ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ରାଜନୈତିକ ଶୋଭାଯାତ୍ରା ଓ ରାଲି ଉପରେ ରୋକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳମାନଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ହେଉଥିବା ସଭା ସମିତି ଓ ରାଲି ଉପରେ ରୋକ ଲଗାଯିବା ସହିତ ସମସ୍ତ ରାଜନୈତିକ ଦଳମାନଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିବା ଦାବିରେ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ପକ୍ଷରୁ ସଭାପତି ପ୍ରଦୀପ ମିଶ୍ରଙ୍କ ନେତୃତ୍ୱରେ ଏକ ୧୦ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ ଆୟୋଗକଙ୍କୁ ଭେଟି ଏକ ସ୍ମାରକପତ୍ର ଜରିଆରେ ନିବେଦନ କରିଛନ୍ତି । କରୋନା ସମୟରେ ମୃତ୍ୟୁର ତାଣ୍ଡବ ଦେଖିଥିବା ଓଡ଼ିଶବାସୀଙ୍କୁ ଓମିକ୍ରନ ଭଳି ଘାତକ ଭୂତାଣୁ ଠାରୁ ସୁରକ୍ଷା ଦେବା ନିହାତି ଜରୁରୀ ଅଟେ । ଓମିକ୍ରନ ଏବଂ କରୋନା ମହାମାରୀର ନୂତନ ପ୍ରଜାତିକୁ ଧ୍ୟାନରେ ରଖି ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ରାଲି ବାତିଲ୍ କରାଯିବା ଉଚିତ୍ ଏବଂ ଗାଁ ଗାଁ ବୁଲି ନିର୍ବାଚନୀ ସଭା ପରିବର୍ତ୍ତେ ଭର୍ଚୁଆଲ ଉପାୟରେ ନିର୍ବାଚନ ରାଲି କରାଯିବା ସହିତ ସମସ୍ତ ରାଜନୈତିକ ଦଳମାନଙ୍କ ପାଇଁ ଏ ବିଷୟରେ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହେବା ଜରୁରୀ ବୋଲି ମହାସଂଘର ସଭାପତି ପ୍ରଦୀପ ମିଶ୍ର କହିଛନ୍ତି । ଆଗାମୀ ସମୟରେ ରାଜ୍ୟରେ କରୋନାର ନୂତନ ପ୍ରଜାତି ଓମିକ୍ରନର ବିପଦ ଆହୁରି ବଢିପାରେ । ତେଣୁ କୋଟି କୋଟି ନିରୀହ ଓଡ଼ିଆ ଲୋକଙ୍କ ଜୀବନକୁ ନିର୍ବାଚନ ରାଲି ମୃତ୍ୟୁମୁଖକୁ ଠେଲିବା ପାଇଁ ଏକ ମାଧ୍ୟମ ହୋଇପାରେ । ଉଦାହରଣସ୍ୱରୂପ ପଶ୍ଚିମ ବଙ୍ଗଳା ନିର୍ବାଚନ ସମୟରେ ନିର୍ବାଚନ ରାଲିରେ କରୋନା ପ୍ରୋଟୋକଲ ପାଳନ କରାଯାଇ ନଥିଲା ଏବଂ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟପିଗଲା । ଏବେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ରାଜ୍ୟବ୍ୟାପୀ ରାଲି ଓ ଶୋଭାଯାତ୍ରାମାନ ଚାଲୁଛି ଯାହା ଆଗାମୀ ରାଜ୍ୟବାସୀଙ୍କ ପାଇଁ ଘାତକ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ସମୟରେ ୨.୫ ଲକ୍ଷରୁ ଅଧିକ ପରିବାର ସେମାନଙ୍କର ଘନିଷ୍ଠ ପରିବାରକୁ ହରାଇଥିଲେ ଯାହାକି କରୋନାର ପ୍ରଥମ ଲହର ସମୟରେ ମୃତ୍ୟୁ ଅପେକ୍ଷା ଏକଲକ୍ଷ ଅଧିକ ମୃତ୍ୟୁ ହୋଇଥିଲା । କରୋନା ଲହରୀର ଦ୍ୱିତୀୟ ଲହର ସମୟରେ ଦେଶର ତଥା ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ତେଣୁ କରୋନାର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ଆଗୁଆ ଆବଶ୍ୟକ ପଦକ୍ଷେପ ନେବା ସହିତ ଆମାଗୀ ପଞ୍ଚାୟତ ନିର୍ବାଚନ ସମୟରେ ସମସ୍ତ ରାଜନୈତିକ ସଭା ସମିତି ଓ ରାଲି ଉପରେ ଜନହିତ ପାଇଁ ଏବେଠାରୁ ରୋକ ଲଗାଯିବା ଉଚିତ୍ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ଏହି ପ୍ରତିନିଧି ମଣ୍ଡଳୀରେ ମହାସଂଘରର ସଂଗଠନ ସମ୍ପାଦକ କେ. ବାଲାରାଜୁ ଆଚାରୀ, ସମ୍ପାଦକ ଆଶିଷ ବେହେରା, ସଂଗଠନର ପ୍ରବକ୍ତା ଦେବାଶିଷ ମିଶ୍ର, ଉପଦେଷ୍ଟା ପ୍ରତାପ ମହାନ୍ତି, ଦୀପକ ଚୌଧୁରୀ, ସମ୍ପାଦକ ମନରଞ୍ଜନ ସାସମଲ ଓ ଭୁବନେଶ୍ୱର ମହାନଗର ସଭାପତି ଶତ୍ରୁଘନ ସେଠି ପ୍ରମୁଖ ଉପସ୍ଥିତ ଥିବା ପ୍ରକାଶ ।


