ରେଙ୍ଗାଲି ଅଗ୍ନିଶମ ବାହିନୀକୁ ସମ୍ବର୍ଦ୍ଧନା କଲା ବ୍ଲକ ପ୍ରଶାସନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବାତ୍ୟା ‘ଦାନା’ ସମୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ବନ୍ତ ବ୍ଲକରେ ନିୟୋଜିତ ହୋଇଥିବା ସମ୍ବଲପୁର ଜିଲା ରେଙ୍ଗାଲି ଅଗ୍ନିଶମ ବାହିନୀକୁ ବନ୍ତ ବ୍ଳକ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରକାଶ ଯେ, ବାତ୍ୟା ‘ଦାନା’ର ମୁକାବିଲା ପାଇଁ ସମଗ୍ର ବନ୍ତ ବ୍ଲକ ପ୍ରଶାସନ ଦିନରାତି ପରିଶ୍ରମ କରି ସଫଳତା ହାସଲ କରିଛି । ଏପେରିପକ୍ଷୀରେ ଏହି ବାତ୍ୟା ମୁକାବିଲା ପାଇଁ ଆଗରପଡା ଓ ସମ୍ବଲପୁର ଜିଲାର ରେଙ୍ଗାଲି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ । ରେଙ୍ଗାଲି ଅଗ୍ନିଶମ ବାହିନୀର ୬ ଜଣିଆ ଟିମେରେ କେନ୍ଦ୍ରାଧିକାରୀ ଭରତଲାଲ ଏକ୍କାଙ୍କ ସମେତ ଆଗ୍ନିକ ଗେନ୍ଦ୍ରା ଓରାମ, ରାମ ଚନ୍ଦ୍ର ପୁଟେଲ, ବିକାଶ ମହାନା, ଉମେଶ ଖଡିଆ, ନିରଞ୍ଜନ କାଲୋ ସାମିଲ ଥିଲେ । ଏହି ୬ ଜଣିଆ ଟିମ୍ ଗଣିଜାଙ୍ଗ, ଛୟାଳସିଂହ, ବନ୍ତ, ନିଳୋକ, କେନ୍ଦୁଆପଦା, ଗୋବିନ୍ଦପୁର, ରାମକୃଷ୍ଣପୁର ଆଦି ପଞ୍ଚାୟତ ଦାୟୀତ୍ୱରେ ଥିଲେ । ଉକ୍ତ ଟିମ୍ ଉପରୋକ୍ତ ପଞ୍ଚାୟତର ବିଭିନ୍ନ ସ୍ଥାନରେ ପଡିଥିବା ଗଛ ଗୁଡିକୁ କାଟି ସଫା କରିବା ସହିତ ଆବଶ୍ୟକ ସ୍ଥଳେ କେତେକ ସ୍ଥାନରେ ରାସ୍ତା ମରାମତି କାର୍ଯ୍ୟ କରିଥିଲେ । ଦୀର୍ଘ ୪ ଦିନ ଧରି ନିରନ୍ତର ଭାବେ କାର୍ଯ୍ୟ କରି ଯାତାୟତକୁ ସ୍ୱାଭାବିକ କରିଥିବାରୁ ସେମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଏହି ଅବସରରେ ଆଜି ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ପ୍ରଦୀପ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୂଚିସ୍ମିତା ବାରିକ ଉପସ୍ଥିତ ରହି ଅଗ୍ନିଶମ ବାହିନୀର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।