ମହେନ୍ଦ୍ରଗରି ଶିଖରରେ ଆମିଷ ଭୋଜନ କ୍ଷମା ନିବେଦନ କଲେ ତିବ୍ଦତୀୟ ସେଟେଲମେଣ୍ଟ ଅଧିକାରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଶିଖରରେ ଆମିଷ ଭୋଜନ କରିଥିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ପାରଳା ଯୁବ ସଂଘର ସଦସ୍ୟ ଗଣ । ଏନେଇ ସେମାନେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେମାନେ ଜଣାଇଛନ୍ତି ଯେ, ପୁରାଣ ପ୍ରସିଦ୍ଧ ତଥା ରାମାୟଣ କରିଡରରେ ଅନ୍ତର୍ଭୁକ୍ତ ପବିତ୍ର ମହେନ୍ଦ୍ରଗିରି ପର୍ବତ ଉଭୟ ରାମାୟଣ ଏବଂ ମହାଭାରତର ବହୁ ଐତିହ୍ୟ ବହନ କରୁଛି । କିନ୍ତୁ ଗତ ୨୭.୧୨.୨୦୨୦ ଚୟେଙ୍ଗି ଓଡିଶା ନାମକ ୟୁଟ୍ୟୁବ ଚ୍ୟାନେଲ ଦ୍ୱାରା ପ୍ରସାରିତ ମହେନ୍ଦ୍ରଗିରି ଭିଡିଓରେ କିଛି ପର୍ଯ୍ୟଟକ ଭୀମ ମନ୍ଦିର ନିକଟରେ ଆମିଷ ଭୋଜନ କରିବା ଦୃଶ୍ୟ ରହିଛି । ଯାହା ଅନେକ ହିନ୍ଦୁ ଧର୍ମ ବିଶ୍ୱାସୀଙ୍କ ଧାର୍ମିକ ଭାବନାକୁ ଆଘାତ କରିଛି । ସେହିପରି ବୈଦ୍ଧ ଧର୍ମ ପତାକା ଗୁଡିକର ଡୋରି ମନ୍ଦିର ଦେହରେ ବନ୍ଧା ଯାଉଥିବା ଦେଖାଯାଇଛି । ଏଭଳି ଐତିହ୍ୟ ତଥା ପର୍ଯ୍ୟଟନ ସ୍ଥଳର ପୁରାତନ ମନ୍ଦିର ଦେହରେ ପତାକା ରୋପଣ ମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି ବୋଲି ଅଭିଯୋଗ କରିଛନ୍ତି । ତେଣୁ ସେମାନେ ଜିଲ୍ଲାପାଳ ଶ୍ରୀ ସାହାଙ୍କୁ ନିବେଦନ କରିଥିଲେ ଯେ, ୟୁଟ୍ୟୁବ ଚ୍ୟାନେଲରେ ଦର୍ଶିତ ଭିଡିଓଟିର ପ୍ରସାରଣ ବନ୍ଦ କରିବା ସହ ଚ୍ୟାନେଲ ତରଫରୁ କ୍ଷମା ମଗାଯାଉ । ଏଥି ସହିତ ଜିଲ୍ଲା ପ୍ରଶାସନ ତରଫରୁ ପର୍ଯ୍ୟଟକମାନଙ୍କର ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ଏପରି ଘଟଣାର ପୁନରାବୃତ୍ତି ନଘଟୁ ସେଥିପ୍ରତି ପଦକ୍ଷେପ ଗ୍ରହଣକରିବାକୁ ଅନୁରୋଧ କରିଥିଲେ । ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିବା ପାରଳା ଯୁବକ ସଂଘର ରଂଜନ କୁମାର ଦାସ, ଆଦିତ୍ୟ ଜେନା, ସନ୍ତୋଷ ଜେନା, ନୀଳାଞ୍ଚଳ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତଥିଲେ । ଅନ୍ୟପକ୍ଷରେ ଉକ୍ତ ଘଟଣାଟ ପ୍ରଘଟିତ ହେବାପରେ ତିବ୍ଦତ ସେଟେଲମେଣ୍ଟ ଅଧିକାରୀ ମିଷ୍ଟର ଥୁପଟେନ ଏକ ଚିଠି ମାଧ୍ୟମରେ ‘ଫୁନ୍ଟସୋକିଙ୍ଗ ତିବ୍ଦେତନ ସେଟେଲମେଣ୍ଟ’ ଅଧିନରେ ଥିବା ବିଭିନ୍ନ କ୍ୟାମ୍ପ ଲିଡର ମାନଙ୍କୁ ଅନୁରୋଧ କରିଛନ୍ତି ଯେ, କୌଣସି ଧାର୍ମିକ ସ୍ଥାନ, ପିକ୍‌ନିକ୍‌, ପର୍ଯ୍ୟଟନ ଆଦି ଅଞ୍ଚଳକୁ ଗଲେ ସେଠାକାର ପରିବେଶ, ଧାର୍ମିକ ଭାବନା ଆଦିକୁ ଧ୍ୟାନଦେବା ସହ ସଂସ୍କୃତିକୁ ମର୍ଯ୍ୟାଦା ଦେବାପାଇଁ ପରାମର୍ଶ ଦେଇଛନ୍ତି । ଏହା ସହ ସେ ଲେଖିଛନ୍ତି ଯେ, ଭୀମମନ୍ଦିର ଠାରେ ଯେଉଁ ପତାକା ଲଗାଯାଇଛି ତାହା ତିବ୍ଦତ ପତାକା ନୁହଁ ବଂର “ଲୁଙ୍ଗଟା” ପତାକା । ଯାହାକି ଶାନ୍ତି ଓ ସଦ୍‌ଭାବନା ବଜାୟ ରଖିବା ପାଇଁ ଏପରି ଲଗାଯାଇଥାଏ । ଏହା କୌଣସି ଧାର୍ମିକ ଭାବନା ସମ୍ପର୍କରେ ସୂଚିତ କରୁନାହିଁ । ଏହା ସହ ସେ ଜଣାଇଛନ୍ତି ଯେ ଆଜି ଯେଉଁ କ୍ୟାମ୍ପ ଲିଡରମାନଙ୍କୁ ଏପରି ଭବିଷ୍ୟତରେ ଆଉ ଏପରି କରନାହିଁ ବୋଲି ପରାମର୍ଶ ଚିଠିର ଉତ୍ତର ଆସିଯାଇଛି । ସେମାନେ କ୍ଷମା ପ୍ରାର୍ଥନା କରିଥିବାର ଚିଠି ଆସିଯାଇଛି ବୋଲି ଜଣାଇଛନ୍ତି । ଯଦି ମହେନ୍ଦ୍ରଞ୍ଚଳବାସୀ କିମ୍ବା କାହାକୁ ଏଥି ଲାଗି ହୃଦୟକୁ ଆଘାତ ଲାଗିଥିଲେ କ୍ଷମା କରିବା ପାଇଁ ନିବେଦନ କରିଛନ୍ତି । ଏହାସହ ଏପରି ଘଟଣାର ଆଉ ପୁନରାବୃତ୍ତି ହେବ ନାହିଁ ବୋଲି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ