯୫୬ ମସିହାରେ ଶହେ ଏକରକୁ ବୃଦ୍ଧି ପାଇଥିଲା। ନିଜ ରହଣି ସମୟରେ ବିନୋବା ଆଖାପାଖ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ପୁରୁଷ ଓ ମହିଳା ନିବସ୍ତ୍ର ଭାବେ ବୁଲୁଥିବା ଦେଖିବା ପରେ ନିଜେ ଚରଖା ଚଲାଇ ସୂତା କାଟିବା ସହ ଆଦିବାସୀଙ୍କୁ ଚରଖା ଚଲାଇବା ଶିଖାଇ ସୂତା କାଟି ଲୁଗା ବୁଣି ପିନ୍ଧିବାକୁ ପରାମର୍ଶ ଦେଇଥିଲେ, ବିନୋବାଙ୍କ ଆହ୍ବାନରେ ଭୂଦାନ ଆନ୍ଦୋଳନ ଜୋର୍ ଧରିବା ପରେ ଭାରତର ପ୍ରଥମ ରାଷ୍ଟ୍ରପତି ଡାକ୍ତର ରାଜେନ୍ଦ୍ର ପ୍ରସାଦ ରାୟଗଡାରେ ଏବଂ ସମାଜବାଦୀ ନେତା ଜୟ ପ୍ରକାଶ ନାରାୟଣ ଗୁଣପୁରରେ ପହଞ୍ଚି ବିନୋବାଙ୍କୁ ସାକ୍ଷାତ କରିଥିଲେ, ଯାହା ଭୂଦାନ, ଗ୍ରାମ ସ୍ବରାଜ ଆନ୍ଦୋଳନକୁ ଆଉ ଦୁଇ ପାଦ ଆଗକୁ ନେଇଥିଲା, ରାଷ୍ଟ୍ରପତି ରାଜେନ୍ଦ୍ର ସମେତ
ରମା ନାରୀମାଳତି ଦେବୀ, ଜାଗରଣ ଆନ୍ଦୋଳନର ନେତ୍ରୀ
ଅନ୍ନପୂର୍ଣ୍ଣା ମହାରଣା, କୋରାପୁଟିଆ ଗାନ୍ଧୀଙ୍କ ସମେତ ବହୁ ଗାନ୍ଧିବାଦୀ ନେତା ଗୋପାଲବାଡ଼ିରେ ରାତି କଟାଇବା ସହ ଆନ୍ଦୋଳନର ନେତୃତ୍ବ ନେଇଛନ୍ତି ପରବର୍ତୀ ସମୟରେ ଗୋପାଳବାତିର ପରିଚାଳନା ଦାୟିତ୍ବ ଅଖିଳ ଭାରତ ସର୍ବ ସେବା ସଂଘ ନେବା ପରେ ୧୯୫୯ ମସିହାରେ କେନ୍ଦ୍ର ସରକାର ଏହାର ଉନ୍ନତୀକରଣ ପାଇଁ ୯୪ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରି ମହାରାଷ୍ଟ୍ରର ଆନ୍ନା ସାହେବ ସହସ୍ରବୁଦ୍ଧେଙ୍କୁ ଏହାର ଦାୟିତ୍ଵ ହସ୍ତାନ୍ତର କରିଥିଲେ, ଯାହା ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡା, କୋରାପୁଟ, ମାଲକାନଗିରି, ନବରଂଗପୁରରେ ଆଦିବାସୀଙ୍କ ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିବା ଦିଗରେ ସହାୟକ ହୋଇଥିଲା, ଅନୁଦାନ ଆସିବା ପରେ ଗୋପାଲବାଡିରେ ଗୋପାଳନ କେନ୍ଦ୍ର ସହିତ ଚାଷ ପାଇଁ କୂଅ, ପୋଖରୀ ଖୋଳିବା, ଚାଷ ଜମିକୁ ନାଳ ନିର୍ମାଣ, ଚରଖା ଚଲାଇ ସୂତା କାଟିବା ଶିକ୍ଷା ପ୍ରଦାନ ଦିଗରେ କାମ ଆରମ୍ଭ ହୋଇଥିଲା, ସୂତା କାଟିବା ଶିକ୍ଷା ପ୍ରଦାନ ପାଇଁ
ଚରଖା ନିର୍ମାଣ କରାଯାଇ ହସ୍ତତନ୍ତ୍ର ଉପରେ ତାଲିମ୍ ପ୍ରଦାନ କରାଯାଇଥିଲା, ଯାହା ରକ୍ଷଣାବେକ୍ଷଣା ଅଭାବରୁ ଏବେ ଉଈ ଖାଇ ଗଲାଣି,
ସ୍ବାଧୀନତାର ବହୁ ସ୍ମାରକୀ ବହନ କରୁଥିବା ଚରଖାକୁ ବର୍ତମାନ ଗୋଟିଏ ଜରାଜୀର୍ଣ୍ଣ ଘରେ ତାଲା ପକାଇ ରଖାଯାଇଛି, ଆଦିବାସୀଙ୍କୁ ଶିକ୍ଷିତ ବିଶେଷ କରି ବାଳିକା ଶିକ୍ଷାକୁ ଗୁରୁତ୍ବ ଦିଆଯାଇ ୧୯୬୪ ମସିହାରେ ଆରମ୍ଭ ହୋଇଥିଲା ସ୍ବରାଜ ବିଦ୍ୟାଳୟା ଦୀର୍ଘବର୍ଷର କଷ୍ଟଲବ୍ଧ ସମୟ ଅତିକ୍ରାନ୍ତ କରିବା ପରେ ୧୯୯୭ମସିହାରେ ଉତ୍କଳ ଖଦି ମଣ୍ଡଳ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା, ତେବେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ସମୟରେ କେନ୍ଦ୍ର ସରକାର ଗୋପାଲବାଡିର ଉନ୍ନତୀକରଣ ପାଇଁ ପ୍ରଦାନ କରିଥିବା ଅନୁଦାନର ହିସାବ ମାଗିଥିଲେ। ଏହା ପରଠାରୁ ଆଉ ଅନୁଦାନ ନ ଆସିବା ଯୋଗୁଁ ୧୯୭୦ ମସିହାରେ ଏହି ଅନୁଷ୍ଠାନ ବନ୍ଦ ହୋଇଯିବା ସହ ଉତ୍କଳ ଖଦି ମଣ୍ଡଳକୁ ହସ୍ତାନ୍ତର ହୋଇଥିଲା | ଶହେ ଏକର ଜମି ମଧ୍ୟରୁ ରାୟଗତା-କୋରାପୁଟ ରେଳପଥ ନିର୍ମାଣ ସମୟରେ ବହୁ ଜମିକୁ ସରକାର ନେଇଯିବା ପରେ ବର୍ତମାନ ୨୯ ଏକର ଜାଗାରେ ସୀମିତ ରହିଛି ଗୋପାଳବାଡି ବର୍ତମାନ ଉତ୍କଳ ଖଦି ମଣ୍ଡଳ ଅଧୀନରେ ଥିବା ଏହି ଐତିହାସିକ ସ୍ମାରକୀ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ଚରଖା ଘର, ଜାଫ୍ରି ଘର, ସେବାଶ୍ରମ, ହଷ୍ଟେଲ୍, ଗୋଶାଳା ସମେତ ନିର୍ମିତ ବହୁ ଘର ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିବାକୁ ବସିଲାଣି। ରାଜ୍ୟ ସରକାର ଏହି ଐତିହାସିକ ସ୍ମାରକୀର ସ୍ମୃତି ରକ୍ଷା ଦିଗରେ ଧ୍ୟାନ ଦେଉନଥିବାକୁ ନେଇ ଖଦି ବୋର୍ଡ କର୍ତ୍ତୃପକ୍ଷଙ୍କ ସମେତ ବହୁ ଗାନ୍ଧୀବାଦୀ ନେତା ଅସଂତୋଷ ପ୍ରକାଶ କରିଛନ୍ତି, ତେବେ ଆଶ୍ଚର୍ଯ୍ୟର କଥା, ସାରା ବିଶ୍ୱକୁ ଭୂଦାନ ଆନ୍ଦୋଳନର ଦିଗଦର୍ଶନ ଦେଇଥିବା ଗୋପାଳବାଡିକୁ ସରକାର ଜାଣିଶୁଣି ଅଣଦେଖା କରିବା।


