‘ଯୁଗଶ୍ରୀ ଯୁଗନାରୀ’ପକ୍ଷରୁ ମୌସୁମୀ କବିତା ଆସର ‘ମେଘ ମହ୍ଲାର’

ବାଲେଶ୍ୱର, (ସରୋଜ ପଣ୍ଡା):ମାସିକ ସାହିତ୍ୟ ମହିଳା ଓଡ଼ିଆ ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ ଓ ଫକୀର ମୋହନ ସାହିତ୍ୟ ପରିଷଦ ମିଳିତ ଆନୁକୂଲ୍ୟରେ ମୌସୁମୀ କବିତା ଆସର ‘ମେଘମହ୍ଲାର’ ସ୍ଥାନୀୟ କବିତୀର୍ଥ ଶାନ୍ତିକାନନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସୁସାହିତ୍ୟିକା ତଥା ପ୍ରବଚିକା ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଆସରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ କ୍ଳାନ୍ତମୟ ଜୀବନରେ ମାନସିକ ଶାନ୍ତି ପ୍ରଦାନରେ କବିତାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସାମାଜିକ ଜୀବନରେ ସୁଖ-ଦୁଃଖର ବାର୍ତ୍ତା ଓ ମନର ଭାବାବେଗକୁ ବର୍ଷା ଅଧିକ ହୃଦୟସ୍ପର୍ଶୀ କରାଇଥାଏ ବୋଲି ସେ କହିଥିଲେ । ଫକୀର ମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡ. ଶିରୀଶ ଚନ୍ଦ୍ର ଜେନା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଦ୍ୟ ଆଷାଢ଼ରେ ମୌସୁମୀ ବର୍ଷାର ଆଗମନରେ କେବଳ ଧରାପୃଷ୍ଠର ମଣିଷ ନୁହେଁ ବରଂ ଜୀବଜନ୍ତୁଙ୍କଠାରୁ ଆରମ୍ଭ କରି ବୃକ୍ଷଲତା ପର୍ଯ୍ୟନ୍ତ ଆନନ୍ଦିତ ହୋଇଥା’ନ୍ତି ବୋଲି କହିଥିଲେ । ପ୍ରାଧ୍ୟାପିକା ଡକ୍ଟର ପ୍ରଭାବତୀ ପଣ୍ଡା ଏଥିରେ ସମାନିତ ଅତିଥିଭାବେ ଯୋଗଦେଇ ମୌସୁମୀ ବର୍ଷା ସହ କବିର ନିବିଡ଼ତା ସଂପର୍କରେ ଆଲେଚନା କରିଥିଲେ । ତେବେ କବିଟିଏ ପ୍ରଜ୍ଞା ନିସୃତ କବିତା ବଳରେ ଜୀବନକୁ ରସସିକ୍ତ କରିଥାଏ ବୋଲି ସେ ମତ ପ୍ରକାଶ କରିଥିଲେ । ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏଥିରେ ସଭାପତିତ୍ୱ କରିବା ସହିତ ସାଧାରଣ ଜନଜୀବନରେ ମୌସୁମୀର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ । ‘ଯୁଗଶ୍ରୀ ଯୁଗନାରୀ’ ପ୍ରତିକାର ସଂପାଦିକା ମମତା ମହାପାତ୍ର ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ବର୍ଷାର ଆଗମନରେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନରତ୍ତସକାରାତ୍ମକ ଦିଗ ଉପରେ ଆଲୋକପାତ କରିଥିଲେ । ସାହିତ୍ୟ ପରିଷଦର ସମ୍ପାଦକ ଦୀପକ ବୋଷ ଏଥିରେ ପ୍ରାକ ସୂଚନା ଦେଇଥିବା ବେଳେ କମଳାକାନ୍ତ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଅଧ୍ୟାପିକା ଜ୍ୟୋତ୍ସ୍ନା ରାୟ ଓ ମଧୁସୁଦନ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ମୌସୁମୀ କବିତା ପାଠ ଉତ୍ସବରେ ଯଶୋଧାରା ଦାସ, କମଳାକାନ୍ତ ଦାସ, କଲ୍ୟାଣୀ ନନ୍ଦ, କ୍ରିଷ୍ଣା ପ୍ରଧାନ, ଦୀପ୍ତିଲତା ଦାସ, ସ୍ମୃତି ଦାସ, ଅଞ୍ଜଳି ପଣ୍ଡା, ରଞ୍ଜନ ବାଗ, ଅମରନାଥ ପାତ୍ର, ବିଜୟ ମହାନ୍ତି ହିରଶ୍ଚନ୍ଦ୍ର ବେହେରା, ଅଭିମନ୍ୟୁ କାନୁନଗୋ, ବିନୀତା ସାହୁ, ସୌଭାଗିନୀ ମିଶ୍ର, କାଳୀକିଙ୍କର ମିଶ୍ରଙ୍କ ସମେତ ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ