ମାଛ ମାଫିଆଙ୍କ କବଜାରେ ଗାରୋଇ ସ୍ଲୁଇସ ଗେଟ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ନାଉଗାଁ ବ୍ଳକ ଗାରୋଇସ୍ଥିତ ଦେବୀ ନଦୀ ଓ ଗୋବରୀ ନଦୀର ସଂଯୋଗରେ ଗାରୋଇ ସ୍ଲୁଇସି ଗେଟ ନିର୍ମାଣ ହୋଇଛି । ଏହି ସ୍ଲୁଇସ ଗେଟର ମୁଖ୍ୟ ଉର୍ଦ୍ଦେଶ୍ୟ ଚାଷ ଜମିରୁ ଉଦବୃତ ଜଳ ନିଷ୍କାସନ କରାଯିବା ସହିତ ଗୋବରୀ ନଦୀରେ ଜଳ ସଂରକ୍ଷଣ କରି ପ୍ରକୃତ ଚାଷ ସମୟରେ ଚାଷ ଜମିକୁ ଜଳ ଯୋଗାଇବା ପାଇଁ ଏହା ନିର୍ମାଣ କରାଯାଇଛି । ଏହାର ରକ୍ଷାଣବେକ୍ଷଣ ଜଳ ସଂପଦ ବିଭାଗ ହାତରେ ରହିଛି । ଏହ ସ୍ଲୁଇସ ଗେଟ କେଉଁ ସମୟରେ ଖୋଲା ଯିବ ଓ କେଉଁ ସମୟରେ ବନ୍ଦ ରହିବ ବିଭାଗୀୟ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । କିନ୍ତୁ ବିଭାଗୀୟ କର୍ମଚାରୀମାନେ ସ୍ଲୁଇସ ଗେଟକୁ ମାଛ ମାଫିଆଙ୍କ ହାତରେ ଟେକି ଦେଇ ନିଶ୍ଚିନ୍ତରେ ରହୁଛନ୍ତି । ଯାହାଫଳରେ ମାଛ ମାଫିଆମାନେ ସ୍କୁଇସି ଗେଟଟିକୁ ନିଜ ଇଛା ଅନୁସାରେ ଖୋଲି ମାଛ ମାରୁଥିବା ଅଭିଯୋଗ ହେଉଛି ।
ସୂଚନା ଅନୁସାରେ ଏହି ସ୍ଲୁଇସ ଗେଟ ଉପରେ ନାଉଗାଁ ବ୍ଳକର ୬ଟି ପଂଚାୟତର ହଜାର ହଜାର ଚାଷୀ ଜଳ ପାଇଁ ନିର୍ଭର କରୁଛନ୍ତି । କିନ୍ତୁ ପ୍ରଶାସନର ଅବହେଳା ହେତୁ ସ୍ଲୁଇସି ଗେଟଟି ଦୀର୍ଘ ବର୍ଷ ହେବ ଜଳ ସଂରକ୍ଷଣ କ୍ଷମତା ହରାଇ ବସିଥିଲା । ଫଳରେ ଏହି ସ୍ଲୁଇସି ଗେଟ ଉପରେ ନିର୍ଭର କରୁଥିବା ଚାଷୀମାନଙ୍କ ମଧ୍ୟ ଅସନ୍ତୋଷ ଦେଖା ଦେଇଥିଲା । ଯାହାକୁ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଚଳିତ ବର୍ଷ ଜଳ ସଂପଦ ବିଭାଗ ପକ୍ଷରୁ ସ୍ଲୁଇସି ଗେଟର ଥିବା ୫ଟି କବାଟକୁ ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯାଇଥିଲା । ଗୁରୁତ୍ୱପୁର୍ଣ୍ଣ କଥା ଚଳିତ ବର୍ଷ ବର୍ଷାର ପରିମାଣ କମ ଥିବାରୁ ଏହି ଅଣଜଳସେଚିତ ପଂଚାୟତ ଗୁଡିକର ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବର୍ତମାନ ଏ ଅଂଚଳରେ ବର୍ଷା ହେବା ଫଳରେ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି । କିନ୍ତୁ ଏହି ସମୟରେ ନାଉଗାଁ ବ୍ଲକରେ ନିଅଂଟିଆ ବୃଷ୍ଟିପ୍ରାତ ଦେଖା ଦେଇଛି । ସ୍ଲୁଇସି ଗେଟ ବନ୍ଦ ପାଇଁ ଚାଷୀଙ୍କ ପକ୍ଷରୁ ଦାବି ହେବାରୁ ବିଭାଗ ପକ୍ଷରୁ ସ୍ଲୁଇସି ଗେଟ୍ଟିକୁ ବନ୍ଦ କରାଯାଇ ଜଳ ସରଂକ୍ଷଣ କରାଯାଇଥିଲା । ଏହି ସ୍ଲୁଇସି ଗେଟଟି ଯୋଗୁଁ ଚାଷୀ ଆବଶ୍ୟକ ଜଳ ପାଇବା ଆଶା ନେଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲା । କିନ୍ତୁ ବିଭାଗ ପକ୍ଷରୁ ସ୍ଥାନୀୟ ମାଛ ମାଫିଆଙ୍କ ହାତରେ ସ୍ଲୁଇସି ଗେଟଟିକୁ ଟେକି ଦେଇ ନିଶ୍ଚିନ୍ତରେ ରହିଥିଲା । ଉକ୍ତ ମାଛ ମାଫିଆମାନେ ଲୋକ ଦେଖାଣିଆ ଭାବେ ସ୍ଲୁଇସି ଗେଟଟିକୁ ସକାଳ ସମୟରେ ବନ୍ଦ ରଖି ସଂଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗେଟ ଖୋଲି ମାଛ ଧରୁଥିବା ଅଭିଯୋଗ ହେଉଛି । ଅନ୍ୟପଟରେ ଦେବୀନଦୀରେ ବନ୍ୟା ପାଣି ଅଧିକ ଥିବାରୁ ବିଭାଗ ପକ୍ଷରୁ ଉକ୍ତ ସ୍ଲୁଇସି ଗେଟଟିକୁ ବନ୍ଦ କରାଯାଇଥିଲା । କିନ୍ତୁ ଆଜି ଦେବୀନଦୀରେ ବନ୍ୟା ପାଣି ହ୍ରାସ ପାଇବାରୁ ବିଭାଗ ପକ୍ଷରୁ ଦିନ ୧୧ଟାରୁ ସ୍ଲୁଇସି ଗେଟର ଦୁଇଟି ଗେଟ ଖୋଲା ଯାଇ ଗୋବରୀ ନଦୀର ଜଳ ନିଷ୍କାସନ କରାଯାଉଛି । ଫଳରେ ଏହି ଗୋବରୀ ନଦୀ ଜଳ ଉପରେ ଭରସା କରି ଚାଷ କରୁଥିବା କୋରୁଅ,ଓଷକଣା,ଡେରିକି,ବାଂଶ,ତିରୁଣା ଆଦି ପଂଚାୟତର ଚାଷୀମାନଙ୍କ ଜମିରୁ ଜଳ ହ୍ରାସ ପାଇବାରେ ଲାଗିଛି । ଯଦି ଆଗକୁ ବର୍ଷା ନହୁଏ ତେବେ ଚାଷ କାର୍ଯ୍ୟ ସମୂର୍ଣ୍ଣ ଠପ ହେବ ବୋଲି ଚାଷୀମାନେ କହିଛନ୍ତି । ଏ ସଂର୍ପକରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅନିଲ ରାଉତରାୟଙ୍କୁ ପଚାରିବାରୁ ସ୍ଲୁଇସି ଗେଟର ଜଳ ସଂରକ୍ଷଣର କ୍ଷମତା ଉପରେ ଜଳ ରହୁଥିବାରୁ ଗେଟ ଖୋଲାଯାଇଛି । ରାତି ଭିତରେ ଗେଟକୁ ବନ୍ଦ କରାଯିବ ବୋଲି କହିଛନ୍ତି । କିନ୍ତୁ କେତେ ପରିମାଣର ଜଳ ସଂରକ୍ଷଣ କରିବା ପାଇଁ ସ୍ଲୁଇସି ଗେଟର କ୍ଷମତା ରହିଛି ଏବଂ ସ୍ଲୁଇସ ଗେଟର ପରିଚାଳନା ଦାୟିତ୍ୱ ବିଭାଗ ସଠିକ ଭାବରେ କରୁ ନଥିବା ପଚାରିବାରୁ ପ୍ରସଂଗ ଏଡାଇ ଦେଇଯାଇଥିଲେ । ଅନ୍ୟପଟରେ ଏହି ସ୍ଲୁଇସି ଗେଟରେ ୫ଟି ଗେଟ ରହିଥିବା ବେଳେ ମାତ୍ର ୨ଟି ଗେଟ ଖୋଲାଯାଇଯାଇଛି । ଯାହାକି ମାଛ ମାଫିଆ ମାନେ ସ୍ଲୁଇସି ଗେଟରେ ଜାଲ ବାନ୍ଧି ମାଛ ଧରିବାକୁ ସହାୟକ ହେବ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିବା ସହିତ କ’ଣ ପାଇଁ ସ୍ଲୁଇସି ଗେଟ ନିକଟରେ କୌଣସି ବିଭାଗୀୟ କର୍ମଚାରୀ ଉପସ୍ଥିତ ରହୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଜିଲ୍ଲାପାଳ ସହିତ ବିଭାଗୀୟ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିବା ସହିତ ମାଛ ମାଫିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।


