ଭୋକିଲା ମାଙ୍କଡଙ୍କୁ ଖାଦ୍ୟ ବାଣ୍ଟିଲେ ପରିବାର ଲୋକେ
ହାଟଡ଼ିହି,(ସୋମ୍ୟରଞ୍ଜନ ଆଚାର୍ଯ୍ୟ ):ଏବେ ପଶୁ ପକ୍ଷୀମାନେ କରୋନା ଲକଡାଉନ ଯୋଗୁଁ ଖାଇବାକୁ ପାଉ ନଥିବାବେଳେ ଆଜି ହାଟଡିହି ବ୍ଲକ ମୋଟରାଗଡିଆ ଗ୍ରାମର ଏକ ପରିବାର ଗଡଚଣ୍ଡୀ ପୀଠରେ ଶହଶହ ମାଙ୍କଡଙ୍ଗୁ ଖାଦ୍ୟ ବଣ୍ଟନ କରିଛନ୍ତି । କରୋନା ପାଇଁ ଆଜକୁ ୬ଦିନ ହେଲା ଲକଡାଉନ ଘୋଷଣା ହେବାପରେ ହାଟଡିହି ବ୍ଲକର ଗଡଚଣ୍ଡୀ ପୀଠଟି ନୀରବ ନିସ୍ତବ୍ଦ ପାଲଟି ଯାଇଛି । ଦୈନିକ ଏଠାକୁ ଶହଶହ ପର୍ଯ୍ୟଟକ ବୁଲିବାକୁ ଯାଉଥିବାବେଳେ ଏବେ ସବୁଆଡେ ଶୁନଶାନ ହୋଇଯାଇଛି । ଜଣେକି ଶ୍ରଦ୍ଧାଳୁ କି ପର୍ଯ୍ୟଟକ ଏହି ପୀଠକୁ ଯାଉ ନାହାନ୍ତି । ଏଠାରେ ଶହଶହ ମାଙ୍କଡ ରହୁଥିବାବେଳେ ସେମାନେ ସାଧାରଣତଃ ପର୍ଯ୍ୟଟକ ମାନଙ୍କ ଠାରୁ ଖାଦ୍ୟ ଖାଇ ବଞ୍ଚିଥାନ୍ତି । ପର୍ଯ୍ୟଟକ ମାନଙ୍କ ଆଗମନ ବନ୍ଦ ହୋଇଯାଇଥିବାରୁ ସେମାନେ ଭୋକିଲା ହୋଇ ଏଣେତେଣେ ବୁଲୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ହାଟଡିହି ବ୍ଲକ ମଟରାଗଡିଆ ଗ୍ରାମର କୈଳାଶ ନାୟକ, ତାଙ୍କ ଦୁଇପୁଅ ମନୋଜ ନାୟକ ଓ ସରୋଜ ନାୟକ, ବୋହୁ ନିବେଦିତା ପାତ୍ର ପ୍ରମୁଖ ଗଡଚଣ୍ଡୀରେ ପହଞ୍ଚି ଏହି ଭୋକିଲା ମାଙ୍କଡ ମାନଙ୍କୁ ପାଚିଲା କଦଳୀ ଓ ବିସ୍କୁଟ ପ୍ରଦାନ କରିଛନ୍ତି । ଯାହାକି ଏକ ସ୍ୱଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଛି ।