ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ କେତେ ଆତ୍ମନିର୍ଭରଶୀଳତା ତାହାର ସମୀକ୍ଷା ଦରକାର!

ବାଲେଶ୍ୱର : ଅନ୍ୟ ଜିଲ୍ଲା ତୁଳନାରେ ବାଲେଶ୍ୱର ଜିଲ୍ଲାର ସ୍ୱତନ୍ତ୍ରତା ନିଆରା । ଏଠି ପ୍ରତ୍ୟେକଟି କାମରେ ଆଗୁଆ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏଠିକାର ରାଜନୈତିକ ପାଣିପାଗ ମଧ୍ୟ ଭିନ୍ନ । ଭିନ୍ନତା କାରଣରୁ ଏଠିକାର ରାଜନୈତିକ ପ୍ରତିନିଧିମାନେ ଜନସାଧାରଣଙ୍କୁ ଯେନତେନ ଫୁସୁଲାଫୁସୁଲି କରି ନିଜ ଭୋଟ୍ ବ୍ୟାଙ୍କକୁ ହାତେଇବାରେ ସିଦ୍ଧହସ୍ତ ଲାଭ କରିଛନ୍ତି । ବିଚରା ଜନସାଧାରଣ ନିର୍ବାଚନ ପରଠାରୁ ମୁଣ୍ଡରେ ହାତ ଦେଇ ବସି ରହିଥାନ୍ତି । ମହିଳା ସଶକ୍ତିକରଣ କଥା ଯଦି ବିଚାରକୁ ନିଆଯାଏ ତାହାଲେ ପ୍ରଥମେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉପରେ ଦୃଷ୍ଟି ଆକର୍ଷଣ ହୋଇଥାଏ । କାରଣ ନିର୍ବାଚନରେ ନେତାମାନଙ୍କର ପ୍ରମୁଖ ଭୋଟ୍ ବ୍ୟାଙ୍କ ବୋଲାଉଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ରାଜନୀତିରେ ଫାଇଦା ପାଇଁ ବ୍ୟବହୃତ କରାଯାଉଛି, ନଚେତ୍ ବାସ୍ତବରେ ଅନ୍ୟ କ’ଣ କାରଣ ହୋଇପାରେ? ରାଜନୀତି ପ୍ରତିନିଧିମାନଙ୍କର ମାନସିକତାର ଅଭାବ ବ୍ୟତୀତ ଅନ୍ୟ କିଛି ନୁହେଁ । ନିର୍ବାଚନ ପୂର୍ବରୁ ସେମାନଙ୍କୁ ଆତ୍ôମନିଯୁକ୍ତି ଓ ଆତ୍ମନିର୍ଭରଶୀଳର ବଡ଼ ବଡ଼ ପ୍ରଶୃତି ଦେବା ସହ ନିଜକୁ ପ୍ରତିପାଦିତ କରି ସମାଜ ଆଗରେ ଛିଡ଼ା ହେବା ଓ ନିଜ ପରିବାର ପ୍ରତିପୋଷଣରେ ସମସାମୟିକ ଭାବେ ଭାଗିଦାର ହେବାର ଆଶା ଭରଷା ସମ୍ପୂର୍ଣ୍ଣ ତ୍ରୁଟି ଯାଇଛି । ଜିଲ୍ଲାର ମହିଳାମାନେ ସଦାସର୍ବଦା କିଛି କାର୍ଯ୍ୟ କରି ଅର୍ଥ ଉପାର୍ଜନ କରିବା ପାଇଁ ଚେଷ୍ଟିତ ରହୁଥିବା ବେଳେ ସରକାରୀ ଓ ବେସରକାରୀ ସୁବିଧାସୁଯୋଗ ମିଳିଲେ ତ? ଜିଲ୍ଲାରେ ପ୍ରତ୍ୟେକ ପଂଚାୟତରେ ୧୦୦ରୁ ଉଦ୍ଧ୍ୱର୍ ମହିଳା ଗ୍ରୁପ୍ ଥିବା ବେଳେ ବ୍ଲକରେ ଅତିକମ୍ରେ ଦୁଇ ହଜାରଟି ଗ୍ରୁପ୍ ଅଛି । ଜିଲ୍ଲାରେ ସର୍ବାଧିକ ସ୍ୱୟଂସହାୟକ ଗୋଷ୍ଠୀ ତାଲିକାରେ ବସ୍ତା, ଜଳେଶ୍ୱର, ଭୋଗରାଇ, ବାଲିଆପାଳ ସେହିପରି ମଧ୍ୟମ ତାଲିକାରେ ରେମୁଣା, ନୀଳଗିରି ଓ ସଦର ବ୍ଲକ ଅଛି । ଜିଲ୍ଲାରେ ସମସ୍ତ ବ୍ଲକର ଗ୍ରୁପ୍ ସଂଖ୍ୟା ମିଶାଇଲେ ୧୪ ରୁ ୧୫ ହଜାରଟି ହେବ । ପ୍ରତ୍ୟେକ ଗ୍ରୁପ୍ର ସଭ୍ୟ ସଂଖ୍ୟା ସର୍ବନିମ୍ନ ୧୦ ହୋଇଥିବା ବେଳେ ଯଦି ମହିଳା ମେମ୍ବରଙ୍କ ସଂଖ୍ୟା ଆକଳନ କରାଯାଏ ତେବେ ପାଖାପାଖି ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ପର୍ଯ୍ୟନ୍ତ ହେବେ । ଯାହାକି ବିଧାୟକ ଏବଂ ସାଂସଦଙ୍କ ନିର୍ବାଚନରେ ବିଜୟଲାଭ କରିବା ପାଇଁ ନିର୍ବାଚିତ ହେବା କିଛି ଅସମ୍ଭବ ନୁହେଁ । ପ୍ରତ୍ୟେକ ରାଜନୈତିକ ପ୍ରତିନିଧିମାନଙ୍କର ଗୋଟିଏ ଲକ୍ଷ୍ୟ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସଂଖ୍ୟା ବୃଦ୍ଧି କରିବା । ମହିଳା ଶକ୍ତି ବୃଦ୍ଧି ଦ୍ୱାରା ଭୋଟ୍ ହାର ବୃଦ୍ଧି ହେବା ସହ ମହିଳାମାନେ ତାଙ୍କ ହାତ ମୁଠାରେ ରହିବେ । ମହିଳା ଭୋଟର ଯେଉଁ ଦଳ ପ୍ରତି ଆଗ୍ରହ ପ୍ରଦର୍ଶନ କରିବେ ତାଙ୍କ ପରିବାର ମଧ୍ୟ ସେହି ଦଳ ପ୍ରତି ଆନୁଗତ୍ୟ ହେବା ସ୍ୱାଭାବିକ । ଏହା ଦ୍ୱାରା ପ୍ରତ୍ୟେକଟି କ୍ଷଣରେ ରାଜନୈତିକ ପ୍ରତିନିଧିଙ୍କର କେବଳ ଫାଇଦା ହିଁ ଫାଇଦା । ହେଲେ ସେମାନଙ୍କ ମନରେ କେବେ ହେଲେ ଯେଉଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ପ୍ରମୁଖ ଭୋଟ୍ ବ୍ୟାଙ୍କ ସାଜିଥିଲେ ସେମାନଙ୍କର ଆତ୍ମନିଯୁକ୍ତି ତଥା ଆତ୍ମନିର୍ଭରଶୀଳ ଦିଗରେ ଚେଷ୍ଟିତ ରହିବା ପରିଲକ୍ଷିତ ହେଉ ନାହିଁ । ସରକାରଙ୍କ ଯୋଜନା ଅନୁଯାୟୀ ପ୍ରତ୍ୟେକ ଗ୍ରୁପ୍ ନିଜକୁ ନିଜେ ସଙ୍ଗଠିତ କରିବା ପାଇଁ ୫ ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳୁଥିବା ବେଳେ ୩୦ ରୁ ୪୦ ଭାଗ ଗ୍ରୁପ୍ ଦୀର୍ଘ ଦିନ ହୋଇଯାଇଥିଲେ ମଧ୍ୟ ସେମାନଙ୍କୁ ଅଦ୍ୟାବଧି ପ୍ରାପ୍ତ ହୋଇପାରିନାହିଁ । ଯଦି ପ୍ରତ୍ୟେକଟି ବ୍ଲକରେ ଗ୍ରୁପ୍ମାନଙ୍କର ସମୀକ୍ଷା କରାଯାଏ ତେବେ ୫ ରୁ ୬ଟି ଗ୍ରୁପ୍ ରୋଜଗାରକ୍ଷମ ଥିବା ବେଳେ ଅନ୍ୟ ଗ୍ରୁପ୍ମାନେ କେବଳ ବ୍ୟାଙ୍କରୁ ଲୋନ୍ ଆଣି ନିଜ ପରିବାରର ବ୍ୟକ୍ତିଗତ କାମରେ ଲଗାଉଛନ୍ତି ଓ ତାହାକୁ କ୍ରମଶଃ ଧିରେ ଧିରେ ସୁଝୁଛନ୍ତି । ଏହା ଦ୍ୱାରା ନା ଗୋଷ୍ଠୀର କୌଣସି ଉନ୍ନତି ନା ମହିଳାମାନଙ୍କର ନିଜର ଉନ୍ନତି ହୋଇପାରୁଛି । ବ୍ୟାଙ୍କରୁ ଆଣୁଥିବା ଋଣ ସୁଝିବା ସମୟରେ ତା’ର ସୁଧର ପରିମାଣ ଖୁବ୍ ବେଶୀ । ଯାହାକି ମହିଳାମାନଙ୍କୁ ପରମୁହୁର୍ତ୍ତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ସବ୍ସିଡ୍ର ପରିମାଣ ମଧ୍ୟ ସମସ୍ତଙ୍କୁ ମିଳିପାରୁନାହିଁ । ବିଭିନ୍ନ ସମୟରେ ଏନ୍.ଜି.ଓ ମାନଙ୍କ ତରଫରୁ ହେଉ ଅବା ସରକାରଙ୍କ ଦ୍ୱାରା ବ୍ଲକ ତରଫରୁ ଦକ୍ଷତାଭିତ୍ତିକ ପ୍ରଶିକ୍ଷଣମାନ ମିଳୁଥିବା ବେଳେ ତାହାକୁ କାର୍ଯ୍ୟରେ ରୁପାନ୍ତର କରିବା ପରିଲକ୍ଷିତ ହେଉନାହିଁ । ଘରେ ରହି ପ୍ରସ୍ତୁତ କରୁଥିବା ଧୂପ, ପାମ୍ପଡ, ବଡି, ଫିନାଇଲ୍, ପାହପୋଛ କିଛି ହସ୍ତକର୍ମ କାର୍ଯ୍ୟକ୍ରମ ଜିନିଷ ଆଦିର ମେସିନ୍ ହଜାର ହଜାର ଟଙ୍କା ବ୍ୟାଙ୍କରୁ ଋଣ ଆଣି ପ୍ରସ୍ତୁତ କରିବା ପରେ ସେଗୁଡିକ ବିକ୍ରି କରିବା ସମ୍ଭବପର ହେଉନାହିଁ । ମାର୍କେଟିଂର ସୁବ୍ୟବସ୍ଥା ନଥିବାରୁ କେବଳ ଜିଲ୍ଲାସ୍ତରୀୟ ଓ ଗ୍ରାମୀଣ ମେଳାମାନଙ୍କ ଉପରେ ନିର୍ଭର କରୁଥିବା ବେଳେ ଅନ୍ୟ କିଛି ଉପାୟ ନଥାଏ । ଯାହା ଦ୍ୱାରା ହଜାର ହଜାର ଟଙ୍କାରେ କିଣିଥିବା ମେସିନ୍ଗୁଡିକ କାର୍ଯ୍ୟକ୍ଷମ ନହୋଇ ଘରେ ପଡି ରହିଛି । ଏ ବାବଦରେ ଉପରସ୍ଥ ଅଧିକାରୀମାନଙ୍କୁ ଯୋଗାଯୋଗ କରିବା ଦ୍ୱାରା କୌଣସି ଜବାବତଲବ ମଧ୍ୟ ମିଳେ ନାହିଁ । ଏ ପରିପ୍ରେକ୍ଷୀରେ ମହିଳାମାନେ ଯିବେ ତ’ କେଉଁଠିକୁ ଯିବେ? ବ୍ଲକରେ ଯୋଗାଯୋଗ କରିଲେ ଯିଏ ଅଫିସର ଦାୟିତ୍ୱରେ ଥିଲେ ସେ ଏବେ ଆଉ ନାହାନ୍ତି । ଏଭଳି ଅନେକ କଥା ଶୁଣିବାକୁ ମିଳେ । ପରିଶେଷରେ ନିଜେ ବୁଝାବୁଝି କରନ୍ତୁ ବୋଲି ଶୁଣିବାକୁ ମଧ୍ୟ ମିଳେ । ମହିଳାମାନଙ୍କ ମନରେ କାର୍ଯ୍ୟ କରିବାର ପ୍ରବଳ ଇଚ୍ଛା ଥିଲେ ମଧ୍ୟ ବାଧ୍ୟ ହୋଇ ଚୁପ୍ଚାପ୍ ରହିବାକୁ ପଡେ । ଜିଲ୍ଲାରେ ସର୍ବଭାରତୀୟସ୍ତରରେ କ୍ଷାତିଲାଭ କରିଥିବା ଯଥା ପତଞ୍ଜଳୀ, ଡାବର, ବୈଦନାଥ, ହିନ୍ଦୁସ୍ଥାନ ଭଳି ବହୁ କମ୍ପାନୀମାନେ ଆସି କୋଟି କୋଟି ଟଙ୍କାର କାରବାର ଚଳାଇଆସୁଥିବା ବେଳେ ଲକ୍ଷଲକ୍ଷ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି । ରାଜନୈତିକ ପ୍ରତିନିଧି ଓ ସରକାରଙ୍କ ପ୍ରୋତ୍ସାହନରେ ସେମାନଙ୍କର ବିକ୍ରି ବସ୍ତୁଗୁଡିକ ଯଦି ପେକିଂ କରି ଦୁଇ ଟଙ୍କା ରୋଜଗାର କରିବାର ସୁବିଧା ସୁଯୋଗ ବ୍ଲକସ୍ତରରେ ମହିଳାମାନଙ୍କୁ ଦିଆଯାଇ କାର୍ଯ୍ୟକ୍ରମ କରାଯାଆନ୍ତା ଓ ପରିଶ୍ରମ ମୁତାବକ ପାରିଶ୍ରମିକତା ଦିଆଯାଇପାରନ୍ତା ତାହାଲେ ଗୃହିଣୀମାନେ ନିଜ ଘରେ ରହିବା ସହ ପରିବାର କଥା ବୁଝିବା ସହିତ କିଛି ମାତ୍ରାରେ ରୋଜଗାରକ୍ଷମ ହୋଇପାରନ୍ତେ । ଏହାଦ୍ୱାରା କୌଣସି କ୍ଷତି ସହିବାକୁ ନ ପଡିବା ସହ ଆତ୍ମନିଯୁକ୍ତି ସୃଷ୍ଟି ହୋଇପାରନ୍ତା । ଆଗାମୀ ଦିନରେ ମହିଳାମାନେ ଏକତ୍ରିତ ହେବା ସହ ମହିଳାମାନଙ୍କୁ ସ୍ୱଳ୍ପରୋଜଗାରକ୍ଷମ ଭିତ୍ତିକ ନିଯୁକ୍ତି ପ୍ରଦାନ କରିବା ହେଲେ ମହିଳା ସଶକ୍ତିକରଣର ମହାନତା ବଜାୟୀ ରହିବ ଓ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଆତ୍ମନିଯୁକ୍ତି ସହ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଆଶାବ୍ୟକ୍ତ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ