ମେ ୨ରେ ନେହେରୁ ଯୁବ ପ୍ରତିଷ୍ଠାନର ୫୦ତମ ସୁବର୍ଣ୍ଣ ଜୟନ୍ତୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ରାଜ୍ୟର ଅଗ୍ରଣୀ ଯୁବ ଓ ସାଂସ୍କୃତିକ ଅନୁଷ୍ଠାନ ନେହେରୁ ଯୁବ ପ୍ରତିଷ୍ଠାନ ତାର ୫୦ତମ ସୁବର୍ଣ୍ଣ ଜୟନ୍ତୀ ମେ ୨ ତାରିଖରେ ପାଳନ ହେବାକୁ ଯାଉଛି । ଏହି ଅବସରରେ ଚଳିତମାସ ୨୮ତାରିଖରୁ ମେ ୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଥିଲା । ୨୮ତାରିଖରେ ଅନୁଷ୍ଠାନର ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ବୈକୁଣ୍ଠ ନାଥ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ, ସନ୍ଧ୍ୟାରେ ସପ୍ତମ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ସେହିପରି୨୯ ତାରିଖରେ ଏଏସ୍ଜି ଓ ସିୱାଇପିଓଟି ଦ୍ୱାରା ଚକ୍ଷୁ, ମଧୁମେହ, ରକ୍ତ ପରୀକ୍ଷଣ, ଦନ୍ତ, ଇସିଜିଂ ମାଗଣାରେ ଅନୁଷ୍ଠିତ ହୋଇଥିଲା । ୩୦ ତାରିଖରେ ନମୋଃ ସହଯୋଗରେ ନୂଆଗାଁସ୍ଥ ଶ୍ରୀକୃଷ୍ଣ ଆନନ୍ଦ ବୃଦ୍ଧାଶ୍ରମଠାରେ ଆନନ୍ଦ ଉତ୍ସବର ଏକ ସନ୍ଧ୍ୟା ଅନୁଷ୍ଠିତ ହେବ । ମେ ୧ ତାରିଖ ଅପରାହ୍ନରେ ନେହେରୁ ଯୁବ ପ୍ରତିଷ୍ଠାନ ପରିସରରେ ମହିଳା ଓ ଛାତ୍ରୀମାନଙ୍କ ମଧ୍ୟରେ ଫୁଲଗୁନ୍ଥା ପ୍ରତିଯୋଗିତା ଅନୁଷ୍ଠିତ ହେବ । ୨ ତାରିଖ ଅପରାହ୍ନରେ ସାଥୀ ଅନୁଷ୍ଠାନ ପକ୍ଷରୁ ଅଭିଜ୍ଞ ଡ଼ାକ୍ତରମାନଙ୍କ ଦ୍ୱାରା ୨୦ ଟଙ୍କାରେ ଡ଼ାକ୍ତରୀ ପରାମର୍ଶ ଓ ପଞ୍ଜିକରଣ କରିଥିବା ବ୍ୟକ୍ତିବିଶେଷମାନେ ରିହାତି ମୂଲ୍ୟରେ ଔଷଧ କ୍ରୟ କରିପାରିବେ । ଅପରାହ୍ନ ୪ଟାରେ କୁନି କୁନି ପିଲାମାନଙ୍କ ମଧ୍ୟରେ ଆଧୁନିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସନ୍ଧ୍ୟାରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷ, ବିଶିଷ୍ଟ ସାହିତ୍ୟିକ ଶ୍ରୀ ଅସିମ ମହାନ୍ତି, ରାଷ୍ଟ୍ରୀୟ ଲୋକସେବକ ମଣ୍ଡଳର ସମ୍ପାଦକ ଡଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ଡ଼ିଏଭି ଓଡ଼ିଶା ଶାଖା ଆଞ୍ଚଳିକ ନିର୍ଦ୍ଦେଶକ ଡଃ କେଶବ ଚନ୍ଦ୍ର ଶତପଥୀ, ଯୁବ ସାହସିକତା ପାଇଁ ଚିତ୍ତ ରଞ୍ଜନ ପ୍ରଧାନଙ୍କୁ ସମ୍ମାନିତ କରାଯିବ । ଉତ୍ସବ ଶେଷରେ ନୃତ୍ୟଶିଳ୍ପୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ ।


