ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ବେଳେ ଦେବୀନଦୀ ବନ୍ଧରେ ଫାଟ !

ବନ୍ଧର ସୁରକ୍ଷା ପାଇଁ ନଦୀ ବନ୍ଧ ସୁରକ୍ଷା କମିଟି ଓ ପ୍ରଶାସନ ମଧ୍ୟରେ ଆଲୋଚନା 
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ତୁମ୍ବେଶ୍ୱର ନଦୀ ବନ୍ଧ ସୁରକ୍ଷା ପାଇଁ ସୋମବାର ପ୍ରଶାସନ ଓ ନଦୀ ବନ୍ଧ ସୁରକ୍ଷା କମିଟିର ସଦସ୍ୟମାନଙ୍କ ସହ ଆଲୋଚନା କରାଯାଇଛି । ପଂଚାୟତ ସମିତି କାର୍ଯ୍ୟଳୟର ସମ୍ମିଳନୀ କକ୍ଷରେ ଏହି ଆଲୋଚନା କରାଯାଇଥିଲା । ଏବିଡିଓ ଦେବେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଲୋଚନାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଚିତରଂଜନ ଜେନା,ଏସଡିଓ ଇଂ. ତପନ କୁମାର ରାଉତ, ତହସିଲଦାର ଜେ.କଳ୍ପନା ଆଦି ପ୍ରଶାସନିକ ଅଧିକାରୀ ରହିଥିବା ବେଳେ ନଦୀ ବନ୍ଧ ସୁରକ୍ଷା କମିଟି ତରଫରୁ ଆବାହକ ଆର୍ତତ୍ରାଣ ଦାସ, ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ନବକିଶୋର ମହାନ୍ତି, ଚତୁଭୂଜ ମହାନ୍ତି, ବଂଶୀଧର ବେହେରା, ପ୍ରଫୁଲ୍ଲ ପରିଡା, ଡାବର ପଂଚାୟତ ସମିତି ସଭ୍ୟ ଗୈାରାଙ୍ଗ ସ୍ୱାଇଁ, ରୋହିଆ ପଂଚାୟତ ସମିତି ସଭ୍ୟ ପଦ୍ମଚରଣ ରାଉତ,ସରପଂଚ ଶିବ ପ୍ରସାଦ ନାୟକ, ନୂଆଗାଁ ପଂଚାୟତ ସମିତ ସଭ୍ୟ ଦୋଳଗୋବିନ୍ଦ ରାଉଳ,କୈଳାସ ପରିଡା ଆଦି ଉପସ୍ଥିତ ଥିଲେ । ଦେବୀ ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଫଳରେ ବନ୍ଧରେ ଫାଟ ସୃଷ୍ଟି ହୋଇଛି । ପ୍ରଥମେ ନଦୀ ବନ୍ଧର ସୁରକ୍ଷା ପାଇଁ ପ୍ରଶାସନିକ ଅଧିକାରୀ ଲିଖିତ ଭାବେ ପ୍ରତିଶୃତି ଦେବା ପରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି କମିଟିର ସଦସ୍ୟ ମାନେ ପ୍ରସ୍ତାବ ରଖିଥିଲେ । ମଙ୍ଗଳବାର ପ୍ରଶାସନ ଲିଖିତ ଭାବେ ବନ୍ଧର ସୁରକ୍ଷା ପାଇଁ ପ୍ରତିଶୃତି ଦେବେ ବୋଲି ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ମତ ରଖିଥିଲେ । ଲିଖିତ ପ୍ରତିଶୃତ ପାଇବା ପରେ ମେଗା ପାନୀୟ ଜଳ କାର୍ଯ୍ୟ କରାଯିବା ସହିତ ଆସନ୍ତା ସପ୍ତାହରେ ବନ୍ଧର ସୁରକ୍ଷା ସମ୍ବନ୍ଧରେ ଆଲୋଚନା କରାଯିବ ବୋଲି ସ୍ଥିର କରାଯାଇଥିଲା । ପ୍ରକାଶ ଯୋଗ୍ୟ ଯେ ନଦୀ ବନ୍ଧ ସୁରକ୍ଷା ପାଇଁ ବାରମ୍ବାର ସୁରକ୍ଷା କମିଟି ଓ ପ୍ରଶାସନ ମଧ୍ୟରେ ଆଲୋଚନା ହେଉଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳୁ ନାହିଁ । ବନ୍ଧର ସୁରକ୍ଷା ପାଇଁ ୨୧ ଡିସେମ୍ବର ୨୦୨୦ ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କ ଜରିଆରେ କମିଟି ପକ୍ଷରୁ ୩ ଦଫା ଦାବି ବିଶିଷ୍ଟ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବି ଗୁଡିକ ମଧ୍ୟରେ ନଦୀ ବନ୍ଧର ସୁରକ୍ଷା ପାଇଁ ପ୍ରଥମ ବୁରୁଜରୁ ୨ୟ ବୁରୁଜ ପର୍ଯ୍ୟନ୍ତ ନଦୀର ବେଡ ଲେବୁଲରୁ ଏକ କଂକ୍ରିଟ ୱାଲ ନଦୀ ବନ୍ଧ ଉଚ୍ଚତା ଠାରୁ ୫ ଫୁଟ ଉଚ୍ଚତାରେ ନିର୍ମାଣ କରାଯାଉ, ନଦୀର ଜଳସ୍ତର ବଜାୟ ରଖିବା ପାଇଁ ନଦୀରେ ସୁବିଧା ଜାଗା ଦେଖି ଏକ ଆଡି ବନ୍ଧ ନିର୍ମାଣ କରାଯାଉ, ନାଉଗାଁ ବ୍ଳକର ସମସ୍ତ ପଂଚାୟତକୁ ପାନୀୟ ଜଳ ଯୋଗାଇ ଦିଆଯିବା ପାଇଁ ଦାବି କରାଯାଇଛି । ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ସମେତ ଏହାର ନକଲ କପି ଜିଲ୍ଲାପାଳ ଜଗତସିଂହପୁର, ଉପ ଜିଲ୍ଲାପାଳ ଜଗତସିଂହପୁର, ମନ୍ତ୍ରୀ ଜଳ ସେଚନ ବିଭାଗ, ସାଂସଦ ଜଗତସିଂହପୁର, ବିଧାୟକ ଜଗତସିଂହପୁରଙ୍କ ଅବଗତି ନିମନ୍ତେ ପଠାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ