ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସର ଭଦ୍ରକ ବନ୍ଦ ଡାକରା ସଫଳ
ଆରଡି,( ୱାଇଏନଏସ ): ଭଦ୍ରକରେ ମେଡିକାଲ ପ୍ରତିଷ୍ଠା ଓ ଅନ୍ୟାନ୍ୟ ଦାବି ନେଇ ଗୁରୁବାର ଜିଲ୍ଲା କଂଗ୍ରେସ ପକ୍ଷରୁ ଭଦ୍ରକ ବନ୍ଦ ଡାକରା ଦିଆଯାଇଥିଲା । ସକାଳ ୬ଟାରୁ ସଂଧ୍ୟା ୬ଟା ମଧ୍ୟରେ ସହରର ସମସ୍ତ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିଲା । ଏହି ୧୨ ଘଣ୍ଟିଆ ବନ୍ଦ ବେଳେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଭାବେ ଠପ ହୋଇଯାଇଥିଲା । ଜିଲ୍ଲା ଓ ବ୍ଲକ କଂଗ୍ରେସ ନେତୃସ୍ଥାନୀୟ ଓ କର୍ମକର୍ତା ମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ସରକାର ବିରୋଧି ନାରାବାଜି ଦେଇଥିଲେ । ମଧ୍ୟାହ୍ଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ନଳିନୀ ମହାନ୍ତି, ଅଶୋକ ଦାସ, ବିଦ୍ୟାଧର ଜେନା, ଅଭିଷେକ ରାଉତ, ପିତାମ୍ବର ଜେନା, ହେମନ୍ତ ମହାପାତ୍ର, ବାବୁଲି ଚାନ୍ଦ, ସେକ ଅସୁରତ ପ୍ରମୂଖ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ଜୋରଦାର କରିବା ସହ ବିଜେଡି ସରକାର ଓ ପ୍ରଶାସନକୁ ଟାର୍ଗେଟ କରିଥିଲେ । ଵନ୍ଦପାଳନ ସଫଳ ହୋଇଥିବାରୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାସ ଭଦ୍ରକ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ । ପରେପରେ କଂଗ୍ରେସ କର୍ମୀମାନେ ଜିଲ୍ଲାର ସାଂସଦ ଓ ବିଧାୟକ ମାନଙ୍କର କୁଶପୁତ୍ତଳିକା ଦାହ କରିଥିଲେ ।