ମାଛର ସୌନ୍ଦର୍ଯ୍ୟ ପାଇଁ ପ୍ଲାଷ୍ଟିକ ସର୍ଜରି !
ମାଛର ନାଁ ଶୁଣିଲେ ଆପଣ ଖାଇବା କଥା ଭାବୁଥିବେ । କିନ୍ତୁ ଆମେ ଆପଣଙ୍କୁ ଖାଇବା ମାଛ କଥା କହୁନାହୁଁ । ଏଠାରେ ମାଛର ରୂପ ଦେବା କଥା ଉଲ୍ଲେଖ କରାଯାଇଛି । ଏକ ମାଛକୁ ନିଖୁଣ ରୂପ ଦେବା ପାଇଁ ପ୍ଲାଷ୍ଟିକ୍ ସର୍ଜରି କରାଯାଇଛି । କଥାଟି ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ସିଙ୍ଗାପୁରରରେ ମାଛର ଆଖି, ପାଟି ଆଦରେ ପ୍ଲାଷ୍ଟିକ ସର୍ଜରି ହେଉଛି । ମୁଖ୍ୟତଃ ଏରାୱାନା ନାମକ ଆକ୍ୱାରିଆମ ମାଛର ପ୍ଲାଷ୍ଟିକ ସର୍ଜରି ସେଠାରେ ଲୋକପ୍ରିୟ । ଏହାର ଲମ୍ବ ତିନି ଫୁଟ ପର୍ଯ୍ୟନ୍ତ ବଢ଼ିପାରେ । ଦଶ ବର୍ଷରୁ ଅଧିକ କାଳ ବଞ୍ଚିପାରେ । ବିତ୍ତଶାଳୀ ଚାଇନଜ ବ୍ୟବସାୟୀମାନେ ଏହାକୁ ଅତି ଶୁଭଙ୍କର ମନେକରନ୍ତି । ବ୍ୟବସାୟ ସମ୍ପର୍କିତ କୌଣସି ଭୁଲ ନିଷ୍ପତ୍ତି ନେବାକୁ ଯାଇଥିବାବେଳେ ଏହି ମାଛ କୁଆଡେ ଚେତାବନୀ ଦେବା ପାଇଁ ଆକ୍ୱାରିଅମ ବାହାରକୁ ଲମ୍ପ ପ୍ରଦାନ କରେ । ଏରାୱାନର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ସତୁରି ହଜାର ଟଙ୍କା । ତେବେ ପ୍ରାପ୍ତ ବୟସ୍କ ଏରାୱାନାର ମୂଲ୍ୟ ବହୁତ ଅଧିକ । କିଛି ବର୍ଷ ତଳେ ଏକ ପ୍ରାପ୍ତ ବୟସ୍କ ଏରାୱାନା ୨.୧ କୋଟି ଟଙ୍କାରେ ବିକ୍ରି ହୋଇଥିଲା । ଏହି ମାଛ ପାଳୁଥିବା ଲୋକେ ଏହାର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ପ୍ଲାଷ୍ଟିକ ସର୍ଜରି କରାଉଛନ୍ତି । ଏ ବାବଦରେ ବେଶ କିଛି ଖର୍ଚ୍ଚ ମଧ୍ୟ କରୁଛନ୍ତି । ତେବେ ଏହା କରୁଥିବା ପେସାଦାରମାନେ କୌଣସି ଉଚ୍ଚ ଶିକ୍ଷା ପ୍ରପ୍ତା ବିଶେଷଜ୍ଞ ନୁହଁନ୍ତି । କେତେକଙ୍କ ପାଇଁ ଏହା କୌଳିକ ବୃତ୍ତି । ଅନ୍ୟ କେତେକ ଏହା ଦେଖିଦେଖି ଶିଖୁଥିବା ପ୍ରକାଶ ପାଇଛି ।


