ରିଜର୍ଭ ବ୍ୟାଙ୍କରେ ଶକ୍ତିକାନ୍ତଙ୍କ ଦୁଇ ବର୍ଷ : ପ୍ରଶାସକରୁ ଦକ୍ଷ ଗଭର୍ଣ୍ଣର

ନୂଆଦିଲ୍ଲୀ: ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦୁଇ ବର୍ଷ ପୂରଣ କରିଛନ୍ତି। ଜଣେ ଶାନ୍ତ ସ୍ବଭାବର ପ୍ରଶାସକ ଭାବେ ଜଣାଶୁଣା ଥିବା ଶକ୍ତିକାନ୍ତଙ୍କୁ ଯେତେବେଳେ ରିଜର୍ଭ ବ୍ୟାଙ୍କର ଏହି ପଦ ପ୍ରଦାନ କରାଗଲା ତାହାକୁ ଅନେକ ସହଜରେ ଗ୍ରହଣ କରିପାରି ନଥିଲେ। ସେ ଇତିହାସ ପାଠ ପଢ଼ିଥିଲେ। ଅର୍ଥନୀତି ପାଠପଢ଼ିନଥିବାରୁ ଏହି ପଦ ପାଇଁ ତାଙ୍କୁ ଯୋଗ୍ୟ ପ୍ରାର୍ଥୀ ବୋଲି ବିଚାର କରାଯାଉନଥିଲା। ସରକାରଙ୍କ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ତାଚ୍ଛଲ୍ୟ କରାଯାଇଥିଲା। ଅତ୍ୟନ୍ତ ଜଟିଳ ସମୟରେ ତାଙ୍କୁ ଏହି ପଦ ସମ୍ଭାଳିବାକୁ ପଡ଼ିଥିଲା। ସରକାରଙ୍କ ସହ ମତାନ୍ତର ହେବାରୁ ନିଜ କାର୍ଯ୍ୟକାଳ ଶେଷ ହେବାର କିଛି ମାସ ପୂର୍ବରୁ ଉର୍ଜିତ ପଟେଲ୍‌ ହଠାତ୍‌ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ। ସେହି ଘଟଣା ଘଟିବାର କିଛି ଦିନ ପରେ ଶକ୍ତିକାନ୍ତଙ୍କୁ ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଥିଲା। ସାମ୍ନାରେ ଆହ୍ବାନର ପାହାଡ଼ ଥିଲା। ଦେଶର ଅର୍ଥନୀତି ବିମୁଦ୍ରୀକରଣର ପ୍ରଭାବ ଦେଇ ଗତି କରୁଥିଲା। ତରବରିଆ ଭାବେ ଜିଏସ୍‌ଟି ଲାଗୁ କରାଯାଇଥିବାରୁ ବ୍ୟବସାୟ ଜଗତ ମଧ୍ୟ ଚିନ୍ତିତ ଥିଲା। ସେଭଳି ଏକ ସମୟରେ ରିଜର୍ଭ ବ୍ୟାଙ୍କ ଭଳି ଅନୁଷ୍ଠାନର ମଙ୍ଗ ସମ୍ଭାଳିଥିଲେ ଶକ୍ତିକାନ୍ତି। ଇତି ମଧ୍ୟରେ ଦୁଇ ବର୍ଷ ବିତି ଯାଇଛି। ନିଷ୍ଠାର ସହିତ ଅର୍ଥନୀତିକୁ ସଜାଡ଼ିବା ଲାଗି ସେ ଯେଉଁ ଉଦ୍ୟମ କରିଛନ୍ତି ତାହାକୁ ବିଶ୍ବବ୍ୟାପୀ ପ୍ରଶଂସା କରାଯାଉଛି। ସାରା ଦୁନିଆରେ ସେ ଏବେ ଜଣେ ଆଗଧାଡ଼ିର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ମର୍ଯ୍ୟାଦା ହାସଲ କରିଛନ୍ତି |ଶକ୍ତିକାନ୍ତ ତାମିଲନାଡ଼ୁ କ୍ୟାଡର ୧୯୮୦ ବ୍ୟାଚ୍‌ ଆଇଏଏସ ଅଫିସର। ଆଇଏଏସ୍‌ ପାଇବା ପରେ ସେ ତାମିଲନାଡ଼ୁରେ ପ୍ରଶାସନିକ ଅଧିକାରୀ ପଦରୁ ତାଙ୍କ ଚାକିରି ଜୀବନ ଆରମ୍ଭ କରିଥିଲେ। ତାମିଲନାଡ଼ୁରେ ଥିବା ସମୟରେ ସେ ଶିଳ୍ପ ବିଭାଗର ପ୍ରମୁଖ ସଚିବ, ରାଜସ୍ବ ବିଭାଗର ସ୍ବତନ୍ତ୍ର କମିସନର, ବାଣିଜ୍ୟିକ ଟିକସ ବିଭାଗର ସଚିବ, ଡିଣ୍ଡିଗୁଲ୍‌ ଓ କାଞ୍ଚିପୁରମ ଜିଲ୍ଲାର ଜିଲ୍ଲାପାଳ ଭଳି ପଦରେ କାର୍ଯ୍ୟ‌ କରିଛନ୍ତି। ଭାରତ ସରକାରଙ୍କ ଅଧୀନରେ ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରିଛନ୍ତି। ଅର୍ଥ ମନ୍ତ୍ରାଳୟରେ ଅର୍ଥନୈତିକ ବ୍ୟାପାର ସଚିବ ସମେତ ରାଜସ୍ବ ସଚିବ, ସାର ସଚିବ, ଅର୍ଥନୈତିକ ବ୍ୟାପାର ବିଭାଗର ସ୍ବତନ୍ତ୍ର ସଚିବ, ବ୍ୟୟ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ଅର୍ଥନୈତିକ ବ୍ୟାପାର ସଚିବ ଥିବା ସମୟରେ ସେ ଦେଶର ଜଣେ ପ୍ରଭାବଶାଳୀ ଅମଲା ଭାବେ ପରିଚିତ ଥିଲେ। ତାଙ୍କ ସମୟରେ ମୋଦୀ ସରକାର ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଥିଲେ। ଡୁବୁରି ସୁବ୍ବାରାଓ ଓ ୱାଇ ଭି ରେଡ୍ଡୀ ଭଳି ଅଳ୍ପ କିଛି ଆଇଏଏସ ଅଧିକାରୀ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ହୋଇଥିଲେ। ଶକ୍ତିକାନ୍ତ ଏହି ପଦ ସମ୍ଭାଳିବା ପରେ ସେହି ତାଲିକାରେ ନିଜର ନାମକୁ ସାମିଲ କରାଇ ପାରିଛନ୍ତି। ଭୁବନେଶ୍ବରରେ ପାଠ ପଢ଼ା ଆରମ୍ଭ କରିଥିବା ଶକ୍ତିକାନ୍ତ ଉଭୟ ନର୍ଥ ବ୍ଲକ ଓ ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟ କରିବାର ବିରଳ କୃତିତ୍ବ ହାସଲ କରିଛନ୍ତି। ନର୍ଥ ବ୍ଲକ ବା ଅର୍ଥ ମନ୍ତ୍ରଳାୟରେ କାର୍ଯ୍ୟ କରିବା ସମୟରେ ସେ ଦେଶର ବିତ୍ତୀୟ ନୀତି ସମ୍ଭାଳୁଥିବାବେଳେ ଏବେ ମୁମ୍ବାଇରେ ରିଜର୍ଭ ବ୍ୟାଙ୍କର ମୁଖ୍ୟ ଭାବେ ଦେଶର ଆର୍ଥିକ ନୀତି ବୁଝୁଛନ୍ତି। ଆଇଏଏସ ପଦରୁ ଅବସର ନେବା ପରେ ସେ ପଞ୍ଚଦଶ ଅର୍ଥ ଆୟୋଗର ସଦସ୍ୟ ଏବଂ ଜି-୨୦ର ସେର୍ପା ଭାବେ କାର୍ଯ୍ୟ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ