ମହାଠକେଇର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସରକାରୀ ଠକେଇ ବଳିଗଲା

ବାଲେଶ୍ୱର : ଅନଧିକୃତ ଜମାରାଶି ସଂଗ୍ରହ ଜନିତ ମହାଠକେଇ ଉପରେ ତଦନ୍ତ ପାଇଁ ନିଯୁକ୍ତ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଶେଷପରେ ସମଗ୍ର ରାଜ୍ୟର ଜମାକାରୀ ଟଙ୍କାଫେରସ୍ତ ପାଇବେ କି ନାହିଁ ଆଶଙ୍କାରେ । ଓଡ଼ିଶା ଭଳି ଆର୍ଥିକ ଅନଗ୍ରସର ରାଜ୍ୟରେ ଅନ୍ୟୁନ ୧୨ଶହ ଠକ ସଂସ୍ଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ ସହାୟତା ନେଇ ସ୍ୱଳ୍ପ ସମୟ ବ୍ୟବଧାନରେ ଅଧିକ ପରିପକ୍ୱ ରାଶି ଦେବାର ପ୍ରତିଶ୍ରୁତି ଦେଇ ଆର୍ଥିକ ଆଇନ କାନୁନ ଜ୍ଞାନ ନଥିବା ଆନୁମାନିକ ୫୦ଲକ୍ଷ ଜମାକାରୀଙ୍କଠାରୁ ଜମାଟଙ୍କା ଆଦାୟ କରି ପରିପକ୍ୱ ରାଶି ନଦେଇ ଚିତାକାଟି ସରକାରୀ ବାହୁଚ୍ଛାୟାତଳେ ଉଭାନ ହୋଇଗଲେ । ଉଭୟ ଓଡ଼ିଶା ସରକାର ଓ ଭାରତ ସରକାର ଏହି ଠକସଂସ୍ଥା ସବୁକୁ ପଞ୍ଜିକରଣ କରାଇ ଜନ୍ମ ଦେଲେ, ସେମାନଙ୍କ ମଧ୍ୟରୁ କେତେକଙ୍କ ସହ ସରକାରୀ ଯୋଜନା ପ୍ରଣୟନରେ ଭାଗିଦାରୀ ଚୁକ୍ତିକରି ସେମାନଙ୍କ ପ୍ରତି ଜନଗଣଙ୍କ ବିଶ୍ୱସନୀୟତା ବୃଦ୍ଧି କରାଇଲେ, ଏହି ଠକ ସଂସ୍ଥାମାନେ ପରିପକ୍ୱ ରାଶି ନଦେଇ ଉଭାନ ହେବା ପରେ ଏହିଭଳି କେତେକ ସଂସ୍ଥାର କାର୍ଯ୍ୟାଳୟ ସିଲ୍ କଲେ ସରକାର, କେତେକ ସଂସ୍ଥାର ମାଲିକ ଅଥବା କର୍ମଚାରୀଙ୍କୁ ଗିରଫ କଲେ ସରକାର, କେତେକ ସଂସ୍ଥାର ସମ୍ପତ୍ତି ଜବତ କଲେ ସରକାର, ତଦନ୍ତ କମିଶନର ନିଯୁକ୍ତି ଦେଲେ ସରକାର, ଜମାଟଙ୍କା ହରାଇ ନିରାଶ ହୋଇଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରାଇବା ପ୍ରତିଶ୍ରୁତି ଦେଲେ ସରକାର, କର୍ପସ ପାଣ୍ଠି ଗଠନ କଲେ ସରକାର, ଓଡ଼ିଶା ଜମାକାରୀ ସ୍ୱାର୍ଥ ରକ୍ଷା ଆଇନ ପ୍ରଣୟନ କଲେ ସରକାର, ଠକ ସଂସ୍ଥାମାନଙ୍‌କ ସମ୍ପତ୍ତିକୁ ଇ-ନିଲାମ ମାଧ୍ୟମରେ ନିଲାମ କରୁଛନ୍ତି ସରକାର, ଟର୍ମସ ଅଫ୍ ରେଫେରେନସ୍‌ରେ ଜମାକାରୀ ଚିହ୍ନଟ ପାଇଁ ତଦନ୍ତ କମିଶନଙ୍କୁ ଦାୟିତ୍ୱ ଦେଲେ ସରକାର, ତଦନ୍ତ କମିଶନ ଜମାକାରୀଙ୍କଠାରୁ ସତ୍ୟପାଠ ଆହ୍ୱାନ କଲେ ଓ ପ୍ରଥମେ କ୍ଷୁଦ୍ର ଜମାକାରୀ (ଯେଉଁମାନଙ୍କ ମୋଟ ଜମାରାଶି ୧୦ହଜାର ଟଙ୍କା ତଳକୁ) ଓ ପରେ ଅନ୍ୟ ଜମାକାରୀ (ଯେଉଁ ଜମାକାରୀ ୧୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଜମାରାଶି ହରାଇଛନ୍ତି) ଚିହ୍ନଟ ପ୍ରକ୍ରିୟା ଆରମ୍ଭ କଲେ ତଦନ୍ତ କମିଶନର, ଏବେ ସରକାର କହିଲେ ସବୁ ଜମାକାରୀ ନୁହେଁ କେବଳ କ୍ଷୁଦ୍ର ଜମାକାରୀ, ପୁଣି ଯେଉଁ କ୍ଷୁଦ୍ର ଜମାକାରୀଙ୍କ ସତ୍ୟପାଠ ଓ ଜମା ପ୍ରମାଣ ଡିଜିଟାଲାଇଜ୍ କରିବା ଦାୟିତ୍ୱ ସରକାର ନିଜ ହାତରେ ରଖି ଜମାକାରୀଙ୍କ ପ୍ରମାଣପତ୍ର ଗୋଦାମଘରେ ଗଦାକରି ନଷ୍ଟ କରାଉଛନ୍ତି ସରକାର । ଯଦି ଜମାକାରୀ ଚିହ୍ନଟ କରିବାର ନଥିଲା, ତାହେଲେ ସତ୍ୟପାଠ ଓ ରେଜିଷ୍ଟ୍ରି ଡାକ ନାମରେ ପୁଣି ଲକ୍ଷ ଲକ୍ଷ ଜମାକାରୀଙ୍କୁ ଠକାଇଲେ କାହିଁକି ସରକାର? ସରକାର ଯଦି ଜମାରାଶି ଫେରସ୍ତ ପାଇଁ ନିଜ ତରଫରୁ ପ୍ରତିଶ୍ରୁତି ଦେଇ ନଥାନ୍ତେ, ତାହେଲେ କ୍ଷତିଗ୍ରସ୍ତ ଜମାକାରୀ ସେତେବେଳେ ଠକ କମ୍ପାନୀ ବା ସଂସ୍ଥା ବିରୁଦ୍ଧରେ ଥାନା, କୋର୍ଟ କଚେରୀ ଯାଇ ନିଜ ଟଙ୍କା ଆଦାୟ ବ୍ୟବସ୍ଥା କରିଥାଆନ୍ତେ । ସରକାରଙ୍କ ପ୍ରତିଶ୍ରୁତିରେ ବିଶ୍ୱାସ କରି ଥାନା, କୋର୍ଟ କଚେରୀ ନଯାଇ ସରକାରଙ୍କ ଉପରେ ବିଶ୍ୱାସ କରି ଅପେକ୍ଷା କଲେ । ଏବେ ଠକ କମ୍ପାନୀ ଓ ଠକ ସଂସ୍ଥାମାନେ ସରକାରୀ କଳକୁ ହାତ କରି ସମସ୍ତ ନାମି ଓ ବେନାମୀ ସମ୍ପତ୍ତି ହଟାଇ ସାରିବା ପରେ, ଏବେ କହିଲେ ୧୦ହଜାର ଟଙ୍କା ଉପରକୁ ଆମେ ବୁଝିବୁ ନାହିଁ । ମାତ୍ର ୧୦ହଜାର ତଳ ପରିମାଣର କ୍ଷତିଗ୍ରସ୍ତଙ୍କୁ ଯେଉଁମାନଙ୍କର ନଥିପତ୍ର ତହସିଲ ମାଧ୍ୟମରେ ଯାଞ୍ଚ କରି ଇଣ୍ଡେମନିଟି ବଣ୍ଡ ନେଇ ମଧ୍ୟ ଟଙ୍କା ଦେଇନାହାନ୍ତି, ଅନେକଙ୍କ ଯାଞ୍ଚ ସାରି ଆଉ ଆଗକୁ ଯାଇନାହାନ୍ତି, ୨୦୧୮ ଡିସେମ୍ବର ଏବଂ ୨୦୧୯ ଜାନୁଆରୀରେ କମିଶନଙ୍କ ବିଜ୍ଞାପନ ମୂଳେ ଯେଉଁମାନେ ସତ୍ୟପାଠ ଦାଖଲ କରିଥିଲେ ସେ ସମସ୍ତ ସତ୍ୟପାଠ ଏ ପର୍ଯ୍ୟନ୍ତ ଡିଜିଟାଲାଇଜ୍ କରାଯାଇନାହିଁ । ଅର୍ଥାତ୍ ସରକାର ଜମାକାରୀମାନଙ୍କୁ ବିଭ୍ରାନ୍ତ କରି ହରିଲୁଟ୍ କଲେ । ଏବେ ତଦନ୍ତ କମିଶନ ୬ଟି ଟର୍ମସ୍ ଅଫ୍ ରେଫରେନ୍ସ ଉପରେ କି କି ସୁପାରିଶ ଦେଇଛନ୍ତି, ତାହା ସରକାର ଗୃହରେ ଉପସ୍ଥାପନ କରିବେ କି ନାହିଁ, ତାହା ଜମାକାରୀଙ୍କୁ ଜଣା ନାହିଁ । ସରକାର କର୍ପସ୍ ପାଣ୍ଠି ଟଙ୍କା ଜମାକାରୀଙ୍କୁ ଦେଲେନାହିଁ । ମାନ୍ୟବର ଓପିଡ଼ା ସ୍ୱତନ୍ତ୍ର କୋର୍ଟଙ୍କ ରାୟରେ ରୋଜଭ୍ୟାଲି, ଗୋଲଡେନ୍ ଲ୍ୟାଣ୍ଡ୍ ସମେତ ୫/୬ଟି କମ୍ପାନୀଠାରୁ ଆଦାୟ ହୋଇଥିବା ଟଙ୍କା ମଧ୍ୟ ସମ୍ପୃକ୍ତ ଜମାକାରୀଙ୍କୁ ଦେଲେନାହିଁ, ସିବିଆଇ କୋର୍ଟ କେତେକ କମ୍ପାନୀ ଉପରେ କରିଥିବା ଜୋରିମାନା ରାଶି ଜମାକାରୀଙ୍କୁ ଦେଲେନାହିଁ । ୨୦୧୯ ଫେବୃଆରୀ ୧୯ରେ ଆର୍ଥିକ ସଂସ୍ଥାମାନଙ୍କଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ ଭୁବନେଶ୍ୱରଠାରେ ଅନୁଷ୍ଠିତ ଜମାକାରୀ ମହାସତ୍ୟାଗ୍ରହର ପ୍ରତିନିଧିଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ଶ୍ୱେତପତ୍ର ମଧ୍ୟ ପ୍ରକାଶ କଲେନାହିଁ ସରକାର । ତେଣୁ ଓଡ଼ିଶା ସରକାରହିଁ ଜମାକାରୀଙ୍କୁ ଲୁଣ୍ଠନର ନୂତନ ଅନୁଷ୍ଠାନରେ ପରିଣତ ହୋଇଛନ୍ତି । ଏହି ପୃଷ୍ଠଭୂମିରେ ନୂଆପଡ଼ା ଜିଲ୍ଲା ସଦର ମହକୁମାରେ ୧୧ ଫେବୃୟାରୀରେ ଜମାକାରୀ ଗଣସତ୍ୟାଗ୍ରହ ଅନୁଷ୍ଠିତ ହେବ ଏବଂ ଭୁବନେଶ୍ୱର ସିଆରପି ଛକ ନିକଟରେ ଥିବା ମଞ୍ଚ କାର୍ଯ୍ୟାଳୟ ନିକଟରେ ଫେବୃଆରୀ ୧୫ ତାରିଖରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର କେନ୍ଦ୍ରୀୟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ତଦନ୍ତ କମିଶନ ଉଚ୍ଛେଦ ପରବର୍ତ୍ତୀ ଆଇନ୍ ଅମାନ୍ୟ ଆନ୍ଦୋଳନ ଓ ଜମାକାରୀମାନଙ୍କୁ ସରକାର ଠକାଇଥିବା ବିଷୟ ନେଇ ଆଇନ୍‌ର ଆଶ୍ରୟ ନେବା ସମ୍ପର୍କରେ ସବିଶେଷ ଆଲୋଚନା ହେବ ବୋଲି ମଞ୍ଚ ସଭାପତି ଜୟନ୍ତ ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ