ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ନାଉଗାଁ ବ୍ଲକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରମାନେ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ । ପରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ବିଭୁତି ଭୂଷଣ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଚାଇନା ପ୍ରଧାନ ଯୋଗ ଦେଇ ସବୁଦିନ ଯୋଗ ଏବଂ ପ୍ରାଣାୟମ କରିବା ଦ୍ୱାରା ଆମ ଶରୀର ସୁସ୍ଥ ଏବଂ ନିରୋଗ ରହିବ ବୋଲି ମତ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ଯୁକ୍ତ୨ ଏନଏସଏସର ପୂର୍ବତନ ରାଜ୍ୟ ସଂଯୋଜକ ତଥା ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ ଯୋଗ ଦେଇ ଯୋଗ ହେଉଛି ଏକ କଳା ଏବଂ ବିଜ୍ଞାନ ମଧ୍ୟ; ଯାହା ଆମକୁ ଏକ ସୁସ୍ଥ ଶରୀର ଏବଂ ସୁସ୍ଥ ମନ ପାଇଁ ନିଜକୁ ନିୟନ୍ତ୍ରଣ କରିବା ଶିକ୍ଷା ଦିଏ ଏବଂ କେବଳ ଅଭ୍ୟାସରୁ ଆମକୁ ଲାଭ ଯୋଗାଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଚୌଧୁରୀ ବିନେଶ କୁମାର ଦାସ, କ୍ରିଡା ଶିକ୍ଷକ ସୁଧାଂଶୁ ମୋହନ ନାୟକ ପ୍ରମୁଖ ଯୋଗ ଦେଇ ଯୋଗର ଉପାଦେୟତା ଉପରେ ଗୁରୁତ୍ୱାରୋପ କରିଥିଲେ । ଯୁକ୍ତ୨ ଏନଏସଏସର ବାଳିକା ୟୁନିଟ କାର୍ଯ୍ୟକ୍ରମ ଅଧିକାରୀ ଦୀନବନ୍ଧୁ ନାୟଜ ଧନ୍ୟବାଦ ଅର୍ପଣ କରିଥିଲେ ।