ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ
ପୁରୀ : ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଆଜି ପବିତ୍ର ଧନୁସଂକ୍ରାନ୍ତି। ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ରବିବାର ସୂର୍ଯ୍ୟପରାଗ ଥିବାରୁ ଦିନ ସଅଳ ନୀତି ସମ୍ପନ୍ନ ହୋଇଥିଲା । ଏହି ପହିଲି ଭୋଗ ନୀତି ମକରସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ପ୍ରତ୍ୟହ ଏହି ନୀତିଚାଲିବ। ମହାପ୍ରଭୁଙ୍କ ପହଲି ଭୋଗ ନୀତି ଧନୁସଂକ୍ରାନ୍ତି ଅର୍ଥାତ୍ ଡିସେମ୍ବର ୧୬ ତାରିଖଠାରୁ ଆରମ୍ଭ ହୋଇ ଜାନୁୟାରୀ ୧୪ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟହ ରାତ୍ର ୩ଟାରେ ଦ୍ୱାରଫିଟା, ୩ଟା ୩୦ରେ ଭିତରଶୋଧ, ୩ଟା ୪୫ରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହେବ। ସକାଳ ୬ଟା ୨୦ରୁ ୬ଟା ୫୦ ମଧ୍ୟରେ ପହିଲି ଭୋଗନୀତି ବଢିବ। ସକାଳ ୬ଟା ୩୦ରୁ ୯ଟା ସକାଳଧୂପ(କେବଳ କୋଠଭୋଗ), ୮ଟା ୪୫ରୁ ୧୦ଟା ୩୦ ଭୋଗମଣ୍ଡପ, ୧୧ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ମଧ୍ୟାହ୍ନ ଧୂପ(କେବଳ କୋଠଭୋଗ), ୧୨ଟା ୧୫ରୁ ଅପରାହ୍ନ ୨ଟା ଦ୍ୱିତୀୟ ଭୋଗ ମଣ୍ଡପ ହୋଇଅନ୍ୟାନ୍ୟ ନୀତି ଚାଲିବ। ଅପରାହ୍ନ ୫ଟାରେ ସଂଧ୍ୟା ଆଳତି, ସାଢେ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଧୂପ, ୯ଟାରେ ଚନ୍ଦନ ଲାଗି, ୧୦ଟାରେ ବଡସିଂହାର ବେଶ, ୧୦ଟା୩୦ ବଡସିଂହାର ଭୋଗ ଏବଂ ୧୧ଟାରେ ରାତ୍ର ପହୁଡନୀତି ସମ୍ପନ୍ନ ଲାଗି ନୀତି ଚୂଡ଼ାନ୍ତ ହୋଇଛି। ଏହି ସମୟ ନିଷ୍ପତ୍ତି ବୈଠକରେ ସ୍ଥିର ହୋଇଥିଲା। ନିର୍ଘଣ୍ଟ ନୀତି ଅନୁଯାୟୀ ଡିସେମ୍ବର ୧୬ରୁ ଜାନୁଆରି ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପହିଲି ଭୋଗ ପାଇଁ ପ୍ରତିଦିନ ରାତି ୩ଟାରୁ ଶ୍ରୀମନ୍ଦିରରେ ଦ୍ବାର ଫିଟାନୀତି ଅନୁଷ୍ଠିତ ହେବ। ସେହିଭଳି ରାତି ୧୧ଟାରେ ପ୍ରତ୍ୟହ ପହୁଡ଼ ପଡ଼ିବ।


