ରେଳ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ସରକାରୀ ଅବହେଳା
ବାଲେଶ୍ୱର, (ସରୋଜ ପଣ୍ଡା):ବାହାନଗା ରେଳ ଦୁର୍ଘଟଣାରେ ସ୍ଥିତି ସ୍ୱାଭାବିକ ହୋଇଆସୁଥିବା ବେଳେ ରାଜନୈତିକ ଦଳର ନେତା ଦୁର୍ଘଟଣା ସ୍ଥଳ ଓ ହସପିଟାଲ ପରିଦର୍ଶନ ସହ ମୃତାହତଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।ଏହି କ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସୋମବାର ଦୁର୍ଘଟଣା ସ୍ଥଳ ଓ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସହ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରେଳ ଦୁର୍ଘଟଣା ଓ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ସରକାରୀ ଅବହେଳାକୁ ଅକ୍ଷମଣୀୟ ବୋଲି କହିଛନ୍ତି । ମୃତାହତ ସଂଖ୍ୟା କମ କରିବାକୁ ଦୀର୍ଘ ଦୁଇଘଣ୍ଟା କାଳ ପ୍ରଶାସନ ଅଥବା ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଜେନା କହିଥିଲେ । ପ୍ରାଥମିକ ସ୍ତରରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟକୁ ଶ୍ରୀ ଜେନା ପ୍ରଶଂସା କରିଥିବା ବେଳେ ପ୍ରଶାସନିକ ଅବହେଳା ଯୋଗୁଁ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିବା ସେ ଯୁକ୍ତି ଦର୍ଶାଇଥିଲେ । ତେବେ ମୃତକ ସଂଖ୍ୟାକୁ ନେଇ ସୃଷ୍ଟି ହୋଇଥିବା ସନ୍ଦେହ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଥିଲେ । ଉଦ୍ଧାର ବେଳେ କେତେ ମୃତ ଶରୀର କେଉଁ ସ୍ଥାନକୁ ନିଆଯାଇଥିଲା ତାହାର ସବିଶେଷ ତଥ୍ୟ ରଖିବାକୁ ଶ୍ରୀ ଜେନା ଦାବି କରିଛନ୍ତି । ଅତୀତରେ ରେଳ ଦୁର୍ଘଟଣାରେ ପୂର୍ବ ରେଳ ମନ୍ତ୍ରୀମାନେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇ ଉଦାହରଣ ସୃଷ୍ଟି କରିଥିବା ବେଳେ ବର୍ତମାନର ରେଳମନ୍ତ୍ରୀଙ୍କ ନୈତିକ ଆଚରଣ କେଉଁ ପ୍ରକାର ରହିବ ତାହା ତାଙ୍କ ଉପରେ ଛାଡ଼ିଦେବା ଉଚିତ ବୋଲି ଶ୍ରୀ ଜେନା କହିଥିଲେ । ଅନ୍ୟପକ୍ଷରେ ଇଷ୍ଟକୋଷ୍ଟ ରେଲୱେର ବିଶାଖାପଟଣା ଡିଭିଜନର ହଜାରେରୁ ଉର୍ଦ୍ଧ୍ୱ ଶ୍ରମିକ ଦିନରାତି ଏକ କରି ରେଳ ଚଳାଚଳ ସ୍ୱାଭାବିକ କରିଥିବା ବେଳେ ସମ୍ପ୍ରତି ୱାଲଟିଅର ଡିଭିଜନକୁ ଇଷ୍ଟକୋଷ୍ଟ ରେଲୱେରୁ କାଢ଼ିି ଆନ୍ଧ୍ର ପ୍ରଦେଶ ପାଇଁ ଗଠିତ ନୂତନ ରେଳ ଜୋନରେ ସାମିଲ ନେଇ ରେଳ ମନ୍ତ୍ରୀ ନିଷ୍ପତ୍ତି ନେବା କେଉଁ ପ୍ରକାର ନ୍ୟାୟର ବୋଲି ଶ୍ରୀ ଜେନା ପ୍ରଶ୍ନ କରିଥିଲେ । ସେହି ଅନୁସାରେ ବାଲେଶ୍ୱରରେ ନୂତନ ରେଳ ଡିଭିଜନ ପ୍ରତିଷ୍ଠା ସହ ଇଷ୍ଟକୋଷ୍ଟ ରେଲୱେ ସାମିଲ ପାଇଁ ସେ ଦାବି କରିଥିଲେ । ଅନ୍ୟପକ୍ଷରେ ରେଳ ଦୁର୍ଘଟଣାରେ ହଜାରେରୁ ଅଧିକ ଆହତଙ୍କ ଚିକିତ୍ସା ପାଇଁ ସମସ୍ୟା ଦେଖା ଦେଇଥିବା ବେଳେ ୟୁପିଏ ସରକାର ଅମଳରେ ୫୦୦ ଶଯ୍ୟା ବିଶିଷ୍ଟ ଏମ୍ସ ସାଟେଲାଇଟ ସେଣ୍ଟର ପ୍ରତିଷ୍ଠାର ଗୁରୁତ୍ୱ ସମ୍ପର୍କରେ ଶ୍ରୀ ଜେନା ଅବଗତ କରିଥିଲେ । ତୁରନ୍ତ ଏ ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେବା ସହିତ ବାଲେଶ୍ୱରରେ ଏକ ଅତ୍ୟାଧୁନିକ ଟ୍ରମା ସେଣ୍ଟର ପ୍ରତିଷ୍ଠା ପାଇଁ ଶ୍ରୀ ଜେନା ଯୁକ୍ତି ଦର୍ଶାଇଥିଲେ ।