ମନରେଗା କାମ କରି ମିଳୁନି ପ୍ରାପ୍ୟ, ଇଞ୍ଚୋଳ ଗ୍ରାମବାସୀଙ୍କ ବ୍ଲକ ଘେରାଉ

ହାଟଡିହି (ଓ୍ବାଇଏନ୍ଏସ୍) : ଇଞ୍ଚୋଳ ପଞ୍ଚାୟତରେ ମନରେଗା ଯୋଜନାରେ କାମ କରି ପ୍ରାପ୍ୟ ନପାଇବା ପ୍ରତିବାଦରେ ଆଜି ଇଞ୍ଚୋଳ ଗ୍ରାମବାସୀମାନେ ବ୍ଲକ ଘେରାଉ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଗ୍ରାମକୁ ଦୁଇଟି କାମ ଯାଇଥିବାବେଳେ ମହାପାତ୍ର ସାହି ଓ କୁଅମୁଳ ସାହି ଡ୍ରେନ ନିର୍ମାଣ କାର୍ଯ୍ୟ କରାଯାଇଥିଲା । କିଛି ବ୍ୟକ୍ତି କୁଅମୁଳ ଠାରୁ ୟୁପି ସ୍କୁଲ ପର୍ଯ୍ୟନ୍ତ ଡ୍ରେନ କାମ କରି ବିଲ ନେଇ ସାରିଥିବାବେଳେ ମଙ୍ଗଳା ମନ୍ଦିରରୁ ଲାଇବ୍ରେରୀ ପର୍ଯ୍ୟନ୍ତ କାମ କରିଥିବା ଲୋକଙ୍କୁ ଆଜି ପର୍ଯ୍ୟନ୍ତ ବିଲ ପେମେଣ୍ଟ ଦିଆଯାଉ ନାହିଁ । ବାରମ୍ବାର ବ୍ଲକକୁ ଆସି ଫେରୁଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଆଜି ଗ୍ରାମର ଶତାଧିକ ଲୋକ ବ୍ଲକରେ ପହଞ୍ଚି କାମ କରି କାହିଁକି ଆମକୁ ବିଲ ଦିଆଯାଉ ନାହିଁ ସେ ବାବଦରେ ବିଡିଓଙ୍କୁ ପଚାରିବାକୁ ଯାଇଥିବାବେଳେ ବିଡିଓ ତୁରନ୍ତ ବାହାରି ଯାଅ ନଚେତ ପୁଲିସ ଡାକି ଆରେଷ୍ଟ କରିବି ବୋଲି କହିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଖାଲି ଏହି କାମ ନୁହଁ ପଞ୍ଚାୟତରେ ମନରେଗା ଯୋଜନାରେ ମୋ ପୋଖରୀ ଓ ଲ୍ୟାଣ୍ଡ ଡେଭଲପମେଣ୍ଟ କାମ କରାଯିବାକୁ ଥିବାବେଳେ ୱାର୍ଡସଭ୍ୟ ସଭ୍ୟାମାନେ ଗୋଟିଏ ଗୋଟିଏ କାମ ଭାଗକରି ନେଇ ଯାଇଛନ୍ତି । ଅନେକ ଅଯୋଗ୍ୟ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ଥିବାରୁ ସାଧାରଣ ଲୋକମାନେ ଯୋଜନାର ସୁଫଳ ପାଇପାରୁ ନାହାନ୍ତବୋଲି ଶ୍ରୀକାନ୍ତ ରାଉତ, ପର୍ଶୁରାମ ନାୟକ, ଅଭିରାମ ମହାପାତ୍ର, ରବିନ୍ଦ୍ର ମହାପାତ୍ର, ଶରତ ନାୟକ, ରବି ନାୟକ, ଅଜୟ ନାୟକ, ବିଜୟ ନାୟକ, ରମେଶ ସା, ଶଶିକାନ୍ତ ନାୟକ, ବିଦ୍ୟାଧର ପଣ୍ଡା, ରଞ୍ଜିତା ବେହେରା, ଭାନୁମତି ନାୟକ, ଛବିରାଣୀ ବିଶ୍ୱାଳଙ୍କ ସମେତ ଶତାଧିକ ଲୋକ ଅଭିଯୋଗ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏହାକୁନେଇ ବ୍ଲକ ପରିସରରେ ଦୀର୍ଘସମୟ ଧରି ଉତ୍ତେଜନା ଲାଗିରହିଥିବା ବେଳେ ନନ୍ଦିପଦା ଥାନା ଅଧିକାରୀ ପରେଶ ମହାନ୍ତ ପୁଲିସ ଫୋର୍ସ ସହ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ବ୍ଲକ ପରିସରରୁ ହଟାଇଥିଲେ । ଏ ବାବଦରେ କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରେ ସେ କାମର କାର୍ଯ୍ୟାଦେଶ ବାହାରିନି କି ସେ କାର୍ଯ୍ୟର ଲେ ଆଉଟ ଦେଇ ନାହାନ୍ତି ତେଣୁ କିପରି ବିଲ କରିବେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ