ମାଁ ରଣଘଣ୍ଟାଙ୍କ ଐତିହାସିକ ଯାତ୍ରା ବଳିପ୍ରଥା ବନ୍ଦ, ୧୨୦୦ ପଶୁ ମୁକ୍ତ
ବେଲଗୁଣ୍ଠା (ଯୁଗାବ୍ଦ ନ୍ୟୁଜ) : ଦୁଇଶହରୁ ଊଦ୍ଧ୍ୱର୍ ବର୍ଷ ଧରି ଚଳି ଆସିଥିବା ବଳି ପ୍ରଥା ପୁଲିସ ଓ ମନ୍ଦିର କମିଟିର ସହଯୋଗରେ ପ୍ରଥମ କରି ବନ୍ଦ କରାଯାଇଥିବା ଜଣାପଡ଼ିଛି । ଏହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯିବା ସହ ୧୨ଶହ ପଶୁଙ୍କୁ ମୁକ୍ତ କରାଯାଇଛି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଜଗନ୍ନାଥ ପ୍ରସାଦ ବ୍ଲକ ତାରସିଂସ୍ଥିତ ମା’ ରଣଘଣ୍ଟାଙ୍କ ମନ୍ଦିରରେ । ପ୍ରକାଶ ଯେ, ପ୍ରତିବର୍ଷ ଫାଲଗୁନ ମାସରେ ଏଠାରେ ମା’ ରଣଘଣ୍ଟାଙ୍କ ଯାତ୍ରା ହୋଇଆସୁଛି । ଏହି ଯାତ୍ରା ଦେଖିବାପାଇଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗାଁଗଣ୍ଡା ଓ ସହର ସମେତ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଓ କନ୍ଧମାଳ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ମା’ଙ୍କୁ ଦର୍ଶନ କରିବା ସହ ପରିବାରର ଉନ୍ନତି ପାଇଁ ମାନସିକ କରିଥାନ୍ତି । ମାନସିକ ପୂରଣ ହେଲେ ଏଠାରେ ମା’ଙ୍କୁ ବଳି ଅର୍ପଣ କରନ୍ତି । ଚଳିତ ବର୍ଷ ୧୩ ତାରିଖରୁ ମା’ଙ୍କ ଯାତ୍ରା ଆରମ୍ଭ ହୋଇଥିବାବଳେ ଆଜି ମା’ଙ୍କ ଠାରେ ପ୍ରାୟ ୧୧୭୦ରୁ ଊଦ୍ଧ୍ୱର୍ ଛେଳି ମେଣ୍ଢା ଧରି ଶ୍ରଦ୍ଧାଳୁ ବଳି ପକାଇବାପାଇଁ ରୁଣ୍ଡ ହୋଇଥିଲେ । ଏହା ଜାଣିବା ପରେ ତାରସିଂ ଥାନା ଭ୍ରାରପ୍ରାପ୍ତ ଅଧିକାରୀ ସବ୍ୟସାଚୀ ମଲ୍ଲ, ତାରସିଂ ଗ୍ରାମବାସୀ, ଯାତ୍ରା କମିଟି ସଭାପତି ଧୋବା ରାଉତ, ସମ୍ପାଦକ ବାବୁଲି ପାତ୍ର, ସରପଞ୍ଚ ପ୍ରତିନିଧି ଜିତୁ ପ୍ରଧାନ ପ୍ରମୁଖ ଆଲୋଚନା କରି ପ୍ରଥମ ଥର ପାଇଁ ବଳି ପ୍ରଥା ବନ୍ଦ କରିଥିଲେ । ମାନସିକଧାରୀ ଆଣିଥିବା ଛେଳି ମେଣ୍ଢାଙ୍କୁ ମା’ଙ୍କ ଉଦ୍ଦେଶ୍ୟରେ ମୁକ୍ତ କରି ଦେଇଥିଲେ । କିଛି ମାନସିକଧାରୀ ଏହାକୁ ଗ୍ରହଣ ନକରିବାରୁ ପୁଲିସ ସେମାନଙ୍କୁ ବୁଝାଇବାରେ ସଫଳ ହୋଇଥିଲା । ପ୍ରକାଶ ଯେ, ମା’ ରଣଘଣ୍ଟା ଭଞ୍ଜ ରାଜାଙ୍କ ଆରାଧ୍ୟ ଦେବୀ । ବାହାର ଶତ୍ରୁ ରାଜ୍ୟରେ ପ୍ରବେଶ କଲେ ମା’ଙ୍କଠାରେ ଏକ ଘଣ୍ଟା ପ୍ରବଳ ବେଗରେ ବାଜିଉଠେ ଏବଂ ବାହାର ଶତ୍ରୁ ରାଜ୍ୟରେ ପ୍ରବେଶ କରିଛନ୍ତି ବୋଲି ଏଥିରୁ ଜଣାପଡ଼େ । ଦୋହରା ବିଶୋୟୀ ଓ ବୀର ଚକରା ବିଶୋୟୀ ସ୍ୱାଧୀନତା ସଂଗ୍ରାମ ବେଳେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରୁଥିଲେ ବୋଲି ବିଶ୍ୱାସ କରାଯାଏ । ଏହି ଯାତ୍ରା ସମୟରେ ମା’ଙ୍କ ଦର୍ଶନ କଲେ ପରିବାରର ଉନ୍ନତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆଜି ଏହି ବଳି ପ୍ରଥା ବନ୍ଦ ହୋଇଥିବାରୁ ଅଞ୍ଚଳବାସୀ ତଥା ବୁଦ୍ଧିଜୀବୀ ଏହାକୁ ସ୍ୱାଗତ କରିବା ସହ ଥାନାଧିକାରୀ ଶ୍ରୀ ମଲ୍ଲାଙ୍କ ସମେତ ଯାତ୍ରା କର୍ମକର୍ତ୍ତାଙ୍କୁ ସାଧୁବାଦ୍ ଜଣାଇଛନ୍ତି ।