ମାନସିକ ବିକୃତ ଯୁବକଙ୍କୁ ସହାୟତା କଲେ ସୌରଭ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବଜାରରେ ଦୀର୍ଘ ଦିନ ଧରି ବୁଲୁ ଥିବା ଜଣେ ମାନସିକ ବିକୃତ ଯୁବକଙ୍କୁ ବନ୍ତ ଗ୍ରାମର ଯୁବ ଧାବକ ସୌରଭ ସେଠୀ ସହାୟତା ପ୍ରଦାନ କରିଥିବା ଦେଖାଯାଇଛି । ପ୍ରକାଶ ଯେ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦିନଦୁଃଖୀ, ଅସହାୟ ବ୍ୟକ୍ତି ମାନେ ଭିକ୍ଷାବୃତ୍ତି ଅବଲମ୍ବନ କରି ନିଜର ପେଟ ପୋଷୁଥିବା ବେଳେ ମାନସିକ ବିକୃତ ବ୍ୟକ୍ତି ମାନଙ୍କ କ୍ଷେତ୍ରରେ ଭିକ୍ଷାବୃତ୍ତି କରିବା ସମ୍ଭବପର ହୋଇପାରୁନାହିଁ । ଫଳରେ ସେମାନେ ପେଟକୁ ମୁଠାଏ ଦାନା ଓ ପିନ୍ଧିବାକୁ ଖଣ୍ଡଏ ବସ୍ତ୍ର ପାଉନଥିବା ଦେଖାଯାଉଛି । ଏସମସ୍ତ ଅସହାୟ ବ୍ୟକ୍ତିଙ୍କ ଦୁଃଖ କେବଳ ଆଖିଲୁହରେ ସ୍ପଷ୍ଟ ବାରି ହୋଇ ଯାଉଛି । ସମାଜରେ ବହୁ କମ୍ ବଦାନ୍ୟ ବ୍ୟକ୍ତି ଏଭଳି ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଉଛନ୍ତି । ବନ୍ତ ଗ୍ରାମର ଉଦୟନାଥ ସେଠୀଙ୍କ ପୁଅ ସୌରଭ ଜଣେ ଯୁବ ଧାବକ ଭାବେ ଜିଲ୍ଲାରେ ସୁନାମ ଅର୍ଜ୍ଜନ କରିଛନ୍ତି । ଦୈନନ୍ଦିନ ସେ ଦୌଡିବା ଅଭ୍ୟାସ ଜାରି ରଖିଥିବା ବେଳେ ଦିନଦୁଃଖି ଓ ଅସହାୟ ବ୍ୟକ୍ତିଙ୍କ ପ୍ରତି ଦରଦ ଦେଖାଉଛନ୍ତି । ବନ୍ତ ବଜାରରେ ବହୁ ଦିନ ହେବ ବୁଲୁ ଥିବା ଜଣେ ମାନସିକ ବିକୃତ ଯୁବକଙ୍କୁ ସହାୟତାର ହାତ ବଢାଇ ନିଜର ବଦାନ୍ୟତା ଦେଖାଇଛନ୍ତି । ବୁଧବାର ବନ୍ତସ୍ଥିତ ଦୈନିକ ହାଟରେ ସଂପୃକ୍ତ ମାନସିକ ବିକୃତ ଯୁବକଙ୍କୁ ପରିଧାନ ପାଇଁ ବସ୍ତ୍ର ଓ ଖାଇବା ପାଇଁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିବା ଜଣାଯାଇଛି । ସୌରଭଙ୍କର ଏହି ସେବା କାର୍ଯ୍ୟରେ ଶାନ୍ତି ୟୁଥ୍ କ୍ଲବର ସଦସ୍ୟ ମାନେ ସହଯୋଗ କରିଥିବା ବେଳେ ଅଧ୍ୟାପକ ଡଃ.ସୁଧାଂଶୁ ନାୟକ ଓ ଜିଲା ପରିଷଦ ସଭ୍ୟା ରେବତୀ ନାୟକ ଉତ୍ସାହିତ କରିଥିବା ଜଣାଯାଇଛି ।