ଯୁକ୍ତ ୨ ଓ ମାଟ୍ରିକ ପରୀକ୍ଷା ସମୟରେ ସରସ୍ୱତୀ ଭଷାଣୀ ଅନୁମତି ନ ଦେବାକୁ ଦାବୀ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ): ସମଗ୍ର ଜିଲ୍ଲାରେ ବର୍ତ୍ତମାନ ଯୁକ୍ତ ୨ ଓ ମାଟ୍ରିକ ପରୀକ୍ଷା ଚାଲିଛି । ସହର ଠାରୁ ଆରମ୍ଭକରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଆଡେ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଅଛି । ଏହି ସରସ୍ୱତୀ ପୂଜାରେ ମାଇକ୍ ଓ ଡିଜେର ଉଦ୍ଭଟ ଶବ୍ଦରେ ପରୀକ୍ଷାର୍ଥୀ ଅତିଷ୍ଠ ହୋଇପଡିଲେଣି । ସରସ୍ୱତୀ ପୂଜା ଗତ ୧୪ ତାରିଖରୁ ଆରମ୍ଭ ହୋଇଥିଲେ ମଧ୍ୟ ସହରାଞ୍ଚଳରେ ଭଷାଣୀ ଶୋଭାଯାତ୍ରାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆନଯିବା ଏକ ବଳିଷ୍ଠ ତଥା ପ୍ରଂଶସନୀୟ ପଦକ୍ଷେପ । କିନ୍ତୁ ଗ୍ରାମାଞ୍ଚଳରେ ଡିଜେ ଓ ମାଇକ୍ ଶବ୍ଦରେ ସାଧାରଣ ଲୋକେ ଅତିଷ୍ଠ ହେବା ସହିତ ଗତ ୧୬ ତାରିଖରୁ ଯୁକ୍ତ ୨ ଓ ୨୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ପରୀକ୍ଷାର୍ଥୀମାନେ ସମସ୍ୟାରେ ପଡିଛନ୍ତି । କେତେକ ଅଞ୍ଚଳରେ ଆସନ୍ତା ୨୨ ଏବଂ ୨୪ ଦୁଇ ଦିନ ଧରି ଭଷାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ବାଜାବାଣରେ ଗ୍ରାମାଞ୍ଚଳ ପଡିବ ଉଠିବ । ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଏହି ଭଷାଣୀ ଶୋଭାଯାତ୍ରକୁ ଅନୁମତି ନ ଦେବାକୁ ବୁଦ୍ଧିଜୀବିମାନେ ଦାବି କରିଛନ୍ତି ।