ମହାଦୁର୍ନୀତିର ମାୟାଜାଲରେ ଓଡିଶା ମାଧ୍ୟମିକ ଶିକ୍ଷାଯୋଜନା
(୧)
ଟେବୁଲ୍ ତଳୁ ଆସି ଦୁର୍ନୀତିର ଦୁର୍ଗନ୍ଧ ବର୍ତମାନ ଆମ ନାକ ତଳେ । ଏବେ ଆମ ନଜରକୁ ଆସିଛି ଓଡିଶା ମାଧ୍ୟମିକ ଶିକ୍ଷାଯୋଜନାକୁ ମହାଦୁର୍ନୀତିର ମାୟାଜାଲରେ ଛନ୍ଦିରଖିବାର ଏକ କୂଟଚକ୍ରାନ୍ତ । ଯେଉଁମାନେ ଚକ୍ରାନ୍ତକାରୀ, ସେମାନେ ଯେତିକି ଦୋଷୀ – ତା’ଠାରୁ ଦ୍ୱିଗୁଣିତ ଦୋଷୀ ସେଇମାନେ, ଯେଉଁମାନେ କି ଏହି ଚକ୍ରାନ୍ତକାରୀ ଦଳର ଅନ୍ୟାୟଅନୀତିଗୁଡାକ ଜାଣିଶୁଣି ସୁଦ୍ଧା ବରଦାସ୍ତ କରିଚାଲୁଛନ୍ତି । ଏହି ଦୃଷ୍ଟିରୁ ଆମେ ମୁଣ୍ଡରେ ହାତମାରି ଚୁ ଚୁ କରିବା ଅପେକ୍ଷା ତୁଣ୍ଡ ଫିଟାଇବାକୁ ବାଧ୍ୟ ହେଲୁ ।
ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ ନିକଟରୁ ତା-୧୫/୦୩/୨୦୧୯ରିଖର ଏକ ଦାପ୍ତରିକ ନିର୍ଦ୍ଦେଶନାମା ସମ୍ବଳିତ ପତ୍ର (ନଂ-୫ ଏମ୍ପି-୨୭-ସପ୍ତମ-୨୦୧୬-୧୨୧୩୩) ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଦପ୍ତରରେ ଆସି ପହଂଚିଛି । ନିର୍ଦ୍ଦେଶକଙ୍କ ଏହି ଦାପ୍ତରିକ ପତ୍ର ସହିତ ସଂଲଗ୍ନ ରହିଛି ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ଜନୈକ ଅନୁସଚିବଙ୍କ ସ୍ୱାକ୍ଷରିତ ଦୁଇଟି ପତ୍ର । ନିର୍ଦ୍ଦେଶକଙ୍କୁ ଇ-ମେଲ୍ ଯୋଗେ ପ୍ରେରିତ ଅନୁସଚିବଙ୍କ ପ୍ରଥମ ପତ୍ରଟିରେ (ନଂ-୬୧୭୫/ଏସ୍ଏମ୍ଇ, ତା-୧୪/୦୩/୧୯) ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡିକରେ ପାଠାଗାର ଚାଲୁ କରିବାପାଇଁ ସରକାରୀ ନିଷ୍ପତ୍ତି ବାବଦ ସୂଚନା ରହିଛି । ଏହି ସରକାରୀ ନିଷ୍ପତ୍ତି ୨୦୧୮-୧୯ ବର୍ଷରୁ ୨୦୨୨-୨୩ ବର୍ଷ ଅର୍ଥାତ୍ ପାଂଚବର୍ଷବ୍ୟାପୀ ମାଧ୍ୟମିକ ବିଦ୍ୟାଳୟରେ ପାଠାଗାରଗୁଡିକର ଉନ୍ନତିସାଧନ ନିମନ୍ତେ ଏକ ବିପୁଳ ଯୋଜନାକୁ ରୂପ ଦେବା ଉଦ୍ଦେଶ୍ୟରେ ଗୃହୀତ ହୋଇଥିବା କୁହାଯାଇଛି । ଏହି ଅନୁସଚିବଙ୍କ ସ୍ୱାକ୍ଷରସମ୍ବଳିତ ଆଉଗୋଟିଏ ପତ୍ର (ନଂ-୭୫୩୧୯/ଏସ୍ଏମ୍ଇ, ତା-୨୦/୧୧/୧୮ରିଖ) ମଧ୍ୟ ଓଡିଶା ମାଧ୍ୟମିକ ଶିକ୍ଷାମିଶନ୍, ଭୁବନେଶ୍ୱର ମୋହର ମରାହୋଇ ନିର୍ଦ୍ଦେଶକଙ୍କ ମୂଳଚିଠି ସହିତ ଯୋଡାଯାଇଛି । ଏଥିରେ ମାଧ୍ୟମିକ ବିଦ୍ୟାଳୟ ପାଠାଗାରଗୁଡିକ ନିମନ୍ତେ ଏକ ଅନୁମୋଦିତ ପୁସ୍ତକ ତାଲିକା ‘ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ’ ଦ୍ୱାରା ‘ପ୍ରସ୍ତାବିତ’ ହୋଇଥିôବା ତଥ୍ୟ ଉଲ୍ଲେଖ କରାଯାଇଛି ।
ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରୁ ମିଳିଥିବା ନିର୍ଦ୍ଦେଶକଙ୍କ ସ୍ୱାକ୍ଷରସମ୍ବଳିତ ଏହି ତା-୧୫/୦୩/୨୦୧୯ରିଖର ଚିଠିରେ ପୂର୍ବୋକ୍ତ ଅନୁସଚିବଙ୍କ ଦୁଇଟିଯାକ ଦାପ୍ତରିକ ପତ୍ର ସଂଯୁକ୍ତ ହୋଇଥିବା ବ୍ୟତୀତ ୩୦ ଜିଲ୍ଲାର ଶିକ୍ଷାଅଧିକାରୀଙ୍କ ଅବଗତି ନିମନ୍ତେ ସଂଲଗ୍ନ କରାଯାଇଛି ମଧ୍ୟ ‘ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଓଡିଆ ଭାଷାର ପୁସ୍ତକ ତାଲିକା’ ଏବଂ ‘ଖସଗ୍ଦଗ୍ଧ କ୍ଟଲ ଈକ୍ଟକ୍ଟଳଗ୍ଦ’ । ମୋଟ୍ ୧୯ ପୃଷ୍ଠାର ଏହି ତାଲିକାରେ ୧୩ ପୃଷ୍ଠା ପର୍ଯ୍ୟନ୍ତ ଅଛି ୨୩୩ ଖଣ୍ଡ ଓଡିଆ ବହିର ନାମ, ଲେଖକଙ୍କ ନାମ, ପ୍ରକାଶକଙ୍କ ନାମ ଓ ପୁସ୍ତକଗୁଡିକର ମୂଲ୍ୟାଙ୍କ । ଏହା ପରେ ୧୪ ପୃଷ୍ଠାରୁ ୧୯ ପୃଷ୍ଠାବ୍ୟାପୀ ୨୫୯ ଖଣ୍ଡ ଇଂରାଜୀ ପୁସ୍ତକର ନାମ, ଲେଖକଙ୍କ ନାମ ଓ ମୂଲ୍ୟାଙ୍କ ସୂଚିତ ହୋଇଥିଲେହେଁ ଏସବୁ ଇଂରାଜୀ ପୁସ୍ତକର ପ୍ରକାଶକଙ୍କ ବାବଦରେ ବିନ୍ଦୁବିସର୍ଗ ସୂଚନା କେଉଁଠିହେଲେ ନାହିଁ । କେବଳ ଏତିକି ନୁହେଁ, ଏହି ଓଡିଆ-ଇଂରାଜୀ ପୁସ୍ତକ ତାଲିକାଟି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ସହିତ ଯୋଡାଯିବା ପରେ ୨୦୧୮-୧୯ରୁ ୨୦୨୨-୨୩ ଯାଏ ପାଠାଗାରଗୁଡିକୁ ସମୁନ୍ନତ କରିବା ଦିଗରେ ଯେଉଁ ପଂଚବାର୍ଷିକ ଶିକ୍ଷାଯୋଜନା ସଂପର୍କିତ ୮ ପୃଷ୍ଠାର କେତୋଟି ‘ଗାଇଡ୍ଲାଇନ୍’ ସମ୍ବଳିତ ନିର୍ଦ୍ଦେଶନାମାଟିଏ ମଧ୍ୟ ରହିଛି – ତାହାକୁ ପଢି ଉପରୋକ୍ତ ପୁସ୍ତକ ତାଲିକା ପ୍ରସ୍ତୁତ ହୋଇଥିବାର ଆଦୌ ମନେହେଉନାହିଁ ।
ବର୍ତମାନ ବ୍ୟବଚ୍ଛେଦର କାର୍ଯ୍ୟ ଆରମ୍ଭ କରାଯାଉ । ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ ଚିଠିରେ ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଚଳିତ ଆର୍ଥିକ ବର୍ଷ ସରକାରୀ ଓ ସରକାରଙ୍କ ସହାୟତାପ୍ରାପ୍ତ ସର୍ବମୋଟ୍ ୮୩୬୫ ମାଧ୍ୟମିକ ବିଦ୍ୟାଳୟରେ ପାଠାଗାର ପ୍ରକଳ୍ପକୁ ନେଇ ମୋଟ୍ ୧୮ ହଜାର ୨୩ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟ ବରାଦ ହୋଇସାରିଛି ବୋଲି ସୂଚାଇଦିଆଯାଇଛି । ଅର୍ଥାତ୍ ଆଗକୁ ବାକି ଚାରୋଟି ଆର୍ଥିକ ବର୍ଷ ପାଇଁ ଆହୁରି କୋଟିକୋଟି ଟଙ୍କାର ବ୍ୟୟବରାଦ ରହିଥିବା ଅନାୟାସରେ ଅନୁମେୟ ହେଉଥିଲେହେଁ ନିର୍ଦ୍ଦେଶକଙ୍କ ଚିଠି ସହ ସଂଲଗ୍ନ ୧୯ ପୃଷ୍ଠାବ୍ୟାପୀ ଓଡିଆ-ଇଂରାଜୀ ମିଶାଇ ସମୁଦାୟ ୪୯୨ ଖଣ୍ଡ ପୁସ୍ତକର ଗୋଟାଏ ଖେଚୁଡିଧର୍ମୀ ଖୁଚୁରା ତାଲିକା କେବଳ ଚଳିତବର୍ଷ ନିମନ୍ତେ ନା ବାକି ଚାରୋଟିବର୍ଷ ନିମନ୍ତେ ମଧ୍ୟ ବଳବତ୍ତର ରହିବ – ଏ ସମ୍ବନ୍ଧରେ ୮ପୃଷ୍ଠାର ‘ଗାଇଡ୍ଲାଇନ୍’ରେ ସୁଦ୍ଧା କୌଣସି ସ୍ପଷ୍ଟତା ନାହିଁ । ଯଦି ଏପରି ଅସ୍ପଷ୍ଟତାର ସୁଯୋଗନେଇ ଅଳ୍ପ କେତେଜଣ ଉପକୃତ ପ୍ରକାଶକଙ୍କ ପକ୍ଷରୁ ‘ସରକାରଙ୍କ ଦ୍ୱାରା ଅନୁମୋଦିତ’ ପ୍ରଚାର କରି ଏହି ତଥାକଥିତ ‘ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଓଡିଆ ଭାଷାର ପୁସ୍ତକ ତାଲିକା’ ଓ ‘ଖସଗ୍ଦଗ୍ଧ କ୍ଟଲ ଈକ୍ଟକ୍ଟଳଗ୍ଦ’କୁ ପାଂଚବର୍ଷବ୍ୟାପୀ ଶିକ୍ଷାଯୋଜନାର କାର୍ଯ୍ୟକ୍ରମ ଭାବରେ ଚଳାଇରଖିବାର ଅପୋଦ୍ୟମ ଆରମ୍ଭ ହୁଏ, ତା’ହେଲେ ତ କଥା ସରିଲା । ଏହାଦ୍ୱାରା ମାଧ୍ୟମିକ ଶିକ୍ଷା ଯୋଜନାର ସୁଦୂରପ୍ରସାରୀ ମହତ୍ ଲକ୍ଷ୍ୟ କେବଳ ଯାହା ଚାରିପାଂଚଜଣ ପ୍ରକାଶକଙ୍କ ମୁନାଫାର ମୁଣିରେ ହିଁ ଯାଇ ମୁଣ୍ଡ ଗୁଞ୍ଜିବ ନା ନାହିଁ? ଏପରି ଦାୟିତ୍ୱହୀନ ମନୋନୟନକୁ ସରକାରୀ ମୋହର ମରାଇ କେଉଁମାନେ ସରକାରୀ ଢୋଲ ଭିତରେ ବେସରକାରୀ ସଂସ୍ଥା କେତୋଟିର ମୂଷା ଭୂମିକା ତୁଲାଇବାକୁ ତଥାକଥିତ ତାଲିକା ତିଆରି କଲେ? ବିଦ୍ୟାଳୟ ଓ ଗଣିଶିକ୍ଷା ବିଭାଗୀୟ ପୂର୍ବୋକ୍ତ ଅନୁସଚିବଙ୍କ ତା-୧୯/୧୧/୧୮ରିଖର ଚିଠିରୁ ଯାହା ଜଣାପଡେ – ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ‘ବିଭାଗ’ ଦ୍ୱାରା ଏସବୁ ପୁସ୍ତକ ପ୍ରଥମେ ‘ପ୍ରସ୍ତାବିତ’ ହେବାପରେ ହିଁ ଯାଇ ସରକାରୀ ଅନୁମୋଦନପ୍ରାପ୍ତ ହୋଇଛି । ସ୍ୱାଭାବିକ୍ ଭାବରେ ପ୍ରଶ୍ନ ଉଠିପାରେ ଯେ ଗୋଟିଏ ‘ବିଭାଗ’ କିପରି ସାରାରାଜ୍ୟର ୩୦ ଜିଲ୍ଲାରେ ଥିବା ସରକାରୀ ଓ ସରକାରଙ୍କ ସହାୟତାପ୍ରାପ୍ତ ୮୩୬୫ ମାଧ୍ୟମିକ ବିଦ୍ୟାଳୟ ପାଠାଗାର ନିମନ୍ତେ ପୁସ୍ତକ ଚୟନ କରିବାକୁ ଯାଇ ମାତ୍ର ୮/୯ଟି ପ୍ରକାଶନ ସଂସ୍ଥା ପ୍ରତି ସୁଦୃଷ୍ଟି ପକାଇପାରିଲେ? ଅବଶିଷ୍ଟ ଶତାଧିକ ପ୍ରକାଶନ ସଂସ୍ଥାର ଉଲ୍ଲେଖନୀୟ ଉପାଦେୟ ପୁସ୍ତକଗୁଡିକୁ ତାଲିକାରୁ ବାଦ୍ ଦେଇଦିଆଗଲା କେଉଁ ବିଚାରର ମାନଦଣ୍ଡରେ? ବିଦ୍ୟାଳୟ ପାଠାଗାରଗୁଡିକ ପାଇଁ ପୁସ୍ତକ ଚୟନ ହେବା କଥା କେଉଁ ଭିତ୍ତିରେ – ଉଚ୍ଚମାନର ଅଧିକ ସଂଖ୍ୟକ ଉପଯୋଗୀ ପୁସ୍ତକ ଉପଲବ୍ଧ କରାଇବାରେ ନା ଅଳ୍ପକେତେକ ନିର୍ଦ୍ଦିଷ୍ଟ ପ୍ରକାଶକଙ୍କୁ ଉପକୃତ କରାଇବାରେ?
ଦ୍ୱିତୀୟତଃ, ଏହି ତାଲିକା ପ୍ରସ୍ତୁତି ପାଇଁ ପୁସ୍ତକ ଚୟନ କରାଯାଇଥିବାବେଳେ ମୂଳରୁ ହିଁ ଆଦୌ କୌଣସି ନୀତିଭିତ୍ତିକ ଆନୁପାତିକତା ରକ୍ଷା କରାଯାଇନାହିଁ । ଏହା ତଥାକଥିତ ‘ବିଭାଗ’ର ବିଚାରଧାରା ଉପରେ ମଧ୍ୟ ପ୍ରଶ୍ନଚିହ୍ନ ଲଗାଇଦେଇପାରେ । ଯଥା ଓଡିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ଓଡିଆ ପୁସ୍ତକର ସଂଖ୍ୟା ଯେଉଁ ସ୍ଥଳରେ ୮୨, ତାହାହେଲେ କେଉଁ ନିୟମକୁ ଆଧାରକରି ସେହି ସ୍ଥଳରେ ଅଜସ୍ର ଉପାଦେୟ ଓଡିଆ-ଇଂରାଜୀ ପୁସ୍ତକର ପ୍ରକାଶକ ସାହିତ୍ୟ ଏକାଡେମୀ ନୂଆଦିଲ୍ଲୀ ଓ ନ୍ୟାସନାଲ୍ ବୁକ୍ଟ୍ରଷ୍ଟ୍, ନୂଆଦିଲ୍ଲୀ ପ୍ରକାଶିତ ଓଡିଆ ପୁସ୍ତକର ସଂଖ୍ୟା ଯଥାକ୍ରମେ ୮ଟି ଓ ୧୦ଟି ମାତ୍ର! ୧୩ ପୃଷ୍ଠାସମ୍ବଳିତ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଓଡିଆ ଭାଷାର ପୁସ୍ତକ ତାଲିକା ତଳେ ‘ସଚିବ / ଓଡିଶା ସାହିତ୍ୟ ଏକାଡେମୀ’ ବୋଲି ଉଲ୍ଲେଖଟିଏ ଅବଶ୍ୟ ଅଛି । ଅଥଚ ଆଦୌ କୌଣସି ପ୍ରକାଶନ ସଂସ୍ଥାର ନାମ ନଥାଇ ୬ ପୃଷ୍ଠା ସମ୍ବଳିତ (୧୪ ରୁ ୧୯) ‘ଖସଗ୍ଦଗ୍ଧ କ୍ଟଲ ଈକ୍ଟକ୍ଟଳଗ୍ଦ’ ଶେଷରେ କାହାର କିଛି ସ୍ୱାକ୍ଷରର ଚିହ୍ନବର୍ଣ୍ଣ ନଥିବାଟା ଏହି ତାଲିକାର ଆଚାର ଓ ବିଚାର ମଧ୍ୟରେ ତିଳେମାତ୍ର ତାଳମେଳ ନଥିବାର ଉତ୍କଟ ବିପଦକୁ ହି ତର୍ଜନୀ ନିର୍ଦ୍ଦେଶ କରୁଛି – ଯାହାକୁ ‘ବିଭାଗ’ ନାଆଁରେ ଚଳାଇଦେଇଛନ୍ତି ଅନୁସଚିବ ଜଣକ ।
ଦୁଇଟି ଆଖିଥିବା ଗୋଟିଏ ବ୍ୟକ୍ତି ହୁଏତ ନ୍ୟସ୍ତସ୍ୱାର୍ଥପ୍ରଣୋଦିତ କୌଣସି କାର୍ଯ୍ୟ ହାସଲପାଇଁ ଅନ୍ଧଭଳି ଏତାଦୃଶ ଅନାଚାର କରିପାରେ । ଅଥଚ ହଳହଳ ଆଖିଥିବା ଗୋଟିଏ ‘ବିଭାଗ’ ‘ଭାଷା, ସାହିତ୍ୟ, ସଂସ୍କୃତି’ର ଚିତାତିଳକ ମାରି ଏପରି ଅବିଚାରିତ ପଦକ୍ଷେପ ପ୍ରକୃତରେ ଗ୍ରହଣ କରିପାରିବ କି? ଏ ସଂକ୍ରାନ୍ତରେ ଯଦି ଗଣମାଧ୍ୟମ ପକ୍ଷରୁ ଏବଠୁ ଅନୁସନ୍ଧାନମୂଳକ କୌଣସି ପଦକ୍ଷେପ ନିଆନଯାଏ, ତା’ହେଲେ ପରେ ନେଡିଗୁଡ କହୁଣୀକି ବୋହିପଡିବାବେଳକୁ କାହାର ଆଉକିଛି କହିବାକୁ ନଥିବ ।
ତୃତୀୟତଃ, ୮୩୬୫ ମାଧ୍ୟମିକ ବିଦ୍ୟାଳୟ ପାଠାଗାର ପାଇଁ ପୁସ୍ତକ ମନୋନୟନ କଲାବେଳେ ତିନି/ଚାରିଟି ପ୍ରକାଶନ ସଂସ୍ଥାର ମାତ୍ର ଖଣ୍ଡିଏ ଲେଖାଏଁ ପୁସ୍ତକକୁ ଦୟା କଲାପରି ପୂରାଇ ଦିଆଯାଇଛି କେଉଁ ଫାଙ୍କ ବାଟେ? ବହ୍ୱାରମ୍ଭର ଅନ୍ତରାଳରେ ଏପରି ଲଘୁକ୍ରିୟା ବି କ’ଣ ‘ବିଭାଗ’ ଦ୍ୱାରା ‘ପ୍ରସ୍ତାବିତ’ ଓ ସରକାରଙ୍କ ଦ୍ୱାରା ‘ଅନୁମୋଦିତ’ ପ୍ରକ୍ରିୟାର ଅଂଶବିଶେଷ?
ଚତୁର୍ଥତଃ, ଏହି ତାଲିକାରେ ଚୟନକର୍ତା / ଚୟନକର୍ତ୍ରୀ(?) ଆଉଗୋଟିଏ ଆଇନଗତ ଦିଗ ପ୍ରତି ମଧ୍ୟ ଆଖି ବୁଜି ଦେଇଛନ୍ତି । ଦିଗଟି ବିବାଦୀୟ । ଏଠାରେ ସ୍ମରଣଯୋଗ୍ୟ ଯେ ନିକଟ ଅତୀତରେ ଜ୍ଞାନମଣ୍ଡଳ ଫାଉଣ୍ଡେସନ୍ କର୍ତୃପକ୍ଷଙ୍କ ପ୍ରକାଶିତ ‘ଜ୍ଞାନମଣ୍ଡଳ’ ସେଟ୍ର ବ୍ୟବସାୟିକ ପରିଚାଳନା ବ୍ୟବସ୍ଥାକୁ ନେଇ ମାନ୍ୟବର ହାଇକୋର୍ଟଙ୍କ ଇଜଲାସରେ ଯେଉଁ ଜଣାଶୁଣା ମକଦ୍ଦମା ଚାଲିଥିଲା, ସେଥିପାଇଁ ଏହାର ବିକ୍ରୟ ଉପରେ ରହିତାଦେଶ କାଏମ୍ ରହିଥିଲା । ଏ ବାବଦରେ ପୂର୍ଣ୍ଣଅବଗତ ନହୋଇ ସଂପୃକ୍ତ ତାଲିକା ପ୍ରସ୍ତୁତକାରୀ ‘ବିଭାଗ’ ପୁଣି କେଉଁ ବିଚାର ବଳରେ ୧୫ ହଜାର ଟଙ୍କାର ଏହି ‘ଜ୍ଞାନମଣ୍ଡଳ’ ସେଟ୍କୁ ମାଧ୍ୟମିକ ବିଦ୍ୟାଳୟ ପାଠାଗାର ପାଇଁ କ୍ରୟଯୋଗ୍ୟ କରାଇଦେଇଛନ୍ତି? ଏପରିକି ‘ଜ୍ଞାନମଣ୍ଡଳ’ ଫାଉଣ୍ଡେସନର କର୍ତୃପକ୍ଷ ମଧ୍ୟ ବର୍ତମାନ ଅବସ୍ଥାରେ ଏପରି ମନୋନୟନକୁ ନେଇ ତୀବ୍ର ପ୍ରତିକୂଳ ପ୍ରତିକ୍ରିୟା ପ୍ରକାଶ କରିଥିବାର ଶୁଣିବାକୁ ମିଳୁଛି ।
ମାୟାଧର ନାୟକ
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୪୧୬୩