ରାଜସ୍ୱଗ୍ରାମର ମାନ୍ୟତା ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତର କଅଁଳେଇବାଲିପାଳ, ମଲ୍ଲୀପସି, ସରମୁଣ୍ଡି, ଭଅଁରା, ମୟୁରନଚା ଆଦି ଗ୍ରାମର ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏହିସବୁ ଗାଁକୁ ସବୁଦିନିଆ ରାସ୍ତା ନଥିବାବେଳେ ଗାଁର ଲୋକମାନେ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହି ଆସୁଛନ୍ତି । ସ୍ୱାଧୀନତାର ୭୬ବର୍ଷ ପରେବି ଏମାନେ ଭୁମିହୀନ ଭାବେ ବସବାସ କରିଆସୁଛନ୍ତି । ବିଶେଷକରି କଅଁଳେଇବାଲିପାଳ, ମଲ୍ଲୀପସି ଗ୍ରାମର ଲୋକମାନେ ହଦଗଡ ଜଳଭଣ୍ଡାର ନିର୍ମାଣବେଳେ ବିସ୍ଥାପିତ ହୋଇ ରହି ଆସିବା ସହ ଏମାନେ ଜଂଗଲ ସମ୍ପଦ ଉପରେ ନିର୍ଭରଶୀଳ । ଜଂଗଲ ଅଧିକାର ଆଇନ ୨୦୦୬ ଆସିବାପରେ ମଧ୍ୟ ଏହି ଅଞ୍ଚଳର ଅଧିବାସୀ ମାନଙ୍କୁ ତାଙ୍କ ଅଧିକାରର ସ୍ୱୀକୃତି ମିଳିପାରୁ ନାହିଁ । ଗ୍ରାମର ବୁଦ୍ଧିରାମ ପୁର୍ତ୍ତି, ରାଉତ ହୋ, ରଜନ ସୋରେନ, ମାଣିକ ହେମ୍ରମ, ଜୁର ପୁର୍ତ୍ତୀ, ଖଜୁରୀ ମହାକୁଡ, ଶ୍ରୀରାମ ପୁର୍ତ୍ତୀ, ଜିରୁମ ବାଦ୍ରା ପ୍ରମୁଖ ୨୦ରୁ ଉର୍ଦ୍ଧ ଗ୍ରାମବାସୀ ଏନେଇ ଉପଜିଲ୍ଲାପାଳଙ୍କୁ ଭେଟି ଜଂଗଲ ଅଧିକାର ଆଇନ ୨୦୦୬ ଅନୁଯାଇ ଏହିସବୁ ଗ୍ରାମ ଗୁଡିକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ଦାବିରେ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।