ମାନବଶୃଙ୍ଖଳ ଦେଇପାରିବକି ଭିତରକନିକାକୁ ସୁରକ୍ଷା

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ମାନବଶୃଙ୍ଖଳ ଦେଇପାରିବକି ଭିତରକନିକାକୁ ସୁରକ୍ଷା ଆଜି ଏଭଳି ଏକ ପ୍ରଶ୍ନ ସୃଷ୍ଟି କରିଛି ସାଧାରଣ ଲୋକଙ୍କ ମନରେ । କାରଣ ଖରସ୍ରୋତା ନଦୀ ଜଳ ପ୍ରକଳ୍ପ ଦ୍ୱାରା ଭିତରକନିକାର ଜୈବ ବିବିଧତା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି କରିଛି । କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଭାରିଗଦା ଠାରେ ଖରସ୍ରୋତା ନଦୀରୁ ଭଦ୍ରକ ଜିଲ୍ଲାକୁ ପାନୀୟ ଜଳ ଯୋଗାଇଦେବା ଉଦେଶ୍ୟରେ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କ ପ୍ରବଳ ବିରୋଧ ସତ୍ୱେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ବେଳେ ସେହି ପ୍ରକଳ୍ପକୁ ବିରୋଧ କରି କେନ୍ଦ୍ରାପଡାର ଗରାପୁରସ୍ଥିତ ଡାକବଙ୍ଗଳା ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି ପରିବେଶବିତ ତଥା ଭିତରକନିକା ଇକୋ ସେନସିଟିଭ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ । ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟ ନିକଟସ୍ଥ ଗାନ୍ଧୀମୂର୍ତ୍ତି ତଳେ ତାଙ୍କ ଧାରଣା ତୃତୀୟ ଦିନରେ ପହଞ୍ଚିଛି । ଗୁରୁବାର ଶ୍ରୀକାନ୍ତଙ୍କୁ ସମର୍ଥନକରି କେତେକ ସାମାଜିକ କର୍ମୀ ଓ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟ ସମ୍ମୁଖରେ ମାନବଶୃଙ୍ଖଳ ସୃଷ୍ଟି କରିଥିଲେ । ପରସ୍ପରର ହାତଧରାଧରି ହୋଇ ପ୍ରକଳ୍ପ ବିରୋଧୀ ସ୍ଳୋଗାନ ଦେବା ସହିତ ନିଜ ଶରୀର ଉପରେ ବିଭିନ୍ନ ସ୍ଳୋଗାନ ଲେଖାଥିବା ଆପ୍ରୁନ ପରିଧାନ କରିଥିଲେ । ତେବେ ଆନ୍ଦୋଳନକାରୀ ଏହି ପ୍ରକଳ୍ପଟି ସମ୍ପୂର୍ଣ୍ଣ ବେଆଇନ ବୋଲି ଦାବି କରିଛନ୍ତି । ପ୍ରକଳ୍ପ ଅଞ୍ଚଳଟି ଇକୋ ସେନସିଟିଭ ଜୋନ ମଧ୍ୟରେ ଆସୁଥିବା ବେଳେ ସେଠାରେ କୈାଣସି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ପୂର୍ବରୁ ଭିତରକନିକା ଇକୋ ସେନସିଟିଭ ମନିଟରିଂ କମିଟି ସହିତ ଆଲୋଚନା କରିବା ଉଚିତ ବୋଲି କହିଛନ୍ତି ଶ୍ରୀକାନ୍ତ । ଏତଦବ୍ୟତିତ ସେଠାରେ ପ୍ରକଳ୍ପ କାର୍ଯ୍ୟ କରାଗଲେ ଭିତରକନିକା ଜୈବ ବିବିଧତା ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ରହିଛି । ତେଣୁ ଏହି ପ୍ରକଳ୍ପଟିକୁ ବାତିଲ କରାଯିବା ପାଇଁ ଦାବି କରାଯାଇଛି । ଗରାପୁର ମାନବଶୃଙ୍ଖଳ ସୃଷ୍ଟିରେ ଅଂଶଗ୍ରହଣ କରିଥିବା ସାମାଜିକ କର୍ମୀଙ୍କ ମଧ୍ୟରେ ଦମନ ମହାନ୍ତି, ଗୈାତ୍ତମ ସାହୁ, ସୂର୍ଯ୍ୟକାନ୍ତ ପରିଡା, କେଦାର ସ୍ୱାଇଁ, ହରିହର ନାୟକ ପ୍ରମୁଖ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ