ରାଜ୍ୟରେ ଚିହ୍ନଟ ହେଲା ପ୍ରଥମ ସ୍ବାଇନ୍ ଫ୍ଲୁ ରୋଗୀ
କଟକ:- ଚଳିତବର୍ଷର ପ୍ରଥମ ସ୍ବାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି କଟକ ବଡ଼ ଡାକ୍ତରଖାନାରେ । ସ୍ବାଇନ୍ ଫ୍ଲୁ ସନ୍ଦେହରେ ୩ ଜଣ ଆକ୍ରାନ୍ତ ଏସସିବିରେ ଭର୍ତ୍ତି ହୋଇଥିଲେ। ରକ୍ତ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ଜଣକ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ଅନ୍ୟ ୨ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଆକ୍ରାନ୍ତଙ୍କ ଘର ଢେଙ୍କାନାଳ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଅନ୍ୟପଟେ ତାଙ୍କୁ ବଡ ଡାକ୍ତରଖାନାର ସ୍ବତନ୍ତ୍ର ୱାର୍ଡରେ ରଖି ଚିକିତ୍ସିତ କରାଯାଉଛି। ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ ହେବା ଘଟଣା ପୁଣି କଟକ ବଡ ଡାକ୍ତରଖାନା ପରିସରରେ ଆତଙ୍କର କାରଣ ହୋଇଛି । ସୂଚନାଅମୁସାରେ କିଛିଦିନ ପୂର୍ବରୁ କଟକ ବଡ ଡାକ୍ତରଖାନାରେ ୩ ଜଣ ସନ୍ଦିଗ୍ଧ ସ୍ବାଇନ ଫ୍ଲୁ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଥିଲା। ସେମାନଙ୍କୁ ସ୍ବତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯିବା ସହିତ ସେମାନଙ୍କ ରକ୍ତ ଓ ସ୍ବାବ ପରୀକ୍ଷା ପାଇଁ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଗବେଷଣା ତଥା ପରୀକ୍ଷା କେନ୍ଦ୍ରକୁ ପଠା ଯାଇଥିଲା। ୩ଟି ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ସେଥିରୁ ଦୁଇଟି ନେଗେଟିଭ୍ ବାହାରିଥିବା ବେଳେ ଗୋଟିଏ ପଜିଟିଭ୍ ରହିଛି। ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ଆବଶ୍ୟକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ଅନ୍ୟ ଦୁଇ ଜଣ କିନ୍ତୁ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ବଡ ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, ସ୍ବାଇନ ଫ୍ଲୁକୁ ନେଇ ବର୍ତ୍ତମାନ ସ୍ଥିତିରେ ବିଶେଷ ଆତଙ୍କିତ ହେବାର କାରଣ ନାହିଁ ।


